କଟକ: ସୁନାମଧନ୍ୟ ଲେଖକ ପ୍ରଫେସର ଗଣେଶ୍ୱର ମିଶ୍ରଙ୍କ ତୈଳଚିତ୍ର କଟକ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଉନ୍ମୋଚିତ ହୋଇଯାଇଛି ।
ଓଡ଼ିଶାର ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଶ୍ରୀ ରାମଚନ୍ଦ୍ରଭବନରେ ରବିବାର ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗଦେଇ ଅଭିମନ୍ୟୁ ଜେନାଙ୍କ ଦ୍ୱାରା ତିଆରି ହୋଇଥିବା ଏହି ତୈଳଚିତ୍ରକୁ ଅନାବରଣ କରିଥିଲେ ।
ମୁଖ୍ୟବକ୍ତା ଭାବେ ପ୍ରସିଦ୍ଧ ଅନୁବାଦକ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଯୋଗ ଦେଇଥିବା ବେଳେ ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥିଭାବେ ପ୍ରଫେସର ମିଶ୍ରଙ୍କ କନିଷ୍ଠ ପୁତ୍ର ତଥା ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର ଉପସ୍ଥିତ ରହି ନିଜ ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କରିଥିଲେ ।
ଅନୁଷ୍ଠାନର ଉପସଭାପତି ସଞ୍ଜିତ୍ କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଙ୍ଗଠନ ସମ୍ପାଦକ ଆଦିତ୍ୟ ପ୍ରତାପ ଧଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ବ୍ରହ୍ମାନନ୍ଦ ବିଶ୍ୱାଳ ଅତିଥିଙ୍କୁ ସ୍ୱାଗତ କରିଥିଲେ । ଅନୁଷ୍ଠାନର ଅନ୍ୟତମ କାର୍ଯ୍ୟକର୍ତ୍ତା ଶିବାଶିଷ କର ଧନ୍ୟବାଦ ଜ୍ଞାପନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରଫେସର ମିଶ୍ରଙ୍କ ବ୍ୟକ୍ତିତ୍ଵ ଓ କୃତିତ୍ବ ନେଇ ଆଲୋଚନା ହୋଇଥିଲା । ଅଧ୍ୟାପକ ବିଶ୍ୱରଂଜନ କହିଥିଲେ ଯେ, “ପ୍ରଫେସର ମିଶ୍ରଙ୍କ ବ୍ୟକ୍ତିତ୍ୱ ତଥା ଲେଖାରେ ସରଳତା ଭରି ରହିଥିଲା । ସେ ତାଙ୍କର ନିଜ ଜନ୍ମସ୍ଥାନ ପୁରୀ ବିଷୟରେ ବହୁତ କିଛି ଲେଖିଛନ୍ତି । ତାଙ୍କର ବିଶ୍ୱାସ ଥିଲା ଯେ ଜଣେ ବ୍ୟକ୍ତି ନିଜର ଅଭିଜ୍ଞତା ଆଉ ପରିବେଶ ନେଇ ଲେଖିବା ଉଚିତ୍ । ଯାହାକୁ ସେ ନିଜ ଲେଖନୀ ମୁନରେ ଶାଣିତ କରିଥିଲେ । “ଏହି କାର୍ଯ୍ୟକ୍ରମରେ ପ୍ରଫେସର ମିଶ୍ରଙ୍କ ବ୍ୟକ୍ତିତ୍ଵ ଓ କୃତିତ୍ବ ନେଇ ଆଲୋଚନା ହୋଇଥିଲା । ଅଧ୍ୟାପକ ବିଶ୍ୱରଂଜନ କହିଥିଲେ ଯେ, “ପ୍ରଫେସର ମିଶ୍ରଙ୍କ ବ୍ୟକ୍ତିତ୍ୱ ତଥା ଲେଖାରେ ସରଳତା ଭରି ରହିଥିଲା । ସେ ତାଙ୍କର ନିଜ ଜନ୍ମସ୍ଥାନ ପୁରୀ ବିଷୟରେ ବହୁତ କିଛି ଲେଖିଛନ୍ତି । ତାଙ୍କର ବିଶ୍ୱାସ ଥିଲା ଯେ ଜଣେ ବ୍ୟକ୍ତି ନିଜର ଅଭିଜ୍ଞତା ଆଉ ପରିବେଶ ନେଇ ଲେଖିବା ଉଚିତ୍ । ଯାହାକୁ ସେ ନିଜ ଲେଖନୀ ମୁନରେ ଶାଣିତ କରିଥିଲେ । ”
ପ୍ରଫେସର ଗଣେଶ୍ୱର ମିଶ୍ର ୨୦୧୫ ମସିହା ଅଗଷ୍ଟ ୯ରେ ମହାପ୍ରୟାଣ ଲାଭ କରିଥିଲେ । ସେ ଓଡ଼ିଆ ଓ ଇଂରାଜୀରେ ୧୦୦ରୁ ଉର୍ଦ୍ଧ୍ବ ବହି ଲେଖିଛନ୍ତି ବା ସମ୍ପାଦନା କରିଛନ୍ତି । ତନ୍ମଧ୍ୟରେ ଅଛି ୬ଟି ଉପନ୍ୟାସ , ୬ଟି ଗଳ୍ପ ସଙ୍କଳନ, ୫ଟି ଭ୍ରମଣ କାହାଣୀ , ୩ଟି ଫିଚର , ୧ଟି କବିତା ସଙ୍କଳନ, ୬ଟି ଅନୁବାଦ ସଙ୍କଳନ, ୧୨ଟି ଶିଶୁ ସାହିତ୍ୟ ଓ ୪ଟି ଜୀବନୀ । ‘ସକାଳର ମୁହଁ’ ଉପନ୍ୟାସ ତାଙ୍କର ବହୁ ଆଲୋଚିତ ଉପନ୍ୟାସ ।
ଏହା ସହିତ ୨୦୦୫- ୨୦୦୭ରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଭାବେ କାର୍ଯ୍ୟନିର୍ବାହ କରିଥିଲେ ପ୍ରଫେସର ଗଣେଶ୍ୱର ମିଶ୍ର । ଓଡ଼ିଆ ‘ଦୈନିକ’ ଖବରକାଗଜର ସେ ଥିଲେ ପ୍ରତିଷ୍ଠା ସମ୍ପାଦକ ।
Comments are closed.