ନୂଆଦିଲ୍ଲୀ: ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଟିମ ସଂଖ୍ୟା ବୃଦ୍ଧି କରିବା ପାଇଁ ଆଲୋଚନା ଆରମ୍ଭ ହୋଇଛି । ଆଇସିସି ୱର୍କିଂ ଗ୍ରୁପ ୯ ବଦଳରେ ୧୨ଟିମ ଖେଳାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଯଦି ଏହା ହୁଏ ତେବେ ଜିମ୍ବାୱେ, ଆୟର୍ଲାଣ୍ଡ ଓ ଆଫଗାନିସ୍ତାନ ଟିମକୁ ସୁଯୋଗ ମିଳିବ । ଆଇସିସି ଗତ ବର୍ଷ ଡବ୍ଲ୍ୟୁଟିସିକୁ ନୂଆ ରୂପରେ ପ୍ରସ୍ତୁତ କରିବା ପାଇଁ ଏକ ୱର୍କିଂ ଗ୍ରୁପ ପ୍ରସ୍ତୁତ କରିଥିଲା । ସେମାନଙ୍କ ପ୍ରସ୍ତାବ ଚିଫ ଏକଜିକ୍ୟୁଟିଭ କମିଟି ନିକଟକୁ ପଠା ଯିବ । ଏହା ପରେ ଆଇସିସି ବୋର୍ଡ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନେବ । ଏବେ ଡବ୍ଲ୍ୟୁଟିସିର ୪ର୍ଥ ସାଇକେଲ ଚାଲିଛି ।
୨୦୨୭-୨୯ ସାଇକେଲ ପର୍ଯ୍ୟନ୍ତ କିନ୍ତୁ ୯ଟିମକୁ ନେଇ ପୂର୍ବଭଳି ମୁକାବିଲା ଚାଲିବ । ମେ ୨୧ରେ ଆଇସିସି ଭର୍ଚୁଆଲ ବୈଠକରେ ଏ ସମ୍ପର୍କରେ ଚର୍ଚ୍ଚା କରାଯିବ । ଏହା ପରେ ମେ ୩୦ରେ ଆଇପିଏଲ ଫାଇନାଲ ମ୍ୟାଚ ଅବସରରେ ଅହମ୍ମଦାବାଦରେ ବୋର୍ଡର ବୈଠକ ହେବ । ଜୁଲାଇରେ ଏଡିନବର୍ଗରେ ହେବାକୁ ଥିବା ବାର୍ଷିକ ବୈଠକରେ ଏ ନେଇ ନିଷ୍ପତି ନିଆଯିବ । ୨୦୨୭ ଡବ୍ଲ୍ୟୁଟିସି ଫାଇନାଲ ଇଂଲଣ୍ଡରେ ଖେଳାଯିବ । ସୂଚନାଯୋଗ୍ୟ ଦୋହାରେ ହେବାକୁ ଥିବା ଆଇସିସି ବୈଠକ ଅହମ୍ମଦାବାଦକୁ ସ୍ଥାନାନ୍ତର ହୋଇଛି । ଏହି ବୈଠକରେ ପିସିବି ଚେୟାରମ୍ୟାନ ମୋହସୀନ ନକଭି ଯୋଗଦେବା ନେଇ ସଂଶୟ ରହିଛି ।