ନୂଆଦିଲ୍ଲୀ: ପୁଣି ଅଡୁଆରେ ଫସିଲା କଂଗ୍ରେସ । ଆମ୍ୱେଦକରଙ୍କ ଉପରେ ଗୃହମନ୍ତ୍ରୀ ଅମିତ୍ ଶାହ ଦେଇଥିବା ଟିପ୍ପଣୀକୁ କଗ୍ରେସ ଭାଇରାଲ କରି ଏବେ ଅଡୁଆରେ ପଡ଼ିଛି । କଂଗ୍ରେସ ସୋସିଆଲ୍ ସାଇଟ୍କୁ ‘ଏକ୍ସ’ ପକ୍ଷରୁ ନୋଟିସ୍ କରାଯାଇଛି । ଆମ୍ବେଦକରଙ୍କ ଉପରେ ପାର୍ଲାମେଣ୍ଟରେ ଅମିତ ଶାହ ଦେଇଥିବା ମନ୍ତବ୍ୟକୁ ‘ଏକ୍ସ’ରେ ଅପଲୋଡ୍ କରିଥିବାରୁ କିଛି କଂଗ୍ରେସ ନେତାଙ୍କୁ ନୋଟିସ୍ ଜାରି କରିଛି ‘ଏକ୍ସ’ ।
ଏନେଇ କଂଗ୍ରେସ ମଧ୍ୟ କହିଛି ତାଙ୍କର ଅନେକ ନେତାଙ୍କୁ ‘ଏକ୍ସ’ ପକ୍ଷରୁ ନୋଟିସ୍ କରାଯାଇଛି । ତେବେ ଏହି ନୋଟିସ୍ ଏମିତି ସମୟରେ ଆସିଛି ଯେତେବେଳେ କି ବିଜେପି ପକ୍ଷରୁ କୁହାଯାଉଛି ଯେ ଶାହଙ୍କ ଭିଡିଓକୁ ଏଡିଟ୍ କରି କଂଗ୍ରେସ ସାମାଜିକ ଗଣମାଧ୍ୟମରେ ସେୟାର କରୁଛି । ଶୁଣିବାକୁ ମିଳୁଛି ଯେ କୁଆଡ଼େ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁରୋଧ କ୍ରମେ ‘ଏକ୍ସ’ ପକ୍ଷରୁ ଏପରି ନୋଟିସ୍ କରାଯାଇଛି ।
ଆମ୍ବେଦକରଙ୍କ ଉପରେ ମନ୍ତବ୍ୟକୁ ନେଇ ବ୍ୟାକଫୁଟରେ ଥିବା ବିଜେପି, ଏହି ଭିଡିଓକୁ ନେଇ କଂଗ୍ରେସ ଉପରେ ବର୍ଷୁଛି । ମଙ୍ଗଳବାର ସମ୍ବିଧାନ ଉପରେ ୯୦ ମିନିଟ୍ ଭାଷଣ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମୂଳରୁ ଶେଷ ଯାଏଁ, କଂଗ୍ରେସକୁ କରି ଚାଲିଥିଲେ ଟାର୍ଗେଟ । ହେଲେ ଟ୍ରାକ୍ ବାହାରକୁ ଚାଲିଯାଇଥିଲା ଗୋଟିଏ ଧାଡ଼ି । ଆଉ ତା ପରେ ପରିସ୍ଥିତି ହୋଇଯାଇଛି ଅସମ୍ଭାଳ ।
ବୁଧବାର ପରେ ଗୁରୁବାର ମଧ୍ୟ କଂଗ୍ରେସ ଓ ତମାମ ବିରୋଧୀ କରିଛନ୍ତି ଜୋରଦାର ବିକ୍ଷୋଭ ପ୍ରଦର୍ଶନ । ଭିଡିଓକୁ ଏଡିଟ୍ କରି କଂଗ୍ରେସ କେନ୍ଦ୍ର ଗୃହମନ୍ତ୍ରୀଙ୍କ ମନ୍ତବ୍ୟକୁ କଦର୍ଥ କରିଛି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରୁଥିବା କହୁଛି ବିଜେପି ।
ସେପଟେ କଂଗ୍ରେସର କହିବା କଥା, ପାର୍ଲାମେଣ୍ଟରେ ଅମିତ ଶାହ ଯାହା କହିଛନ୍ତି ତାହା ରେକର୍ଡରେ ଅଛି, ଦେଶବାସୀ ତାହା ଲାଇଭ୍ ଦେଖିଛନ୍ତି । କଂଗ୍ରେସ ସେୟାର କରିଥିବା ଭିଡିଓରେ ଦେଖାଯାଇଛି ଯେ ଶାହ ଆମ୍ବେଦକର, ଆମ୍ବେଦକର ଏପରି ୬ ଥର କହୁଛନ୍ତି । ଏହା ସହ ସେ ଆହୁରି କହିଛନ୍ତି ଯେ, ସେମାନେ ଯଦି ଏତିକି ଥର ଭଗବାନଙ୍କ ନାଁ ନେଇଥାନ୍ତେ ତେବେ ସ୍ୱର୍ଗରେ ସ୍ଥାନ ମିଳିଥାନ୍ତା । କଂଗ୍ରେସ ଏହି କଥାକୁ ଟାର୍ଗେଟ କରି କହିଛି ଯେ ଶାହ ଆମ୍ୱେଦକରଙ୍କୁ ଅପମାନ କରିଛନ୍ତି । ଏମିତି ଶାହଙ୍କ ଏହି କଥାକୁ ନେଇ ସମଗ୍ର ଦେଶରେ କଂଗ୍ରେସ ଆନ୍ଦୋଳନ କରିବା ମୋଡ଼ରେ ରହିଛି ।
ଏପଟେ ଅମିତ ଶାହଙ୍କ ସମର୍ଥନରେ ସୋସିଆଲ୍ ସାଇଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଇଥିଛନ୍ତି ମନ୍ତବ୍ୟ । ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ପରେ ନିଜେ ଅମିତ ଶାହ ଗତକାଲି କରିଛନ୍ତି ପ୍ରେସମିଟ୍ । ହେଲେ ପ୍ରସଙ୍ଗ ପ୍ରଶମିତ ହେବା ବଦଳରେ ଅଧିକ ଜଟିଳ ହେବାରେ ଲାଗିଛି । ଆଉ ଉଭୟ ଶାସକ ଓ ବିରୋଧୀଙ୍କ ହାତରେ ଦେଖିବାକୁ ମିଳିଛି ବାବା ସାହେବ ଆମ୍ବେଦକରଙ୍କ ଫଟୋ । ସ୍ବର୍ଗବାସୀ ନେହରୁଙ୍କ ପରେ ଭାରତୀୟ ରାଜନୀତିକୁ ସରଗରମ କରିଛନ୍ତି ଅନ୍ୟତମ ସ୍ବର୍ଗବାସୀ ବାବା ସାହେବ ଆମ୍ବେଦକର ।