Latest Odisha News

BREAKING NEWS

ଚୀନରେ ହେବାକୁ ଯାଉଛି କି କ୍ଷମତା ପରିବର୍ତ୍ତନ?

ନୂଆଦିଲ୍ଲୀ: କୁଆଡେ ଗଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ? ଗତ ଦୁଇ ସପ୍ତାହ ହେଲା ସେ ଅନ୍ତର୍ଜାତୀୟ ଦୃଶ୍ୟପଟ୍ଟରୁ ଗାଏବ ରହିଛନ୍ତି । ୨୦୧୩ ଆରମ୍ଭରୁ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନାର ଦାୟିତ୍ବ ନେବା ପରଠୁ ଲଗାତର ଚର୍ଚ୍ଚାରେ ରହିଛନ୍ତି ଜିନପିଙ୍ଗ । କେତେବେଳେ ପଡୋଶୀ ଦେଶ ସହ ସଂଘର୍ଷକୁ ନେଇ ତ କେତେବେଳେ ଶାନ୍ତି ଅପିଲକୁ, ପୁଣି କେତେବେଳେ ଅତ୍ୟଧିକ ଋଣ ଦେଇ ଜାଲ ବିଛାଇବାକୁ ନେଇ ଜିନପିଙ୍ଗଙ୍କ ନାଁ ଚର୍ଚ୍ଚା ହୋଇଛି । ଏକ ଦଶକରୁ ଅଧିକ ସମୟ ପରେ ପ୍ରଥମ ଥର ପାଇଁ ଗାଏବ ହୋଇଛନ୍ତି ଜିନପିଙ୍ଗ । ସାର୍ବଜନୀନ ଭାବେ ତାଙ୍କୁ ଦେଖିବାକୁ ମିଳିନି । ଏପରିକି କିଛି ଦିନ ପରେ ବ୍ରାଜିଲରେ ହେବାକୁ ଯାଉଥିବା ବ୍ରିକ୍ସ ସମିଟରେବି ଜିନପିଙ୍ଗ ଯୋଗ ଦେଇନପାରନ୍ତି ବୋଲି କୁହାଯାଉଛି । ଏହାପରଠୁ ଚୀନରେ କ୍ଷମତା ପରିବର୍ତ୍ତନ ନେଇ ଜୋରଦାର ଚର୍ଚ୍ଚା ହେଉଛି।

କାହିଁକି ଗାଏବ ଜିନପିଙ୍ଗ?

ମେ ମାସ ଶେଷଠାରୁ ଜିନପିଙ୍ଗଙ୍କୁ ସାର୍ବଜନୀନ ଭାବେ ଦେଖିବାକୁ ମିଳିନି । ନା ସେ କୌଣସି ପରେଡରେ ଯୋଗ ଦେଇଛନ୍ତି, ନା କୌଣସି ଅଭିଭାଷଣ ରଖିଛନ୍ତି ନା ସରକାରୀ ଗଣମାଧ୍ୟମରେ ତାଙ୍କୁ ଦେଖିବାକୁ ମିଳିଛି । ଟପ୍ ଗୁଇନ୍ଦା ଅଧିକାରୀଙ୍କ ସୂତ୍ରରୁ ସିଏନଏନ ରିପୋର୍ଟ ଅନୁସାରେ, ଜିନପିଙ୍ଗଙ୍କ ଅନୁପସ୍ଥିତି ବଡ଼ କଥା ନୁହେଁ । କାରଣ ସେଠାରେ ବଡ଼ ନେତାଙ୍କୁ ସାଇଡଲାଇନ୍ କରିବାର ଇତିହାସ ରହିଛି । କାଗଜପତ୍ରରେ ନାଁ ରହିଥିଲେ ମଧ୍ୟ ଚୁପଚାପ୍ କ୍ଷମତା ହସ୍ତାନ୍ତରଣ ହୋଇଯାଏ । ଜୁନରେ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଗାଏବ ରହିବା ପରେ ବେଲାରୁସ ରାଷ୍ଟ୍ରପତିଙ୍କ ସହ ଖୁବ୍ କମ ସମୟ ପାଇଁ ଦେଖିବାକୁ ମିଳିଥିଲା । ସେତେବେଳେ ବି ଜିନପିଙ୍ଗ ଥକ୍କା ଓ ଅସୁସ୍ଥ ଦେଖାଯାଉଥିବା ବେଲାରୁସ ଗଣମାଧ୍ୟମରେ କୁହାଯାଇଥିଲା ।

ଚୀନରେ କ୍ଷମତା ହସ୍ତାନ୍ତର !

ଜିନପିଙ୍ଗ ହାତରେ କ୍ଷମତା ରହିଲେ ମଧ୍ୟ ନିଷ୍ପତ୍ତି ନେବାର କ୍ଷମତା ଅନ୍ୟ ଆଡେ ଯାଇପାରେ ବୋଲି ଅନୁମାନ କରାଯାଉଛି । ଆଉ ଏଥିପାଇଁ ସେଣ୍ଟ୍ରାଲ ମିଲିଟ୍ରି କମିଶନର ପ୍ରଥମ ଭାଇସ ଚେୟାରମ୍ୟାନ ଜେନେରାଲ ଝାଙ୍ଗ ୟୁକ୍ସିୟାଙ୍କ ନାଁ ଚର୍ଚ୍ଚା ହେଉଛି । ୟୁକ୍ସିୟାଙ୍କ ସମର୍ଥକ ଜିନପିଙ୍ଗଠାରୁ କମ୍ ଶକ୍ତ । ପୂର୍ବରୁ ଜିନପିଙ୍ଗ ନିଜ ବିଚାରଧାରାକୁ ସ୍କୁଲ, କଲେଜର ବହିରେ ସାମିଲ କରି ପିଲାଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଥିଲା । ସେହିପରି ନିକଟରେ କମ୍ୟୁନିଷ୍ଟ ପାର୍ଟି ମୁଖ୍ୟ କରାଯାଇଥିବା ଓ୍ବେଙ୍ଗ ୟାଙ୍ଗଙ୍କ ନାଁ ବି ରେସରେ ରହିଛି । ଯୁବ ଚେହେରା ୟାଙ୍ଗ ଚୀନରେ ସଂସ୍କାରକୁ ନେଇ ବଡ଼ ପରିବର୍ତ୍ତନ କରିପାରନ୍ତି ବୋଲି ଆଶା କରାଯାଉଛି । ବର୍ତ୍ତମାନ ସମୟ ହିସାବରେ ଚୀନକୁ ଆବଶ୍ୟକ ନେତୃତ୍ବ ୟାଙ୍ଗ ଦେଇପାରିବେ ବୋଲି କୁହାଯାଉଛି।

ପୂର୍ବରୁ ଚୀନରେ ଗାଏବ ହୋଇଛନ୍ତି ନେତା

ଚୀନରେ ଅନେକ ଥର ବଡ଼ ନେତାଙ୍କୁ ସାର୍ବଜନୀନ ଭାବେ ଦେଖିବାକୁ ମିଳିନି । ଜିନପିଙ୍ଗଙ୍କ ପୂର୍ବରୁ ରାଷ୍ଟ୍ରପତି ଥିବା ହୁ ଜିନତାଓଙ୍କୁ ୨୦୨୨ରେ କମ୍ୟୁନିଷ୍ଟ ପାର୍ଟିର ସମାରୋହ ପାଳନ ବେଳେ ସମସ୍ତଙ୍କ ସାମନାରେ ହଲ ବାହାରକୁ ନିଆଯାଇଥିଲା । ପରେ ତାଙ୍କ ଅସୁସ୍ଥତାକୁ କାରଣ କୁହାଯାଇଥିଲା । ଗତ ଦୁଇ ତିନି ବର୍ଷ ମଧ୍ୟରେ ବେଜିଂରେ ପ୍ରତିରକ୍ଷା ମନ୍ତ୍ରୀ, ବିଦେଶ ମନ୍ତ୍ରୀ ଓ ସେନା ଅଧିକାରୀ ଗାଏବ ହୋଇଛନ୍ତି । ପରେ ସେମାନଙ୍କ ନାଁରେ ଦୁର୍ନୀତି ଓ ବିଶ୍ବାସଘାତ ପରି ଆରୋପ ଲାଗିଥିଲା । ସେହିପରି ଅଲିବାବା କମ୍ପାନୀର ଫାଉଣ୍ଡର ଜ୍ୟାକ ମା ସରକାରଙ୍କ ସମାଲୋଚନା କରିବା ପରେ କିଛି ସମୟ ପାଇଁ ଗାଏବ ହୋଇ ଯାଇଥିଲେ। ଫେରିବା ପରେ ସେ ଚୁପ ହିଁ ରହିଛନ୍ତି ।

ଚୀନରେ ନିୟମ ଥିଲା, ରାଷ୍ଟ୍ରପତି ଦୁଇ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ରହିପାରିବେନି । ତେବେ କୋଭିଡ୍ ପୂର୍ବରୁ ଜିନପିଙ୍ଗ ଏହାକୁ ବଦଳାଇ ଦେଇଥିଲେ । ସେ ସାରା ଜୀବନ ଶାସନ କରିବାକୁ ଚାହୁଁଥିବା ସମ୍ବିଧାନରେ ପରିବର୍ତ୍ତନରୁ ସ୍ପଷ୍ଟ ହୋଇଥିଲା । ସେମିତିରେ ବି ଚୀନରେ ରାଷ୍ଟ୍ରପତି ନିର୍ବାଚନରେ ଜନତାଙ୍କର ସିଧାସଳଖ ସଂପୃକ୍ତି ନଥାଏ । କିଏ ଦଳର ନେତୃତ୍ବ ନେବ, ସେନେଇ କ୍ଷମତାରେ ଥିବା କମ୍ୟୁନିଷ୍ଟ ପାର୍ଟିର କଂଗ୍ରେସ ନିଷ୍ପତି ନିଏ । ଯିଏ ଦଳ ଚଳାନ୍ତି, ତାଙ୍କ ହାତରେ ଦେଶର କମାଣ ରହେ । ୨୦୧୩ରେ ସି ଜିନପିଙ୍ଗ ରାଷ୍ଟ୍ରପତି ହୋଇଥିଲେ, ଏହାର କିଛି ମାସ ପୂର୍ବରୁ ତାଙ୍କୁ ଦଳର ମହାସଚିବ ବନାଯାଇଥିଲା । ତେଣୁ ଜିନପିଙ୍ଗ ସାର୍ବଜନୀନ ଭାବେ ଗାଏବ ରହିବା ଚୀନରେ କ୍ଷମତା ପରିବର୍ତ୍ତନ ଆଡକୁ ଇସାରା କରୁଥିବା ଚର୍ଚ୍ଚା ହେଉଛି ।

Comments are closed.