ଭୁବନେଶ୍ବର: ଯାତ୍ରା ପାର୍ଟି ମାଲିକଙ୍କୁ କଳାକାର ପୀୟୁଷ ତ୍ରିପାଠୀ ଅଗ୍ରୀମ ଟଙ୍କା ଫେରାଇ ଦେଇଛନ୍ତି। ଭୁବନେଶ୍ୱରର ଏକ ହୋଟେଲ୍ରେ ଦୁଇ ଯାତ୍ରା ପାର୍ଟି ‘ସୂର୍ଯ୍ୟମନ୍ଦିର’ ଓ ‘ସିଂହବାହିନୀ’ ମାଲିକଙ୍କୁ ସେମାନେ ଦେଇଥିବା ଅଗ୍ରୀମ ୧କୋଟି ୧୫ଲକ୍ଷ ଟଙ୍କା ଫେରାଇ ଦେଇଛନ୍ତି ବୋଲି ପୀୟୁଷ ତ୍ରିପାଠୀ କହିଛନ୍ତି।
ପୀୟୁଷ ପ୍ରକାଶ କରିଛନ୍ତି ଯେ, ଛୋଟ କଥାରୁ ବିବାଦ ହୋଇଥିଲା, ଆଶା କରୁଛି ଏହାର ଅନ୍ତ ହେଲା ବୋଲି । ସ୍ୱାସ୍ଥ୍ୟଗତ ଏବଂ ପାରିବାରିକ ସମସ୍ୟା ଯୋଗୁଁ ବର୍ଷେ ଯାତ୍ରା କରିବି ନାହିଁ। ଯଦି ସିନେମାର ଅଫର ଆସେ ତେବେ ସିନେମା ମଧ୍ୟ କରିବି । ଯେହେତୁ ମୁଁ ଜଣେ କଳାକାର, ଅଭିନୟ କରିବା ମୋର ନିଶା । ୬ ମାସ ମଧ୍ୟରେ ଗାଡିର ସମସ୍ତ ଇନଷ୍ଟଲମେଣ୍ଟ ମୁଁ ଭରିବି, ଗାଡି ମୋ ପାଖରେ ରହିବ ।
ଯାତ୍ରା ମାଲିକ ସଂଘ ସଭାପତି ସ୍ପଷ୍ଟ କରି କହିଛନ୍ତି ଯେ, କଳାକାର ପୀୟୁଷ ତ୍ରିପାଠୀ ଦୁଇ ଯାତ୍ରା ପାର୍ଟି ‘ସୂର୍ଯ୍ୟମନ୍ଦିର’ ଓ ‘ସିଂହବାହିନୀ’ରୁ ନେଇଥିବା ଅଗ୍ରୀମ ପୀୟୁଷ ୧କୋଟି ୧୫ଲକ୍ଷ ଟଙ୍କା ଫେରାଇ ଦେଇଛନ୍ତି। ସୂର୍ଯ୍ୟମନ୍ଦିରକୁ ୬୦ଲକ୍ଷ ଏବଂ ସିଂହବାହିନୀ ୫୫ଲକ୍ଷ ଟଙ୍କା ପୀୟୁଷ ଫେରାଇଛନ୍ତି। ପୀୟୁଷଙ୍କୁ ବ୍ୟାନ କରାଯାଇନାହିଁ। ପାରିବାରିକ ସମସ୍ୟାରୁ ବର୍ଷେ ବିଶ୍ରାମ ନେବେ। ଏନଓସି ନ ଦେବା ଯାଏଁ କଳାକାର ଅନ୍ୟ ଯାତ୍ରା ପାର୍ଟିକୁ ଯାଇପାରିବେ ନାହିଁ।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ବିବାଦ ଘେରରେ ଫସିଥିଲେ ଯାତ୍ରା କଳାକାର ପିୟୁଷ ତ୍ରିପାଠୀ । ଯାତ୍ରାରେ ଅଭିନୟ ପାଇଁ ୫୫ ଲକ୍ଷ ଟଙ୍କା, ଗାଡି ନେଇଥିଲେ । କିନ୍ତୁ ପରେ ମନା କରିଥିଲେ ଉକ୍ତ ଯାତ୍ରା ଅନୁଷ୍ଠାନରେ କାମ କରିବେନି ବୋଲି । ଏପରିକି ଫୋନ କଲେ ରିସିଭ୍ ମଧ୍ୟ କରୁ ନଥିବା ଅଭିଯୋଗ ହୋଇଥିଲା । ପିୟୁଷଙ୍କ ନାଁରେ ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଥିଲେ ଯାତ୍ରା ସିଂହବାହିନୀର ମାଲିକ ସଂଜୀବ ପାଢୀ ।
Comments are closed.