ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ଫଳରେ ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଆଜି ବିଜୁଳି, ଘଡ଼ଘଡ଼ି ପାଇଁ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆସନ୍ତାକାଲି ଶନିବାରଠାରୁ କମିବ ବର୍ଷା ପରିମାଣ। ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।
ତେବେ ସୂଚନା ଅନୁଯାୟୀ, ବର୍ତ୍ତମାନ ମଧ୍ୟପ୍ରଦେଶ ମୁହାଁ ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ବର୍ତ୍ତମାନ ଉତ୍ତର ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶ ଉପରେ କେନ୍ଦ୍ରୀଭୂତ ରହିଛି । ଏହା ପ୍ରଭାବରେ ମହାନଦୀ ଉପରମୁଣ୍ଡ ଓ ଛତିଶଗଡ଼କୁ ଲାଗି ଥିବା ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଜାରି ରହିଛି। ଲଘୁଚାପ ଯୋଗୁଁ ଗତ ୩ ଦିନ ହେଲା ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଛି । ଅନ୍ୟପଟେ ବର୍ଷା ଯୋଗୁଁ ବର୍ତ୍ତମାନ ରାଜ୍ୟର ଏକାଧିକ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ହୀରାକୁଦର ଜଳଭଣ୍ଡାରର ୧୬ଟି ଗେଟ୍ ଖୋଲାଯାଇଛି ।
ପାଣିପାଗ ନିୟାମକ ପ୍ରଭାବରେ ଗତ ୨୪ ଘଣ୍ଟାରେ ୧୮ଟି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବାବେଳେ ଆଉ ୪ଦିନ ରାଜ୍ୟକୁ ବିଜୁଳି ଘଡ଼ଘଡି ସହ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ଗତ ୨୪ଘଣ୍ଟାରେ ରାଜ୍ୟରେ ସ୍ବାଭାବିକଠାରୁ ୧୪୯% ଅଧିକ ବର୍ଷା ହୋଇଛି। ଗୋଟିଏ ସ୍ଥାନରେ ଅତ୍ୟଧିକ ବର୍ଷା ହୋଇଥିବାବେଳେ ୧୦ଟି ସ୍ଥାନରେ ଅତିପ୍ରବଳ ଏବଂ ୨୮ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।
Comments are closed.