Latest Odisha News

BREAKING NEWS

୩ ଯାଏଁ ଛେଚିବ, ୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ୩୧ ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ନେଇ ସତର୍କତା ଜାରି କଲେ ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ବିବେଦୀ । ଏହାର ପ୍ରଭାବରେ ଅଗଷ୍ଟ ୩ ତାରିଖ ଯାଏଁ ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ସୂଚନା ଦିଆଯାଇଛି । ଆସନ୍ତା ୨୪ ଘଣ୍ଟାରେ ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର ଜିଲ୍ଲାରେ ୭୦ ରୁ ୧୧୦ ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ୩୧ ତାରିଖରେ ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ ହୋଇଥିବା ବେଳେ ୩୧ ରୁ ୨ ଯାଏଁ ଛତିଶଗଡ଼ରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ବର୍ଷା ଯୋଗୁ ରାଜ୍ୟରେ ବିଭିନ୍ନ ସ୍ଥାନ ଜଳବନ୍ଦୀ ହୋଇରହିଛି । ନଈ ପୋଖରୀ ଉଛୁଳି ରାସ୍ତାରେ ଚାଲିଲାଣି ପାଣି । ବିଶେଷ କରି ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ମାଲକାନଗିରି-ମୋଟୁ କାଙ୍କୋରକୁଣ୍ଡା ପୋଲ ଉପରେ ପୁଣି ପାଣି ଚାଲୁଥିବାରୁ ଯାତାୟାତ ବିଚ୍ଛିନ୍ନ ହୋଇଛି । ସେହିପରି ଗୋଦାବରୀ ନଦୀ ଫୁଲିବା କାରଣରୁ ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି । କୋରୁକୋଣ୍ଡା ବ୍ଲକ ନାକାମାମୁଡି ବାୟାପଡ଼ା ଘାଟିରେ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ଦେଖିବାକୁ ମିଳିଛି । କୋରାପୁଟ ଲମତାପୁଟ ଓ ନନ୍ଦପୁର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ନନ୍ଦପୁର ବାଲଡା-ରୁକୁବାକାଲାଡି ଗାଁରେ ମାଟି ଅତଡା ଖସି ରାସ୍ତାଅବରୋଧ ହୋଇଛି। ଫଳରେ ନନ୍ଦକା ଓ ଖେମୁଣ୍ଡୁଗୁଡା ପଞ୍ଚାୟତକୁ ଯାତାୟତ ଠପ୍ ହୋଇଯାଇଛି ।

Comments are closed.