ନୂଆଦିଲ୍ଲୀ: ମହାରାଷ୍ଟ୍ର ହେଉ କି ଝାଡଖଣ୍ଡ । ହିନ୍ଦୁତ୍ବ ପିଚରେ ଖୋଲାଖୋଲି ବ୍ୟାଟିଂ କରୁଛି ବିଜେପି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବହୁଚର୍ଚ୍ଚିତ ନାରା ବଟେଙ୍ଗେ ତୋ କଟେଙ୍ଗେ ଉଭୟ ରାଜ୍ୟର ରାଜନୀତିକୁ ବେଶ୍ ସରଗରମ କରିଛି। ମହାରାଷ୍ଟ୍ରରେ ଯୋଗୀଙ୍କ ନାରା ଲଗାଉଛି ବିଜେପି ତ ଝାଡଖଣ୍ଡରେ ବାଂଲାଦେଶୀ ଅନୁପ୍ରବେଶକାରୀ ସଂଖ୍ୟା ବୃଦ୍ଧିକୁ ନିର୍ବାଚନୀ ପ୍ରସଙ୍ଗ କରିଛି । ବିଜେପିର ଏହି ନାରାକୁ ଜୋରଦାର ବିରୋଧ କରୁଛନ୍ତି ବିରୋଧୀ। ତେବେ ସବୁଠୁ ବଡ କଥା ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ସହଯୋଗୀ ଅଜିତ ପାଓ୍ବାର ନିଜ ଦଳକୁ ବିଜେପିର ଏହି କଟ୍ଟର ହିନ୍ଦୁତ୍ବବାଦୀ ନାରାଠାରୁ ଦୂରରେ ରଖିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାଇଛନ୍ତି ନୂଆ ନାରା, ଏକ୍ ହେଁ ତୋ ସେଫ୍ ହେଁ ।
କାହିଁକି ଅଜିତ ଅରାଜି?
ଲୋକସଭା ନିର୍ବାଚନ ପୂର୍ବରୁ ହିଁ ମହାରାଷ୍ଟ୍ରରେ ଦଳବଦଳ ଜୋରଦାର ହୋଇଥିଲା। ବିରୋଧୀ ମହାବିକାଶ ଅଘାଡିରୁ ଅନେକ ନେତା ମହାୟୁତିକୁ ଆସିଥିଲେ । ତେବେ ମୁସଲିମ ନେତାଙ୍କ ପାଇଁ ଅଜିତ ପାଓ୍ବାରଙ୍କ ଏନସିପି ସାଜିଥିଲା ସେଫ୍ ପ୍ୟାସେଜ୍ । ଆଗକୁ ବି ମୁସଲିମ ନେତାଙ୍କ ପାଇଁ ନିଜ ଦଳର ବାଟ ଖୋଲା ରଖିବା ପାଇଁ କଟ୍ଟର ହିନ୍ଦୁତ୍ବ ନାରାରୁ ନିଜକୁ ଦୂରେଇ ଥାଇପାରନ୍ତି ଅଜିତ । ସେହିପରି ଅଧିକ ମୁସଲିମ ଜନସଂଖ୍ୟା ବିଶିଷ୍ଟ ସିଟରେ ହିନ୍ଦୁତ୍ବ ପିଚରେ ଆକ୍ରମଣାତ୍ମକ ବ୍ୟାଟିଂ ବୁମେରାଂ ହୋଇପାରେ । ତେଣୁ ନିଜ ମୁସଲିମ ଭୋଟବ୍ୟାଙ୍କ ସୁରକ୍ଷିତ ରଖିବାକୁ ଅଜିତ ଏଭଳି ମନ୍ତବ୍ୟ ଦେଇଥିବା କୁହାଯାଉଛି । ପ୍ରଥମରୁ ହିଁ ମହାୟୁତି ମେଣ୍ଟରେ ବିଜେପି ବଡ ଭାଇ ଭୂମିକାରେ ରହିଛି । ଏପରିକି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହେଲେ ମଧ୍ୟ ସରକାର ବିଜେପି ଚଳାଉଥିବା ଚର୍ଚ୍ଚା ହୋଇଛି । ତେଣୁ ବଟେଙ୍ଗେ ତୋ କଟେଙ୍ଗେ ନାରାରୁ ନିଜକୁ ଦୂରେଇ ଜନତାଙ୍କ ମଧ୍ୟରେ ରହିଥିବା ଏହି ନାରେଟିଭକୁ କାଉଣ୍ଟର କରିଛନ୍ତି ଅଜିତ ।
ମହାରାଷ୍ଟ୍ରରେ କେତେ ଲାଭ ଦେବ?
ବିଜେପିର ହାର୍ଡକୋର ହିନ୍ଦୁତ୍ବର ପୋଷ୍ଟର ବୟ ରହିଛନ୍ତି ଯୋଗୀ ଆଦିତ୍ୟନାଥ । ତାଙ୍କର ବଟେଙ୍ଗେ ତୋ କଟେଙ୍ଗେ ନାରାକୁ ଆରଏସଏସ ବି ପୂର୍ବରୁ ସମର୍ଥନ କରିଛି । ତେବେ ଏହାକୁ ଖୋଲା ବିରୋଧ କରିଛନ୍ତି ମେଣ୍ଟ ସହଯୋଗୀ ଅଜିତ ପାଓ୍ବାର । ମହାରାଷ୍ଟ୍ର ଶିବାଜୀ, ଆମ୍ବେଦକର, ସାହୁଜୀ ମହାରାଜଙ୍କ ମାଟିରେ ଯୋଗୀଙ୍କ ନାରା ଚାଲିବନି ବୋଲି ଅଜିତ କହିଛନ୍ତି। ସେପଟେ ବିଜେପିର ଏହି ନାରାକୁ ଜୋରଦାର ବିରୋଧ କରିଛନ୍ତି ଏମଭିଏ ନେତା। ବିଜେପିକୁ ବିଭାଜନକାରୀ କହି ଟାର୍ଗେଟ୍ କରିଛନ୍ତି ଖଡଗେ । ସେପଟେ ଉଦ୍ଧବ କହିଛନ୍ତି, କାଟିବ କିଏ? ଏଠି ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ ସମସ୍ତେ ଏକାଠି ରହିଛନ୍ତି । ନିର୍ବାଚନ ଆସିବ, ଯିବ ହେଲେ ଧର୍ମ ଓ ଜାତି ନାଁରେ କେହି ବିଭାଜନର ମଞ୍ଜି ବୁଣିବା ଠିକ୍ ନୁହେଁ ବୋଲି କହି ବିଜେପିକୁ ସମାଲୋଚନା କରିଛନ୍ତି ଶରଦ ପାଓ୍ବାର ।
ଝାଡ଼ଖଣ୍ଡରେ ବି ହିନ୍ଦୁତ୍ବ କାର୍ଡ
କେବଳ ମହାରାଷ୍ଟ୍ର ନୁହେଁ ଆଦିବାସୀ ଭୋଟ୍ ପାଇଁ ଝାଡ଼ଖଣ୍ଡରେ ବି ହିନ୍ଦୁତ୍ବ କାର୍ଡ ଖେଳିଛି ବିଜେପି । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଡେମୋଗ୍ରାଫିରେ ପରିବର୍ତ୍ତନକୁ ପ୍ରମୁଖ ପ୍ରସଙ୍ଗ କରିଛି ଦଳ । ଆଦିବାସୀ ସୁରକ୍ଷାକୁ ଅସ୍ତ୍ର କରି ହେମନ୍ତ ସୋରେନଙ୍କ ବିରୋଧରେ ଚଳାଉଛି ବିଜେପି । ତେବେ ବିଜେପିର ଏହି ନାରାକୁ ଜେଏମଏମ ଜୋରଦାର ବିରୋଧ କରିଛି । ନା ବାଣ୍ଟି ହୋଇଛନ୍ତି ନା ବାଣ୍ଟି ହେବେ ତେବେ ବିଜେପି ଲୋକ ନିର୍ବାଚନରେ ମାଡ ଖାଇବେ ବୋଲି ହେମନ୍ତ କହିଛନ୍ତି । ସାନ୍ତାଳ ପ୍ରଗଣାରେ ଆଦିବାସୀ ଯୁବତୀଙ୍କୁ ବିବାହ କରି ବାଂଲାଦେଶୀ ଅନପ୍ରବେଶକାରୀ ଆଦିବାସୀଙ୍କ ଅଧିକାର ଛଡାଉଥିବା ବିଜେପି କହୁଛି । ଏହାକୁ ହିଁ ପ୍ରସଙ୍ଗ କରି ଏଥର ଇଣ୍ଡିଆ ମେଣ୍ଟର ଆଦିବାସୀ ଭୋଟବ୍ୟାଙ୍କ ଭାଙ୍ଗିବାକୁ ଉଦ୍ୟମ କରୁଛି ଦଳ ।
ପୂର୍ବରୁ ହରିୟାଣାରେ ବିଜେପିକୁ ଲାଭ ଦେଇସାରିଛି ବଟେଙ୍ଗେ ତୋ କଟେଙ୍ଗେ ନାରା। ୧୪ଟି ସିଟରେ ଯୋଗୀ ପ୍ରଚାର କରିଥିବା ବେଳେ ୯ଟିରେ ଜିତିଛି ବିଜେପି । ତେଣୁ ସମାନ ଫର୍ମୁଲା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଆପଣାଇଛି ବିଜେପି । ତେବେ ଏହି ଦୁଇ ରାଜ୍ୟର ପ୍ରସଙ୍ଗ ଓ ଭୋଟର ହରିୟାଣାଠାରୁ ଭିନ୍ନ । ଭାରତ ଭଳି ଧର୍ମନିରପେକ୍ଷ ରାଷ୍ଟ୍ରରେ ଏଭଳି କଟ୍ଟର ହିନ୍ଦୁତ୍ବ ଆଭିମୁଖ୍ୟକୁ ଗ୍ରହଣ କରିନପାରନ୍ତି ଜନତା। ବିରୋଧୀ ଏହାକୁ ବିଭାଜନକାରୀ କହୁଥିବା ବେଳେ ଲୋକଙ୍କ ମତ କଣ, ତାହା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଜଣାପଡିବ ।
Comments are closed.