ନ୍ୟୁୟର୍କ : କିଛି ଖାଦ୍ୟ ଖାଇବା ସମୟରେ ସମସ୍ତେ ଯତ୍ନର ସହକାରେ ଖାଇଥାନ୍ତି । ଯଦି କେହି ନକଲି ଦାନ୍ତ ଲଗାଇଛନ୍ତି , ତେବେ ସେମାନେ କୌଣସି କଠିନ ଖାଦ୍ୟ ବା ଚଟାପଟ ଖାଦ୍ୟ ଖାଇବାରୁ ଦୂରେଇ ରହିବାକୁ ଦନ୍ତ ଚିକିତ୍ସକମାନେ ପରାମର୍ଶ ଦେଇଥାନ୍ତି । କାରଣ ଦାନ୍ତ ନଷ୍ଟ ହେବାର ଆଶଙ୍କା ରହିଥାଏ । ଆମେରିକାର ଜଣେ ଯୁବକ ଖାଦ୍ୟ ଖାଇବା ସମୟରେ ନକଲି ଦାନ୍ତକୁ ବି ଖାଇ ଦେଇଛନ୍ତି । ଫଳରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି ।
ଆମେରିକାର ୱିସକନ୍ସିନର ଜଣେ ୨୨ ବର୍ଷୀୟ ଯୁବକଙ୍କ ଦାନ୍ତ ନଷ୍ଟ ହୋଇଯାଇଥିଲା । ତେଣୁ ସେ ନକଲି ରୂପା ଦାନ୍ତ ଲଗାଇଥିଲେ । କିନ୍ତୁ ଦିନେ ସେ ଖାଦ୍ୟ ଖାଉଥିବା ସମୟରେ ତାଙ୍କର ନକଲି ଦାନ୍ତ ବାହାରି ଯାଇଥିଲା । ହେଲେ ସେ ଜାଣି ନ ପାରି ଖାଦ୍ୟ ସହିତ ଖାଇଦେଲେ । ଫଳରେ ଦାନ୍ତଗୁଡ଼ିକ ସବୁ ତାଙ୍କ ଗଳାରେ ଫସି ରହିଲା । ଧୀରେ ଧୀରେ ତାଙ୍କ ଦାନ୍ତ ଭିତରକୁ ଯିବାରୁ ସେ ନିଶ୍ୱାସ ନେବାରେ ଅସୁବିଧା ହେବାସହ ଶ୍ୱାସରୁଦ୍ଧ ହେବାକୁ ଲାଗିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ସଙ୍ଗେ ସଙ୍ଗେ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କଲେ ।
ଯେତେବେଳେ ଡାକ୍ତରମାନେ ଏକ୍ସ-ରେ କରିଥିଲେ, ସେମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦାନ୍ତଟି ଗଳାରେ ବିପଦଜନକ ଭାବେ ଲାଗି ରହିଥିଲା । ଡ଼ାକ୍ତରମାନେ ଏକ ଟ୍ୟୁବ୍ ଭର୍ତ୍ତି କରି ଏହାକୁ କାଡିବାକୁ ଚେଷ୍ଟା କରିବାରୁ ଦାନ୍ତଗୁଡ଼ିକ ଭିତରକୁ ଚାଲିଗଲା । ପରେ ଅପରେସନ କରି ଦାନ୍ତକୁ ବାହାର କରିବାରେ ସକ୍ଷମ ହୋଇଥିଲେ ଡ଼ାକ୍ତରମାନେ । ଯଦି ଏହା ଆଉ କିଛି ସମୟ ବିଳମ୍ବ ହୋଇଥାନ୍ତା, ତେବେ ସେ ଶ୍ୱାସରୁଦ୍ଧ ହୋଇ ନିଶ୍ଚିତ ମୃତ୍ୟୁ ବରଣ କରିଥାନ୍ତେ ବୋଲି ଡ଼ାକ୍ତରମାନେ କହିଛନ୍ତି । ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏପରି ବହୁ ଘଟଣା ଦେଖିବାକୁ ମିଳିଛି ।
Comments are closed.