ପାଲା ଗାୟକଙ୍କର ମୁଖ୍ୟ ସହଯୋଗୀ ହେଉଛନ୍ତି ବାୟକ । ବାୟକ ଉପଯୁକ୍ତ ନହେଲେ ଜଣେ ଗାୟକ ଉଚ୍ଚକୋଟୀର ଗାୟନ କରିବାରେ ସଫଳ ହୋଇପାରିନଥାନ୍ତି । ବହୁ ବିଶିଷ୍ଟ ଗାୟକଙ୍କ ପାଖରେ ବାୟକ ଭାବେ ବାଦ୍ୟ ପରିବେଷଣ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଯୁବ ବାୟକ ମନୋଜ କୁମାର ମହାପାତ୍ର । ଅଳ୍ପ ବୟସରୁ ଗାୟକ ସମ୍ରାଟ୍ ପ୍ରହଲ୍ଲାଦ ସାହୁଙ୍କ ସହିତ ବାଦ୍ୟ ପରିବେଷଣ କରିବାର ସୌଭାଗ୍ୟ ସେ ପାଇଥିଲେ । ବର୍ତ୍ତମାନ ରାଜ୍ୟର ସୁପ୍ରତିଷ୍ଠିତ ବାୟକମାନଙ୍କ ମଧ୍ୟରେ ସେ ଅନ୍ୟତମ ।
୧୯୮୬ ମସିହା ଏପ୍ରିଲ ୨୩ ତାରିଖରେ ଖୋର୍ଦ୍ଧା ଜିଲ୍ଲା ସିମୋର ଅଞ୍ଚଳର ଗଁପୁର ଗ୍ରାମରେ ମନୋଜଙ୍କ ଜନ୍ମ । ବାପା ଲକ୍ଷ୍ମୀଧର ମହାପାତ୍ର ଏବଂ ମାଆ ଅନସୂୟା ମହାପାତ୍ର । ଦୁଇ ଭାଇଙ୍କ ମଧ୍ୟରେ ମନୋଜ ହେଉଛନ୍ତି ବଡ଼ । ବାପା ଜଣେ ସଂକୀର୍ତ୍ତନ କଳାକାର, ଯାହାର ପ୍ରଭାବ ପଡ଼ିଥିଲା ମନୋଜଙ୍କ ଉପରେ । ବିଶେଷ କରି ସେ ବାଦ୍ୟ ବଜାଇବା ପ୍ରତି ବେଶୀ ଆଗ୍ରହୀ ଥିଲେ । ତୃତୀୟ ଶ୍ରେଣୀରେ ପଢ଼ିବା ବେଳେ ମନୋଜ ସ୍କୁଲ ଡେସ୍କରେ ବାଦ୍ୟ ବଜାଇ ଶିକ୍ଷକଙ୍କଠାରୁ ମାଡ଼ ଖାଇଥିଲେ । ପୁରୁଣା ନଡ଼ା ଛପର ଖରର ବାଉଁଶ ଖୁଣ୍ଟରେ ମଧ୍ୟ ସେ ବାଦ୍ୟ ବଜାଉଥିଲେ । ପୁଅର ବାଦ୍ୟ ପ୍ରତି ଥିବା ଆଗ୍ରହ ଦେଖି ବାପା ତାଙ୍କୁ ଉତ୍ସାହିତ କରିଥିଲେ ।
ମନୋଜ ପ୍ରଥମେ ଶ୍ରୀକୃଷ୍ଣ ଲୀଳା ଏବଂ ନଦିଆ କୀର୍ତ୍ତନରେ ବାଦ୍ୟ ବଜାଇଥିଲେ । ପରେ ବିଧିବଦ୍ଧ ଭାବେ ମୃଦଙ୍ଗ ବାଦନ ଶିଖିଲେ । ପ୍ରଥମେ ଜୟକୃଷ୍ଣ ତ୍ରିପାଠୀଙ୍କୁ ସେ ଗୁରୁ କରିଥିଲେ, ପରେ ଗଣେଶ ମହାପାତ୍ରଙ୍କୁ ଗୁରୁ କରି ସେମାନଙ୍କଠାରୁ ମୃଦଙ୍ଗ ବାଦନର ବିଭିନ୍ନ କଳାକୌଶଳ ଶିଖିଲେ । ମନୋଜଙ୍କ ପାଲା ଜୀବନ ଆରମ୍ଭ ହୋଇଥିଲା ଗାୟକ ବିପିନ ଜେନାଙ୍କ ସହିତ । ୨୦୦୧ ମସିହାରେ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ବାୟକ ଭାବେ ବାଦ୍ୟ ପରିବେଷଣ କରିଥିଲେ ।
୨୦୦୬ ମସିହାରେ କଟକ ତିଗିରିଆ ଶାସନରେ ବାଦିପାଲା ଆୟୋଜନ ହୋଇଥିଲା ପ୍ରହଲ୍ଲାଦ ସାହୁ ଏବଂ ଅଭୟ ସ୍ୱାଇଁଙ୍କ ମଧ୍ୟରେ । ସେ ସମୟରେ ଅଭୟ ସ୍ୱାଇଁଙ୍କ ବାୟକ ଥିଲେ ପବିତ୍ର ସୁନ୍ଦରାୟ । ତେବେ ଶାଳୀର ବାହାଘର ଥିବାରୁ ମନୋଜଙ୍କୁ ସାଥିରେ ନେବା ପାଇଁ ଅଭୟ ସ୍ୱାଇଁଙ୍କୁ ପ୍ରସ୍ତାବ ଦେଇଥିଲେ ପବିତ୍ର । ତାଙ୍କ ପରାମର୍ଶ ଅନୁସାରେ ମନୋଜ ବାଦିପାଲାକୁ ଯାଇଥିଲେ । ସେଠାରେ ମନୋଜଙ୍କ ବାଦ୍ୟ ପରିବେଷଣ ଦେଖି ପ୍ରହଲ୍ଲାଦ ସାହୁ ଖୁସି ହୋଇଥିଲେ । ପରବର୍ତ୍ତୀ ସମୟରେ ବେଗୁନିଆ ନିକଟ ବଡ଼ପଦର ଗାଁରେ ଏକ ମାନସିକ ପାଲାକୁ ମନୋଜଙ୍କୁ ସାଥିରେ ନେଇଥିଲେ ପ୍ରହଲ୍ଲାଦ ସାହୁ । ତାପରେ ନୟାଗଡ଼ ଟ୍ରାଫିକ ଛକ ବାଦିପାଲାରେ ପ୍ରହଲ୍ଲାଦ ସାହୁଙ୍କ ସହିତ ମନୋଜ ଯାଇଥିଲେ । ସେଠାରେ ପାଲା ଦେଖୁଥିଲେ ପ୍ରଖ୍ୟାତ ବାୟକ ଗୋବର୍ଦ୍ଧନ ବେହେରା । ସେ ସାହୁଙ୍କ ବସା ଘରକୁ ଯାଇ ମନୋଜଙ୍କର ପ୍ରଶଂସା କରିଥିଲେ । ଏହି ପିଲାଟିର ଭବିଷ୍ୟତ ଉଜ୍ଜ୍ୱଳ, ଏହାକୁ ଛାଡ଼ିବ ନାହିଁ ବୋଲି ସାହୁ ମହୋୟଦଙ୍କୁ ଗୋବର୍ଦ୍ଧନ ବେହେରା କହିଥିଲେ । ତା ପରେ ଦୀର୍ଘ ବର୍ଷ ଧରି ସାହୁଙ୍କ ସହିତ ବାଦ୍ୟ ପରିବେଷଣ କରିଥିଲେ ମନୋଜ ମହାପାତ୍ର ।
ପ୍ରହଲ୍ଲାଦ ସାହୁଙ୍କ ସହିତ ବିଶିଷ୍ଟ ଗାୟକ ଜଗନ୍ନାଥ ବାରିକ, ଅଭୟ ସ୍ୱାଇଁ, ପ୍ରଫୁଲ୍ଲ ଷଡ଼ଙ୍ଗୀଙ୍କ ସହିତ ମଧ୍ୟ ବାୟକ ଭାବେ ମନୋଜ ବାଦ୍ୟ ପରିବେଷଣ କରିଥିଲେ । ମନୋଜ ବର୍ତ୍ତମାନ ବିଶିଷ୍ଟ ଗାୟକ ପ୍ରଫୁଲ୍ଲ କୁମାର ଦାସଙ୍କ ସହିତ ରହିଛନ୍ତି ।
ଅଲ୍ ଇଣ୍ଡିଆ ରେଡିଓରେ ଜଣେ ସ୍ୱୀକୃତି ପ୍ରାପ୍ତ କଳାକାର ହେଉଛନ୍ତି ମନୋଜ ମହାପାତ୍ର । ପ୍ରତିବର୍ଷ ସେ ରେଡିଓରେ ମୃଦଙ୍ଗ ପରିବେଷଣ କରି ଶ୍ରୋତାଙ୍କ ମନ ଜିଣୁଛନ୍ତି । ଉଚ୍ଚକୋଟିର ମୃଦଙ୍ଗ ବାଦନ ପାଇଁ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମନୋଜଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ ।
Comments are closed.