Latest Odisha News

BREAKING NEWS

ପୌରପାଳିକା ଅଧିକାରୀଙ୍କୁ ନିଆଁ ଲଗାଇବା ଅଭିଯୋଗରେ ଯୁବକ ଗିରଫ

କେନ୍ଦୁଝର: କେନ୍ଦୁଝର ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ନିଆଁ ଲଗାଇଦେବା ଉଦ୍ୟମ ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ବଡବିଲ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ଥିବା ଅଧିକାରୀଙ୍କ ଚେମ୍ବରରେ ଏହି ଘଟଣା ଘଟିଛି।

ବଡବିଲ ବଜାରର ଅଭିଷେକ ଗୁପ୍ତା ନାମକ ଏହି ଅଭିଯୁକ୍ତ ତାଙ୍କ ଘର ସମ୍ମୁଖରେ ଜବରଦଖଲ ପ୍ରସଙ୍ଗରେ ଆଲୋଚନା କରିବାକୁ ଚେମ୍ବର ଭିତରକୁ ପଶିଥିଲେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁପ୍ତା ହଠାତ୍ ନିଜ ବ୍ୟାଗରୁ ପେଟ୍ରୋଲ ବୋତଲ ବାହାର କରି କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ଉପରେ ଢାଳି ଦେଇଥିଲେ।

ଗୁପ୍ତା ଲାଇଟରରେ ପେଟ୍ରୋଲ ଜାଳିବା ପୂର୍ବରୁ ଅଭିଷେକ ପଣ୍ଡା ଚେମ୍ବରରୁ ଖସି ଆସିଥିଲେ। ପରେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ପରେ କାର୍ଯ୍ୟାଳୟର ଅଧିକାରୀମାନେ ପହଞ୍ଚି ଗୁପ୍ତାଙ୍କୁ ଧରିବା ପରେ ପୁଲିସକୁ ହସ୍ତାନ୍ତର କରିଥିଲେ। ଏନେଇ ଶ୍ରୀ ପଣ୍ଡା ବଡବିଲ ଥାନାରେ ବିଧିବଦ୍ଧ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଗୁପ୍ତା ପୂର୍ବରୁ ତାଙ୍କ ବାସଭବନ ସମ୍ମୁଖରେ ସରକାରୀ ଜମିରେ ବେଆଇନ ଦୋକାନ ନିର୍ମାଣ ହୋଇଥିବା ନେଇ ପୌରପାଳିକାରେ ଅଭିଯୋଗ କରିଥିଲେ। ଏହି ଦୋକାନଗୁଡ଼ିକ ତାଙ୍କ ପରିବାରପାଇଁ ଅସୁବିଧା ସୃଷ୍ଟି କରୁଛି ଏବଂ ସେ ଏହାକୁ ଉଚ୍ଛେଦ କରିବାକୁ ଅନୁରୋଧ କରିଥିଲେ ବୋଲି ସେ ଦାବି କରିଥିଲେ। ତେବେ ତାଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହାପରେ ରାଗିଯାଇ ଏଭଳି କିଛି ପଦକ୍ଷେପ ନେଇଥିବା ଅଭିଯୋଗ ରହିଛି।

Leave A Reply

Your email address will not be published.