Latest Odisha News

ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା, ୫ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ଜିଲ୍ଳାପାଳ

ନବରଙ୍ଗପୁର: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତିମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଜିଲ୍ଲାର ୧୦ଟି ବ୍ଲକ ସମେତ ୨ଟି ପୌରପାଳିକାର ନିଯୁକ୍ତି ଆଶାୟୀ ଯୁବବର୍ଗ ଯୋଗ ଦେଇଥିଲେ । ୫୦୦ରୁ ଉର୍ଦ୍ଧ୍ବ ବେକାର ଯୁବକ ଯୁବତୀ ଆସି ଏଠାରେ ପଞ୍ଜିକୃତ କରିଥିଲେ । ଏହି ମେଳାରେ ୭ଟି ତାଲିମ ଦାତା ଓ ୧୭ଟି ନିଯୁକ୍ତି ଦାତା ସଂସ୍ଥା ଅଂଶଗ୍ରହଣ କରିଥିଲେ ।

୧୮ ବର୍ଷରୁ ଉର୍ଦ୍ଧ୍ବ ବୟସର ଓ ସର୍ବନିମ୍ନ ଅଷ୍ଟମ ଶ୍ରେଣୀ ପାସ କରିଥିବା ଯୁବକ ଯୁବତୀଙ୍କୁ ଏହି ମେଳାରେ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଦିନ ଦୟାଲ ଉପାଧ୍ୟାୟ, ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା, ଗ୍ରାମୀଣ ସ୍ୱରାଜ ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ, ହିନ୍ଦୁସ୍ତାନ କର୍ପୋରେସ ଲିମିଟେଡ଼ ବ୍ୟତୀତ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ସଂସ୍ଥାରେ କର୍ମ ନିଯୁକ୍ତି ନିମନ୍ତେ ଆଶାୟୀଙ୍କ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

ଏହି ମେଳାକୁ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଉଦଘାଟନ କରିଥିଲେ । ଜିଲ୍ଲା କର୍ମ ନିୟୋଜିତ ଅଧିକାରୀ ତତ୍ୱମସି ମହାପାତ୍ର, ଓରମାସର ଉପନିର୍ଦ୍ଦେଶକ ଉମା ମହେଶ, ନବରଙ୍ଗପୁର ତହସିଲଦାର ରବିନ୍ଦ୍ର ରାଉତ ଓ ଉପ ଶ୍ରମ ଅଧିକାରୀ ଗୋପାଳ ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ୫ଜଣଙ୍କୁ ନିଯୁକ୍ତି ପତ୍ର ଜିଲ୍ଳାପାଳ ପ୍ରଦାନ କରିଥିଲେ ।

Comments are closed.