ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଯୁବକଙ୍କୁ ବୀଭତ୍ସ ହତ୍ୟା। ରସୁଲଗଡ଼ ଛକରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲେ ଦୁର୍ବୃତ୍ତ। ଅନ୍ୟପଟେ ଭୁବନେଶ୍ୱରରେ ଆଜିଠୁ ପ୍ରବାସୀ ଭାରତୀୟ ସମ୍ମିଳନୀ । ଏଥିପାଇଁ ଭୁବନେଶ୍ୱରର ଛକ ଛକରେ ଜଗିଛନ୍ତି ପୋଲିସ ଏବଂ ସୁରକ୍ଷାକର୍ମୀ। ହେଲେ ଏତେ କଡ଼ା ସୁରକ୍ଷା ମଧ୍ୟରେ ବି ରାଜଧାନୀରେ ଥମୁନି ଅପରାଧୀଙ୍କ ଆତଙ୍କରାଜ। ବିଳମ୍ବିତ ରାତିରେ ରସୁଲଗଡ଼ ଛକରେ ଯୁବକଙ୍କ ମୁଣ୍ଡ କାଟି ଦେଲେ ଦୁର୍ବୃତ୍ତ।
ମୃତ ଯୁବକଙ୍କ ପରିଚୟ ମିଳିନି। ବେକ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ସୂଚନା ରହିଛି। କିଏ ଓ କାହିଁକି ବୀଭତ୍ସ ଭାବେ ହତ୍ୟା କଲା ତାହାର କାରଣ ଅସ୍ପଷ୍ଟ ରହିଛି। ସୂଚନା ଅନୁସାରେ ବିଳମ୍ବିତ ରାତିରେ ରସୁଲଗଡ଼ ଛକରେ ଜଣେ ଯୁବକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି । ଏକ ଧାରୁଆ ଅସ୍ତ୍ରରେ କେହି ତାଙ୍କୁ ହତ୍ୟା କରିଥିବା ସୂଚନା ରହିଛି । ମୃତ ଯୁବକଙ୍କ ମୁଣ୍ଡ କଟା ହୋଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାର ଦେଖିବାକୁ ମିଳିଛି ।
ବର୍ତ୍ତମାନ ଯାଏଁ ଯୁବକଙ୍କ ପରିଚୟ ମିଳିନାହିଁ। ମଞ୍ଚେଶ୍ୱର ଥାନା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି। ପୋଲିସର ପ୍ରାଥମିକ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାର ପ୍ରକୃତ କାରଣ ଏବଂ କେମିତି ହତ୍ୟା ହୋଇଛି, ତାହା ଜଣାପଡିବ।