ବଲାଙ୍ଗୀର: ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ଶନିବାର ଦିନ ବଲାଙ୍ଗୀରରେ ସେତୁ ଉଦଘାଟନ କରିବାକୁ ଯାଇଥିବା ତିନି ଜଣ ମନ୍ତ୍ରୀଙ୍କ ଆଗରେ ଯୁବ କଂଗ୍ରେସ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଛି।
ମନ୍ତ୍ରୀ ଟୁକୁନି ସାହୁ, ପ୍ରୀତିରଞ୍ଜନ ଘଡେଇ ଓ ସାରଦା ପ୍ରସାଦ ନାୟକ ଟିଟିଲାଗଡ଼ସ୍ଥିତ ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜିଲ୍ଲାକୁ ଯାଇଥିଲେ। ଏହି କାର୍ୟ୍ୟକ୍ରମରେ ଯୋଗଦେବା ପରେ ତିନି ଜଣ ମନ୍ତ୍ରୀ ଜିଲ୍ଲାର ପରସରା ପଞ୍ଚାୟତରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ 3ଟି ପୋଲର ଶିଳାନ୍ୟାସ ଦିଗରେ ଅଗ୍ରସର ହୋଇଥିଲେ।
ବାଟରେ ଯୁବ କଂଗ୍ରେସର କିଛି ସଦସ୍ୟ ମନ୍ତ୍ରୀଙ୍କ କାରକେଡ୍ ଆଗରେ କଳାପତାକା ପ୍ରଦର୍ଶନ କରିଥିଲେ। ଟିଟିଲାଗଡ଼ ପ୍ରତି ଅବହେଳା ଓ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ହାତକୁ ନେବାରେ ବିଫଳ ହୋଇଥିବାରୁ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।
ଯୁବ କଂଗ୍ରେସ ସଦସ୍ୟମାନେ କହିଛନ୍ତି ଯେ, ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଜଳସେଚନ ସୁବିଧା ପାଇଁ ଦାବି ସତ୍ତ୍ୱେ ସରକାର ନଦୀ ଉପରେ ପ୍ରସ୍ତାବିତ ବ୍ୟାରେଜକୁ କୃଷ୍ଣୁଦା ଠାରେ ସ୍ଥାନାନ୍ତର କରିଥିଲେ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଫସଲ ବୀମା ଓ ନୂତନ ବସଷ୍ଟାଣ୍ଡ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।
ସେହିପରି ଯୁବ କଂଗ୍ରେସ କର୍ମୀମାନେ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି ଦୋହରାଇଛନ୍ତି। କିନ୍ତୁ ପୁଲିସ ଆନ୍ଦୋଳନକାରୀ କଂଗ୍ରେସ କର୍ମୀଙ୍କୁ ଘଉଡ଼ାଇବା ପରେ ମନ୍ତ୍ରୀମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଚାଲିଯାଇଥିଲେ।
Comments are closed.