Latest Odisha News

BREAKING NEWS

କଟକ: ‘ମୋମୋ’ ଖେଳରୁ ଜୀବନ ଗଲା, ଫାଶିଦେଇ ଯୁବକ ମୃତ

କଟକ: ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ସୋସିଆଲ ମିଡ଼ିଆରେ ଚର୍ଚ୍ଚିତ ମୋମୋ ଖେଳ ନଖେଳିବାକୁ ଗତ ସପ୍ତାହରେ ସତର୍କ ରହିବାକୁ ସଚେତନତା ମୂଳକ ନିର୍ଦ୍ଦେଶ ଜାରି କରିଥିଲେ । ସରକାର ଏହି ଖେଳ ନଖେଳିବାକୁ ଯେତେ ବାରଣ କରୁଥିଲେ ମଧ୍ୟ ଯୁବଗୋଷ୍ଠୀ ଏହି ମରଣାନ୍ତକ ଖେଳ ‘ମୋମୋ’ ଜାଲରେ ଫସୁଛନ୍ତି । କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଉମର ଗ୍ରାମରେ ବୁଧବାର ଦିନ ଜଣେ ଯୁବକଙ୍କ ଝୁଲନ୍ତା ଶବ ଏକ ନିର୍ମାଣାଧିନ କ୍ଲବ ଘରୁ ଉଦ୍ଧାର ହୋଇଛି । ଯୁବକ ଜଣକ ଏହି ମାରାତ୍ମକ ମୋମୋ ଗେମ୍ ଖେଳି ଫାଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ମୃତକ ଯୁବକ ଜଣକ ହେଲେ ମାହାଙ୍ଗା ଅନ୍ତର୍ଗତ ଉମର ଗାଁ’ର ଉମାକାନ୍ତ ବେହେରା ।

ଉମାକାନ୍ତଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପରିବାର ଲୋକେ ଘଟଣାସ୍ଥଳକୁ ତୁରନ୍ତ ଯାଇଥିଲେ । ଉକାକାନ୍ତଙ୍କ ମୃତ ଶରୀର ନିକଟରେ ଇଣ୍ଟରନେଟରେ ଏହି ମାରାତ୍ମକ ମୋମୋ ଚ୍ୟାଲେଞ୍ଜ୍ ଖେଳ ଡ଼ାଉନଲୋଡ଼ ହୋଇ ରହିଥିବା ଦେଖିଥିଲେ ।

ମୃତ ଉମାକାନ୍ତଙ୍କ ପରିବାର ଲୋକେ ମାହାଙ୍ଗା ଥାନାରେ ମୋମୋ ଖେଳି ଜୀବନ ହାରିଥିବାର ଏକ ଅଭିଯୋଗ ଦାୟର କରିଛନ୍ତି ।

ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ, ମୃତ ଉମାକାନ୍ତ ଚେନ୍ନାଇରେ ରହୁଥିଲେ ଏବଂ ଗତ ୨ମାସ ହେଲା ସେ ଘରକୁ ଆସିଥିଲେ ।

ଦୁଇଦିନ ପୂର୍ବରୁ ସ୍କୁଲପିଲାମାନଙ୍କୁ ଏହି ଘାତକ ମୋମୋ ଖେଳ ନଖେଳିବାକୁ ଏବଂ ଏନେଇ ସତର୍କତା ମୂଳକ ଏକ ଏମର୍ଜେନ୍ସି ପୋଲିସ କଲ୍ ‘ଆପଣଙ୍କ ପୋଲିସକୁ ଜାଣନ୍ତୁ’ ଏହି ସପ୍ତାହରେ ଲଞ୍ଚ୍ କରିବାକୁ ଟ୍ୱିନ ସିଟି ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ପୋଲିସ ଷ୍ଟେସନରେ ୪୫ ମିନିଟରୁ ଏକ ଘଣ୍ଟା ବ୍ୟାପି ଛାତ୍ରମାନଙ୍କୁ ଏହି ବିପଦପୂର୍ଣ୍ଣ ଖେଳ ସମ୍ପର୍କରେ ଅବଗତ କରାଯିବାର ନିଷ୍ପତି ନେଇଥିବା କଥା ପୋଲିସ କମିଶନର କହିଛନ୍ତି ।

ଏହି ମାସ ଆରମ୍ଭରୁ ହିଁ ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ଖେଳର ଭୟାବହତା ତଥା ଖେଳ ନଖେଳିବାକୁ କି କି ପଦକ୍ଷେପ ନେବା ଉଚିତ ସେନେଇ ଅଭିଭାବକ ମାନଙ୍କ ଲାଗି ଏକ ପରାମର୍ଶ ସୂଚୀ ପ୍ରକାଶ କରିଥିଲେ ।

କ୍ରାଇମ ବ୍ରାଞ୍ଚର ସୂଚନାନୁଯାୟୀ ଏହି ମୋମୋ ଖେଳ ଏକ ଅଜଣା ନମ୍ବରରୁ ଆସିଥାଏ । ଏହାର ପ୍ରୋଫାଇଲ୍ ଫଟୋରେ ଗୋଟିଏ ଝିଅର ବଡ଼ପାଟି ଥିବା ଏବଂ ବଡ଼ ଆଖି ରହିଥାଏ । ହ୍ୱାଟ୍ସଆପ୍ ବ୍ୟବହାର କରୁଥିବା ନୀରିହ ବ୍ୟକ୍ତି ଓ କୋମଳମତି ଛାତ୍ରଛାତ୍ରୀଙ୍କୁ ଏହି ନମ୍ବର ମୋମୋ ଖେଳିବାକୁ ଏକରକମ ବାଧ୍ୟ କରିଥାଏ । ଖେଳ ଶେଷ ନିୟମ ଅନୁସାରେ ଖେଳାଳି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଏ ।
ମୋମୋ ଖେଳିବାକୁ ଏକ ଅଜଣା ନମ୍ବରରୁ ଫୋନ ଆସିଥାଏ । ଏହି ଫୋନ ନମ୍ବରକୁ ମୋବାଇଲରୁ ତୁରନ୍ତ ଡ଼ିଲିଟ୍ କରିଦେବା ଆବଶ୍ୟକ ।

ହ୍ୱାଟ୍ସଆପ୍ରେ ବ୍ଲୁ ହ୍ୱେଲ୍ ଗେମ୍ କେବଳ ଓଡ଼ିଶା ନୁହେଁ ସାରା ଭାରତ ଓ ପୃଥିବୀର ଶହ ଶହ ଯୁବଗୋଷ୍ଠୀଙ୍କ ପ୍ରାଣ ନେଇଥିଲା । ସେହିପରି ଏକ ମରଣାନ୍ତକ ଖେଳ ୱାଟ୍ସଆପ୍ ସୋସିଆଲ୍ ମିଡ଼ିଆରେ ପ୍ରବେଶ କରିଛି ।

ଏହି ଖେଳଟି ସାଧାରଣତଃ ସ୍କୁଲ ଓ କଲେଜରେ ପାଠ ପଢୁଥିବା କୋମଳମତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ସହିତ ବାଧ୍ୟ କରୁଛି ଖେଳରେ ଅଂଶଗ୍ରହଣ କରିବାକୁ ।

ତେବେ ଏହି ଖେଳ ଯୋଗୁଁ ଗୋଟିଏ ସପ୍ତାହରେ ଓଡ଼ିଶା ସମେତ ଭାରତରେ ଅନେକ ଛାତ୍ରଛାତ୍ରୀଙ୍କ ପ୍ରାଣହାନୀ ଘଟିଲାଣି ବୋଲି ଅଭିଯୋଗ ଆସିବାରେ ଲାଗିଛି ।

Leave A Reply

Your email address will not be published.