Latest Odisha News

BREAKING NEWS

ପ୍ରବାସୀ ଦେଖିବେ ଏମିତି ଆଇନ ଶୃଙ୍ଖଳା !

ଭୁବନେଶ୍ବର: ଗୋଟେପଟେ ଭୁବନେଶ୍ବରରେ ଆରମ୍ଭ ହୋଇଛି ୩ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ । ଅନ୍ୟପଟେ ରସୁଲଗଡ-ବାଣୀବିହାର ମୁଖ୍ୟ ରାସ୍ତା ଓଭରବ୍ରିଜ ଉପରେ ବୀଭତ୍ସ ହତ୍ୟାକାଣ୍ଡ । ଦିନ କେଇଟା ତଳେ ସମ୍ବଲପୁରରେ ଦୁଇ ବିଜେପି ନେତାଙ୍କୁ ହାଇଓ୍ବା ଧକ୍କାରେ ହତ୍ୟା ଷଡ଼ଯନ୍ତ୍ର ହେଉ କି ପାଣିକୋଇଲିରେ ଲୁଟ୍ ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡ଼ । ରାଜ୍ୟର ଆଇନଶୃଙ୍ଖଳାକୁ ଚ୍ୟାଲେଞ୍ଜ କରୁଛନ୍ତି ଅପରାଧୀ। ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଚାଲିଥିବା ବେଳେ ୮୦ପ୍ଲାଟୁନ୍ ଫୋର୍ସ, ୭କମ୍ପାନୀ କେନ୍ଦ୍ରୀୟ ଫୋର୍ସ ଆସିଛନ୍ତି । ହେଲେ ସମ୍ମିଳନୀଠାରୁ ମାତ୍ର ୩କିଲୋମିଟର ଦୂରରେ ବୀଭତ୍ସ ହତ୍ୟାକାଣ୍ଡ ଘଟୁଛି । ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେଡି ।

ବିଚ୍ ରାସ୍ତାରେ ବୀଭତ୍ସ ହତ୍ୟା

ରସୁଲଗଡ ବାଣୀବିହାର ରାସ୍ତାରେ ଯୁବକଙ୍କ ମୁଣ୍ଡ କାଟିଦେଲେ ଦୁର୍ବୃତ୍ତ । ମୃତକ ହେଉଛନ୍ତି, ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକ । କେଦାରପଲ୍ଲୀ ସାହି ବାସିନ୍ଦା ସହଦେବ ସକାଳେ ଝିଅକୁ ସ୍କୁଲରେ ଛାଡି ସ୍କୁଟରରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ବାଇକରେ ଗୋଡେଇ ଗୋଡେଇ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ସକାଳ ୭ଟା ୧୫ରୁ ସାଢେ ୭ଟା ମଧ୍ୟରେ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ତାଙ୍କୁ ୪ରୁ ୫ଜଣ ଦୁର୍ବୃତ୍ତ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରିଛନ୍ତି । ସ୍ବାମୀ ବ୍ରାଉନ ସୁଗାର କାରବାରକୁ ବିରୋଧ କରୁଥିବାରୁ ସହଦେବଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପତ୍ନୀ କହିଛନ୍ତି । ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ କାମ କରୁଥିଲେ । ସେପଟେ ଭୁବନେଶ୍ବରରେ ଅନ୍ତର୍ଜାତୀୟ ସମ୍ମିଳନୀ ଚାଲିଥିବା ବେଳେ ହତ୍ୟାକାଣ୍ଡକୁ ନେଇ ବର୍ଷିଛି ବିଜେଡି । ନୂଆ ସରକାରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭୁଶୁଡି ପଡିଛି, ଅପରାଧୀଙ୍କର ଆଉ ଭୟ ନାହିଁ ବୋଲି ବିଜେଡି କହିଛି । ସେପଟେ ଏନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ ।

ବିଜେପି ନେତାଙ୍କୁ ହତ୍ୟା ଷଡ଼ଯନ୍ତ୍ର

ଦିନ କେଇଟା ତଳେ ସମ୍ବଲପୁରରେ ଦୁଇ ବିଜେପି ନେତା ଦେବେନ୍ଦ୍ର ନାୟକ ଓ ମୁରଲୀଧର ଛୁରିଆଙ୍କୁ ହତ୍ୟା ଘଟଣା ଛାତି ଥରାଇ ଦେଇଥିଲା । ଥରେ କି ଦୁଇ ଥର ନୁହେଁ ଅଭିଯୁକ୍ତ ହାଇଓ୍ବା ଡ୍ରାଇଭର ବିଜେପି ନେତାଙ୍କ କାରକୁ ତିନି ଥର ଧକ୍କା ଦେଇଥିଲା । ଜାତୀୟ ରାଜପଥରେ ଦୁଇ ଥର ଧକ୍କା ଦେବା ପରେ ସେମାନେ ଏକ ଗାଁ ରାସ୍ତାକୁ କାର ନେଇ ଯାଇଥିଲେ । ହେଲେ ଗାଁ ରାସ୍ତାରେ ବି ପିଛା କରି ହାଇଓ୍ବା ଡ୍ରାଇଭର ଧକ୍କା ଦେଇଥିଲା । କାରଟି ସଂପୂର୍ଣ୍ଣ ଓଲଟି ପଡିବା ସହ ଘଟଣାସ୍ଥଳରେ ହିଁ ଦୁଇ ବିଜେପି ନେତାଙ୍କର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତକୁ ରିମାଣ୍ଡରେ ନେଇ ପଚରାଉଚରା ଚାଲିଥିବା ବେଳେ ଘଟଣା ପଛର କାରଣ ଏଯାଏଁ ସ୍ପଷ୍ଟ ହୋଇନି ।

ଲୁଟ୍ ପାଇଁ ଗୁଳିମାଡ଼

ଯାଜପୁର ପାଣିକୋଇଲିରେ ଲୁଟ୍ ପାଇଁ ଦୁର୍ବୃତ୍ତଙ୍କ ଗୁଳିମାଡ଼ ଘଟଣା ବି ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଚିନ୍ତା ବଢାଇଛି । ଗତ ଶନିବାର ଦିନ ପାଣିକୋଇଲି ବଜାରରେ ସୁନା ଦୋକାନରୁ ଲୁଟ୍ ବେଳେ ଗୁଳିମାଡ଼ ହୋଇଥିଲା । ଗୁଳିମାଡ଼ରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଡକାୟତ ଧରାପଡିଥିଲେ । ଅନ୍ୟ ଦୁଇ ଡକାୟତ ସୁନା ଧରି ଚମ୍ପଟ ମାରିଛନ୍ତି । ଧରାପଡିଥିବା ଅପରାଧୀ ଝାଡ଼ଖଣ୍ଡ ଓ ବିହାରର ବୋଲି ଜଣାପଡିଛି ।

ପ୍ରବାସୀ ଭାରତୀୟଙ୍କୁ ଆତିଥେୟତା ପାଇଁ ପ୍ରସ୍ତୁତ ହୋଇଥିବା ଓଡିଶାରେ ଗତ ତିନି ଚାରିଦିନ ଭିତରେ ଘଟିଛି ଏଭଳି ଛାତିଥରା ଅପରାଧ । ଆଉ ଏସବୁକୁ ଟପିଯାଇଛି ଆଜି ସକାଳେ ରସୁଲଗଡ଼ ରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ । ଲାଗୁଛି ଯେମିତି, ଆଇନ ଶୃଙ୍ଖଳାକୁ ପ୍ରତି ପାଦରେ ଚ୍ୟାଲେଞ୍ଜ କରୁଛନ୍ତି ଅପରାଧୀ, ଆଉ କେଉଁଠି ନା କେଉଁଠି ସାଧାରଣ ଲୋକଙ୍କୁ ଭୟଭୀତ କରିବାରେ ସଫଳ ବି ହେଉଛନ୍ତି । ଆଇନ ଆଖିରେ ଆଙ୍ଗୁଳି ଗେଞ୍ଜି ସ୍ପଷ୍ଟ ଦିବାଲୋକରେ ଲୁଟ୍, ହତ୍ୟା ହେଉଛି, ହେଲେ ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ନେଉଥିବା ଭଳି ଜଣାପଡୁନି । ପ୍ରବାସୀ ଭାରତୀୟ ଦିବସ ଭଳି ଏତେ ବଡ ଆୟୋଜନ ବେଳେ ବି ଯଦି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ଏୟା, ତେବେ ସାରା ରାଜ୍ୟର ସ୍ଥିତି କଣ ଥିବ, ବେଶ୍ ଅନୁମାନ କରିହେଉଛି ।

Leave A Reply

Your email address will not be published.