କଟକ:ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ ଘଟିଛି । ମଧୁପାଟଣା ଥାନା ଅଞ୍ଚଳରେ ନୂଆପଡ଼ା ପ୍ରେସ୍ କଲୋନୀରେ ଫାୟାରିଂ ହୋଇଥିବା ଜଣାପଡ଼ିଛି । ମୃତ ଯୁବକ ସୌମ୍ୟରଂଜନ ଜେନା (୩୪)। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଗୁଳିମାଡର କାରଣ ଅସ୍ପଷ୍ଟ ରହିଛି।
ସେ ଭଲ କ୍ରିକେଟ ଖେଳନ୍ତି। ଏବଂ ତାଙ୍କର କାହା ସହ ଶତ୍ରୁତା ନ ଥିଲା ବୋଲି ସାଙ୍ଗମାନେ କହିଛନ୍ତି।
ସୂଚନାଥାଉକି, ଭୋଜି ଚାଲିଥିବା ବେଳେ ହଠାତ ଯୁବକଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଦୁର୍ବୃତ୍ତମାନେ ସୌମ୍ୟରଞ୍ଜନ ଉପରକୁ ଗୁଳିମାଡ କରିଥିଲେ। ଏଥିରେ ସୌମ୍ୟ ଗୁରୁତର ହୋଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ନିକଟରେ ଥିବା ଦୁଇ ଜଣ ଯୁବକ ସୌମ୍ୟରଂଜନଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ଡାକ୍ତରଖାନାକୁ ନେଇଯାଇଥିଲେ। କିନ୍ତୁ ସୌମ୍ୟରଂଜନ ଗୁରୁତର ଥିବାରୁ ସେ କଟକ ବଡ଼ଡାକ୍ତରଖାନାକୁ ନେବା ପାଇଁ କହିଥିଲେ। ଶେଷରେ ସୌମ୍ୟରଂଜନଙ୍କୁ କଟକ ବଡ଼ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ସନ୍ଦେହରେ ୨ଜଣଙ୍କୁ ପଚରାଉଚୁରା କରାଯାଉଛି।