ନୂଆଦିଲ୍ଲୀ: ଲେହରେ, ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ଛାତ୍ରମାନେ ହିଂସାତ୍ମକ ପ୍ରତିବାଦ କରିଛନ୍ତି। ଛାତ୍ର ଏବଂ ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି। ଛାତ୍ରମାନେ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି ଏବଂ ଏକ CRPF ଗାଡ଼ି ପୋଡ଼ି ଦେଇଛନ୍ତି। ସାମାଜିକ ଏବଂ ପରିବେଶଗତ ପ୍ରସଙ୍ଗରେ ସ୍ୱର ଉଠାଇଥିବା ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଛାତ୍ରମାନେ ଏହି ପ୍ରଦର୍ଶନ କରିଛନ୍ତି। ସେମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ମଧ୍ୟ ଦେଉଛନ୍ତି ଏବଂ କ୍ରୋଧ ପ୍ରଦର୍ଶନ କରୁଛନ୍ତି।
ଏପେଟ ଲେହ ଡିଏମ୍ ଜିଲ୍ଲାରେ ବିଏନଏସର ଧାରା ୧୬୩ ଲାଗୁ କରିଛନ୍ତି, ଯାହା ଦ୍ଵାରା ପାଞ୍ଚ କିମ୍ବା ତା’ଠାରୁ ଅଧିକ ଲୋକଙ୍କ ଏକତ୍ରିତ ହେବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ଅଧୀନରେ ପୂର୍ବ ଲିଖିତ ଅନୁମତି ବିନା କୌଣସି ଶୋଭାଯାତ୍ରା, ରାଲି, ପଦଯାତ୍ରା କିମ୍ବା ସାଧାରଣ ସମାବେଶ କରାଯାଇପାରିବ ନାହିଁ। ଏହି ଆଦେଶରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ କୌଣସି ବ୍ୟକ୍ତି ଏପରି କୌଣସି ବୟାନ ଦେବା ଉଚିତ୍ ନୁହେଁ ଯାହା ଶାନ୍ତି ଭଙ୍ଗ କରିପାରିବ କିମ୍ବା ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି କରିପାରିବ। ପ୍ରଶାସନ କହିଛି ଯେ ,ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଏବଂ ପରିସ୍ଥିତିକୁ ଆହୁରି ଖରାପ ହେବାରୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ଧାରା ୧୬୩ ଉଲ୍ଲଂଘନ କଲେ ଧାରା ୨୨୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବୁଧବାର ଦିନ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ଲେହ ଅଞ୍ଚଳରେ ପ୍ରତିବାଦ ଦେଖାଦେଇଥିଲା। ପ୍ରଦର୍ଶନକାରୀମାନେ ସହରରେ ଥିବା ଏକ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ, ପରେ ପଥରମାଡ଼ ଏବଂ ପୋଲିସ ସହିତ ସଂଘର୍ଷ ହୋଇଥିଲା। ଏହି ସମୟରେ ଏକ ପୋଲିସ ଭ୍ୟାନରେ ନିଆଁ ଲଗାଇ ଦିଆଯାଇଥିଲା।
ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କ ସହ ଏକତା ପ୍ରକାଶ କରିବା ପାଇଁ ଲେହ ଆପେକ୍ସ ବଡି (LAB)ର ଯୁବ ଶାଖା ଏହି ପ୍ରତିବାଦର ଡାକରା ଦେଇଥିଲା। ୱାଙ୍ଗଚୁକ କେନ୍ଦ୍ର ଶାସିତ ଅଞ୍ଚଳକୁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ଅନୁସୂଚୀ ମାନ୍ୟତା ଦାବି କରି ସେ ଗତ ୧୪ ଦିନ ଧରି ଅନଶନରେ ବସିଥିଲେ । ତେବେ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ଚାଲିଥିବା ପ୍ରତିବାଦ ହିଂସାତ୍ମକ ହେବା ପରେ ସାମାଜିକ ଏବଂ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ଅନଶନ ସମାପ୍ତ କରିଛନ୍ତି। ୱାଙ୍ଗଚୁକ୍ ତାଙ୍କ ଦାବି ପ୍ରତି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଗାନ୍ଧୀବାଦୀ ଢଙ୍ଗରେ ଏକ ଅନଶନ ଆରମ୍ଭ କରିଥିଲେ।
ସୂଚନାଥାଉକି, ୱାଙ୍ଗଚୁକ୍ ଏହି ହିଂସାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଯେ ଏହା ତାଙ୍କ ପାଇଁ ଏକ ଗଭୀର ଦୁଃଖଦ ଘଟଣା।
Comments are closed.