ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରେଗିଡ଼ି ଛକରେ ପୂର୍ବାହ୍ନରେ ପୂର୍ଣ୍ଣଚନ୍ଦ୍ର ନାହାକ(୩୮)ଙ୍କୁ କେତେକ ଦୁର୍ବୃତ୍ତ ଖଣ୍ଡାରେ ହାଣି ହତ୍ୟା କରିଥିଲେ । ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ପୂର୍ଣ୍ଣଚନ୍ଦ୍ରଙ୍କ ଘର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରିସିପୁର ପଞ୍ଚାୟତ ରାମସା ଗ୍ରାମର ହୋଇଥିବା ବେଳେ ଏକ ନାବାଳିକା ଅପହରଣ ମାମଲାରେ କୋର୍ଟରେ ହାଜିରା ଦେବାକୁ ପୂର୍ଣ୍ଣଚନ୍ଦ୍ର ବ୍ରହ୍ମପୁର ଆସୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ବ୍ରହ୍ମପୁର ସଦର ଥାନା ପୁଲିସ, ପୁରୁଷୋତ୍ତମପୁର ଥାନା ପୁଲିସ, ସାଇଣ୍ଟିଫିକ ଟିମ ଘଟଣାସ୍ଥଳ ସହ ଏମକେସିଜି ମେଡିକାଲରେ ପହଞ୍ଚି ତଦନ୍ତ କରୁଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ମିନତୀ ଗତ ପଞ୍ଚାୟତ ନିର୍ବାଚନରେ ସମିତି ସଭ୍ୟା ପ୍ରାର୍ଥୀ ହୋଇଥିଲେ । ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ଗୋଷ୍ଠୀ ସହ ପୂର୍ଣ୍ଣଚନ୍ଦ୍ରଙ୍କ ଶତ୍ରୁତା ସୃଷ୍ଟି ହୋଇଥିଲା । ନିର୍ବାଚନରେ ମିନତୀ ପରାସ୍ତ ହୋଇଥିଲେ । ଅନେକ ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା ।କିଛି ମାସ ପୂର୍ବେ ଗ୍ରାମର ଜଣେ ନାବାଳିକାଙ୍କୁ ଅନ୍ୟ ଏକ ଗ୍ରାମର ଯୁବକ ଅପହରଣ କରିଥିଲେ । ଏହି ମାମଲାରେ ପୂର୍ଣ୍ଣଚନ୍ଦ୍ର ଅନ୍ୟତମ ଅଭିଯୁକ୍ତ ଥିଲେ ।
କୋର୍ଟଙ୍କ ତାରିଖ ଅନୁସାରେ ମଙ୍ଗଳବାର ସକାଳେ ନିଜ ବାଇକ୍ରେ ସେ ବ୍ରହ୍ମପୁର ଆସୁଥିଲେ । ରେଗିଡି ଛକରେ ପୂର୍ବରୁ ଛକି ରହିଥିବା ତାଙ୍କ ଗ୍ରାମ ଓ ନିକଟ ଗ୍ରାମର ୬ ଜଣ ଯୁବକ ତାଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଖଣ୍ଡାରେ ପୂର୍ଣ୍ଣଚନ୍ଦ୍ରଙ୍କ ଦୁଇ ଗୋଡକୁ ହାଣିବା ସହ ଶରୀରର ବିଭିନ୍ନ ସ୍ଥାନରେ ଚୋଟ ପକାଇଥିଲେ। ପୂର୍ଣ୍ଣଚନ୍ଦ୍ର ତଳେ ପଡ଼ି ଛଟପଟ ହେଉଥିବା ବେଳେ ଅଭିଯୁକ୍ତ ମଧ୍ୟରୁ ଖସି ଯାଇଥିଲେ । ସ୍ଥାନୀୟ ଲୋକମାନେ ପୂର୍ଣ୍ଣଚନ୍ଦ୍ରଙ୍କୁ ଏମ୍କେସିଜି ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଅନ୍ୟପଟେ ଦୁର୍ବୃତ୍ତମାନେ ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ମିନତୀଙ୍କୁ ଫୋନ କରି ‘ତୁମ ସ୍ବାମୀଙ୍କୁ ହାଣି ଦେଇଛୁ, ତାଙ୍କୁ ଆସି ମେଡିକାଲ ନିଅ’ ବୋଲି ଫୋନରେ କହିଥିଲେ । ଫୋନ ପାଇବା ପରେ ମିନତୀ ବିଚଳିତ ହୋଇ ବ୍ରହ୍ମପୁର ଆସିଥିଲେ । ଘଟଣାସ୍ଥଳରୁ ପୁଲିସ ପୂର୍ଣ୍ଣଚନ୍ଦ୍ରଙ୍କ ବାଇକ ସହ ଆକ୍ରମଣରେ ବ୍ୟବହୃତ ଖଣ୍ଡାକୁ ପୋଲିସ ଜବତ କରିଛି । ଫୋନ କରିଥିବା ଯୁବକଙ୍କୁ ଚିହ୍ନିଥିବା ମିନତୀ ପ୍ରକାଶ କରିଛନ୍ତି। ସେହିଭଳି ପୋଲିସ ମଧ୍ୟ ପ୍ରାଥମିକ ତଦନ୍ତରୁ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିଥିବା ସୂଚନା ମିଳିଛି।
Comments are closed.