Latest Odisha News

BREAKING NEWS

ପ୍ରତିଶୋଧ ନେଲେ ନାଇଡୁ ସରକାର, ଓ୍ବଇଏସଆର କଂଗ୍ରେସର କାର୍ଯ୍ୟାଳୟ ଉପରେ ଚାଲିଲା ବୁଲଡୋଜର

ଅମରାବତୀ: ସରକାରକୁ ଫେରିଛନ୍ତି ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ରପ୍ରଦେଶରେ ସରକାର ବଦଳିବା ପରେ ଏବେ ସରଗରମ ହୋଇଛି ରାଜ୍ୟ ରାଜନୀତି । ନୂଆ ସରକାର ଗଢିବା ପରେ ତେଲୁଗ ଦେଶମ ପାର୍ଟି(ଟିଡିପି)ର ଚନ୍ଦ୍ରବାବୁ ନାଇଡ଼ୁଙ୍କ ସରକାର ପୂର୍ବତନ ଓ୍ବାଇଏସଆର କଂଗ୍ରେସ ପାର୍ଟି ସରକାରର ନିର୍ମାଣାଧୀନ କେନ୍ଦ୍ରୀୟ କାର୍ଯ୍ୟାଳୟ ଉପରେ ବୁଲଡୋଜର ଚଢାଇଦେଇଛନ୍ତି ।

ଶନିବାର ସକାଳେ ଗୁଣଟୁର ଜିଲ୍ଲାର ତାଡେପାଲ୍ଲିରେ ଥିବା ଜଗନମୋହନ ରେଡ୍ଡୀଙ୍କ ନିର୍ମାଣଧୀନ କାର୍ଯ୍ୟାଳୟ ବେଆଇନ କହି ଏହାର ଉଚ୍ଛେଦ କରାଯାଇଛି । ଏହି କାର୍ଯ୍ୟଳୟଟି ବେଆଇନ ଭାବେ ରାସ୍ତା ଉପରକୁ ଚଢିକି ତିଆରି ହୋଇଥିବା ମ୍ୟୁନସିପାଲଟି କର୍ପୋରେସନ ଅଭିଯୋଗ କରିଥିଲେ । ତେବେ ପୂର୍ବରୁ ମଧ୍ୟ ଜଗନମୋହନ ରେଡ୍ଡୀଙ୍କ ସରକାର ଥିବା ବେଳେ କାର୍ଯ୍ୟାଳୟଟି ରାସ୍ତା ଉପରେ ହେଉଥିବା ଅଭିଯୋଗ ହୋଇଥିଲା । ହେଲେ ଏହା ଉପରେ କର୍ଣ୍ଣପାତ କରିନଥିଲେ ଜଗନମୋହନ ସରକାର । ବର୍ତ୍ତମାନ ରାଜ୍ୟରେ ସରକାର ବଦଳିବା ପରେ ଏହା ଉପରେ ଆକ୍ସନ ନିଆଯାଇଛି । ଏନେଇ ମଙ୍ଗଳାଗିରି-ତାଡେପାଲ୍ଲି ମ୍ୟୁନିସିପାଲିଟି କର୍ପୋରେସନର ଅଧିକାରୀମାନେ ଓ୍ବଇଏସଆର କଂଗ୍ରେସର ନିର୍ମାଣଧୀନ କୋଠାରେ ବୁଲଡୋଜର ଚଲାଇ ଏହାକୁ ଭାଙ୍ଗିଦେଇଛନ୍ତି ।

କହିରଖୁଛି ଯେ କାର୍ଯ୍ୟାଳୟକୁ ଉଚ୍ଛେଦ କରିବା ପ୍ରସଙ୍ଗ ନେଇ ହୋଇକୋର୍ଟର ଦ୍ବାରସ୍ଥ ହୋଇଥିଲା ଓ୍ବାଇଏସଆର କଂଗ୍ରେସ । ଯାହା ପରେ କୋର୍ଟ ଏହାର ଉଚ୍ଛେଦ ଉପରେ ରୋକ ଲଗାଇଥିଲେ ।

ଅପରପକ୍ଷେ ନାଇଡୁ ସରକାରଙ୍କ ଏଭଳି କାର୍ଯ୍ୟକୁ ଦୃଢ ନିନ୍ଦା କରିଛନ୍ତି ଓ୍ବାଇଏସଆର କଂଗ୍ରେସର ମୁଖ୍ୟ ଜଗନମୋହନ ରେଡ୍ଡୀ । ସେ ନିଜ ଏକ୍ସରେ କହିଛନ୍ତି, ଚନ୍ଦ୍ରବାବୁ ନାଇଡୁ ଏଭଳି କରି ଏକଚ୍ଛତ୍ରବାଦ ଶାସନର ପରିଚୟ ଦେଇଛନ୍ତି । ପ୍ରତିଶୋଧ ପରାୟଣ ହୋଇ ଚନ୍ଦ୍ରବାବୁ ତାଙ୍କ ଦମନ ନୀତିକୁ ଅନ୍ୟ ସ୍ତରକୁ ନେଇଗଲେଣି । ଏମିତିକି  ହାଇକୋର୍ଟଙ୍କ ଆଦେଶକୁ ଅଣଦେଖା କରାଯାଇଥିଲା। ରାଜ୍ୟରେ ଆଇନ ଏବଂ ନ୍ୟାୟ ସମ୍ପୂର୍ଣ୍ଣ ଲୋପ ପାଇଯାଇଛି ବୋଲି କହି ନାଇଡୁଙ୍କୁ ତୀବ୍ର ନିନ୍ଦା କରିଛନ୍ତି ଜଗନମୋହନ ରେଡ୍ଡୀ।

ଅନ୍ୟପଟେ ଏହି ଘଟଣାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ସାଧାରଣ ଜନତା । ଚନ୍ଦ୍ରବାବୁ ନାଇଡୁ କ୍ଷମତାକୁ ଫେରିବା ପରେ ଜଗନମୋହନଙ୍କ ସରକାର ସମୟରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନାଇଡୁ ସରକାର ନେଇଛନ୍ତି ବୋଲି ଲୋକେ କହୁଛନ୍ତି। ୨୦୧୯ରେ ଚନ୍ଦ୍ରବାବୁଙ୍କ ଦଳ ପରାଜିତ ହୋଇଥିଲା। ୱାଇଏସଆର କଂଗ୍ରେସ କ୍ଷମତାକୁ ଆସିଥିଲା। ଏହା ପରେ ଜଗନମୋହନ ୨୦୧୯ ଜୁନ ୨୪ରେ ଚନ୍ଦ୍ରବାବୁଙ୍କ ବାସଭବନ ପ୍ରଜା ବେଦିକାକୁ ବୁଲଡୋଜର ଚଲାଇ ଭାଙ୍ଗିଦେଇଥିଲେ। ଆଉ ଆଜି ତାର ଓଲଟା ସ୍ଥିତି ଦେଖାଦେଇଛି ପୁଣି କ୍ଷମତାକୁ ଫେରିବା ପରେ ନାଇଡୁ ସରକାର ପୂର୍ବତନ ଜଗନମୋହନ ସରକାରଙ୍କ କାର୍ଯ୍ୟାଳୟ ଭାଙ୍ଗି ପ୍ରତିଶୋଧ ନେଇଛନ୍ତି ବୋଲି କହୁଛନ୍ତି ଲୋକେ ।

Leave A Reply

Your email address will not be published.