Latest Odisha News

ୟୁମନାମ୍ ଖେମଚାନ୍ଦ ସିଂହ ମଣିପୁରର ଆଗାମୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମଣିପୁରର ଆଗାମୀ ମୁଖ୍ୟମନ୍ତ୍ରୀ ଭାବରେ ବିଜେପିର ୟୁମନାମ୍ ଖେମଚାନ୍ଦ ସିଂହଙ୍କୁ ଚୟନ କରାଯାଇଛି। ମଣିପୁରରେ ରାଷ୍ଟ୍ରପତି ଶାସନର ବର୍ତ୍ତମାନର ଅବଧି ଫେବୃଆରୀ ୧୨ ତାରିଖରେ ଶେଷ ହେବାକୁ ଯାଉଛି।

ତେବେ ଖେମଚାନ୍ଦ ମୈତେଇ ସମ୍ପ୍ରଦାୟର ହେବା ସତ୍ବେ ମଧ୍ୟ ମଣିପୁରର ରାଜନୀତି ଏବଂ ବିଜେପି ରାଜନୀତିକୁ ନଜରରେ ରଖି ଖେମଚାନ୍ଦଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ବୀରେନ୍ଦ୍ର ସିଂହଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଏ।

ବୀରେନ୍ଦ୍ର ସିଂହଙ୍କ ସରକାର ଥିବା ସମୟରେ ରାଜ୍ୟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା ଓ ବିଜେପି ସହଯୋଗୀମାନେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ବିରୋଧ କରିଥିଲେ ଏବଂ ବୀରେନ୍ଦ୍ର ସିଂହଙ୍କୁ ଇସ୍ତଫା ଦେବାପାଇଁ ମଧ୍ୟ ବାଧ୍ୟ କରାଯାଇଥିଲା। ଯାହାଫଳରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା।

୬୨ ବର୍ଷୀୟ ୱାଇ. ଖେମଚାନ୍ଦ ସିଂହ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ମଣିପୁର ବିଧାନସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ। ତାଙ୍କୁ ୨୦୨୨ରେ ଏନ. ବୀରେନ ସିଂହଙ୍କ ମନ୍ତ୍ରିମଣ୍ଡଳରେ ମଧ୍ୟ ସାମିଲ କରାଯାଇଥିଲା। ଯେଉଁଠାରେ ସେ ନଗର ପ୍ରଶାସନ ଏବଂ ଗୃହ ବିକାଶ, ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତି ରାଜ ଆଦି ବିଭାଗର ଦାୟିତ୍ଵ ଭାର ସମ୍ଭାଳିଥିଲେ। ଖେମଚାନ୍ଦ ସିଂହ ଇମ୍ଫାଲ ପଶ୍ଚିମର ସିଙ୍ଗଜାମେଇ ବିଧାନସଭା ନିର୍ବାଚନମଣ୍ଡଳୀର ଲଗାତାର ଦୁଇଥର ନିର୍ବାଚନ ମଧ୍ୟ ଜିତିଛନ୍ତି।

ନିକଟରେ ଖେମଚାନ୍ଦ ସିଂହ ଉତ୍କଳ ଏବଂ କାମଜୋଙ୍ଗ ଭଳି କୁକି-ଅଧିଭୂତ ଅଞ୍ଚଳ ପରିଦର୍ଶନ କରିଥିଲେ ଏବଂ ଶାନ୍ତି ଓ ଆଲୋଚନା ପାଇଁ ଓକିଲାତି କରିଥିଲେ। ସେ ନିଜେ ମୈତେଇ ସମ୍ପ୍ରଦାୟର ଅଟନ୍ତି କିନ୍ତୁ ସେ କୁକି ସମ୍ପ୍ରଦାୟର ଲୋକମାନଙ୍କ ସହ ମଧ୍ୟ ନିଜ ଭଲ ସମ୍ପର୍କକୁ ବଜାୟ ରଖିଛନ୍ତି। ଜାତିଗତ ହିଂସା ପରେ ଫେବୃଆରୀ ୨୦୨୫ରେ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ମଣିପୁରରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ୩ ମେ ୨୦୨୩ ରୁ ଚାଲିଥିବା ସଂଘର୍ଷରେ ବର୍ତ୍ତମାନ୍ ସୁଦ୍ଧା ପ୍ରାୟ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇବା ସହ ୬୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇସାରିଥିବା ଜଣାପଡ଼ିଛି।

 

Leave A Reply

Your email address will not be published.