ନୂଆଦିଲ୍ଲୀ: ଚୀନରେ ମହମ୍ମଦ ୟୁନୁସଙ୍କ ବୟାନକୁ ନେଇ ବିବାଦ । କାହିଁକି ଉଠାଇଲେ ଭାରତର ପୂର୍ବୋତ୍ତର ରାଜ୍ୟ କଥା? ବାଂଲାଦେଶକୁ କହିଲେ ସମୁଦ୍ରର ଏକମାତ୍ର ଅଭିଭାବକ । ଚୀନକୁ ସୁଯୋଗ ଦେବାକୁ ଯାଇ ୟୁନୁସ ଖେଳିଲେ ନର୍ଥଇଷ୍ଟ କାର୍ଡ ! ଚୀନ୍ ଗସ୍ତ ବେଳେ ବାଂଲାଦେଶ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ବୟାନକୁ ନେଇ ଭାରତରେ ଜୋରଦାର ବିରୋଧ କରାଯାଉଛି। ଚୀନକୁ ନିଜ ଦେଶରେ ନିବେଶ କରିବାକୁ ପ୍ରସ୍ତାବ ଦେବା ବେଳେ ଭାରତର ଦୁର୍ବଳତା ଗଣାଇଛନ୍ତି ୟୁନୁସ । ବାଂଲାଦେଶରେ ଅର୍ଥନୈତିକ ସଂପ୍ରସାରଣ ପାଇଁ ସେ ଚୀନକୁ ନିମନ୍ତ୍ରଣ କରିଛନ୍ତି । ହେଲେ ଭାରତ ସଂପର୍କିତ ବୟାନକୁ ଦେଶରେ ତୀବ୍ର ବିରୋଧ କରାଯାଇଛି ।
କ’ଣ କହିଲେ ମହମ୍ମଦ ୟୁନୁସ?
ଚୀନ ସହ ବ୍ୟବସାୟିକ ସମ୍ଭାବନା ନେଇ ଚର୍ଚ୍ଚା କରିବାକୁ ବେଜିଂ ଯାଇଥିଲେ ମହମ୍ମଦ ୟୁନୁସ । ତେବେ ନିଜ ଦେଶର ବ୍ୟାପାର ଚର୍ଚ୍ଚା ମଧ୍ୟରେ ଭାରତର ଦୁର୍ବଳତା ସଂପର୍କରେ ସେ ବୟାନ ଦେଇଛନ୍ତି । ଭାରତର ପୂର୍ବୋତ୍ତର ରାଜ୍ୟ, ଯାହାକୁ ସାତଭଉଣୀ କୁହାଯାଏ, ସେଗୁଡିକ ସ୍ଥଳଭାଗ ଦ୍ବାରା ଆବଦ୍ଧ ଅଞ୍ଚଳ । ସେସବୁ ରାଜ୍ୟ ପାଖରେ ସମୁଦ୍ର ପର୍ଯ୍ୟନ୍ତ ପହଞ୍ଚିବାକୁ କୌଣସି ରାସ୍ତା ନାହିଁ। ତେଣୁ ସେ ପୂରା କ୍ଷେତ୍ରରେ ଥିବା ସମୁଦ୍ରର ଏକମାତ୍ର ଅଭିଭାବକ ହେଉଛି ବାଂଲାଦେଶ। ତେଣୁ ଦେଶ ବଡ ସମ୍ଭାବନାର ବାଟ ଖୋଲୁଛି । ସେଠାରେ ଚୀନ୍ ଅର୍ଥବ୍ୟବସ୍ଥାର ବିସ୍ତାର ହୋଇପାରିବ । ଚୀନ୍ ଚାହିଁଲେ ସେଠାରେ ଉତ୍ପାଦନ ସହ ଚୀନକୁ ଆମଦାନୀ ଓ ଅନ୍ୟ ଦେଶକୁ ରପ୍ତାନୀ କରିପାରିବ ବୋଲି ୟୁନୁସ କହିଛନ୍ତି ।
କାହିଁକି ପୂର୍ବତ୍ତୋର ବୟାନକୁ ନେଇ ବିବାଦ?
ଭାରତର ମୁଖ୍ୟ ଭୂଭାଗ ସହ ପୂର୍ବୋତ୍ତର ରାଜ୍ୟକୁ ଯୋଡୁଥିବା ଅଣଓସାରିଆ ଅଞ୍ଚଳକୁ ସିଲିଗୁଡି କରିଡର ବା ଚିକେନ୍ ନେକ୍ କରିଡର କୁହାଯାଏ। ଏହାର ଓସାର ପ୍ରାୟ ୨୨କିଲୋମିଟର ହୋଇଥିବା ବେଳେ ଏହା ୬୦ କିଲୋମିଟର ଲମ୍ବା । ଏହି କରିଡର ଉଭୟ ଭୌଗଳିକ ଓ ସାମରିକ ଦୃଷ୍ଟିକୋଣରୁ ବେଶ୍ ସମ୍ବେଦନଶୀଳ । କାରଣ ଏହି ଅଞ୍ଚଳକୁ ଚାରିପଟୁ ଘେରିଛନ୍ତି ନେପାଳ, ବାଂଲାଦେଶ, ଭୁଟାନ ଓ ଚୀନ୍ ପରି ପଡୋଶୀ ଦେଶ । ଆର୍ଥିକ ଦୃଷ୍ଟିକୋଣରୁ ବି ଏହି କରିଡର ଗୁରୁତ୍ବପୂର୍ଣ୍ଣ । କାରଣ ପୂର୍ବୋତ୍ତର ରାଜ୍ୟ ଗୁଡିକ ସହ ଭାରତର ବାକି ଭୂଖଣ୍ଡର ଏହା ବ୍ୟାପାରର ମୁଖ୍ୟ ବାଟ । ଯଦିଓ ଚିକେନ୍ ନେକ୍ ଶବ୍ଦ କହିନାହାନ୍ତି ୟୁନୁସ ତେବେ ଭାରତର ୭ରାଜ୍ୟ ସ୍ଥଳଭାଗ ଦ୍ବାରା ଆବଦ୍ଧ ହୋଇ ରହିଥିବା କହି ପରୋକ୍ଷରେ ସନ୍ଦେଶ ଦେବାକୁ ଉଦ୍ୟମ କରିଛନ୍ତି ।
ୟୁନୁସଙ୍କ ବୟାନକୁ ବିରୋଧ
ପଡୋଶୀ ଦେଶ ଭାବେ ବାଂଲାଦେଶର ଭାରତ ସହ ସବୁଠୁ ଲମ୍ବା ସୀମା ସଂଲଗ୍ନ ହୋଇରହିଛି । ବାଂଲାଦେଶର ତିନି ପାଖରେ ଭାରତ ସୀମା ରହିଛି । ଭାରତ ଛଡା କେବଳ ମିଆଁମାର ବାଂଲାଦେଶର ପ୍ରତ୍ୟକ୍ଷ ପଡୋଶୀ । ଏଭଳି ସ୍ଥିତିରେ ୟୁନୁସ ଭାରତର ପୂର୍ବୋତ୍ତର ରାଜ୍ୟ କଥା କହିବାକୁ ଜୋରଦାର ବିରୋଧ କରାଯାଉଛି । ୟୁନୁସଙ୍କ ଉସୁକାଇବା ଭଳି ବୟାନକୁ ହାଲକାରେ ନନେବାକୁ କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । କାରଣ ଏହା ରଣନୈତିକ ବିଚାର ଓ ଦୀର୍ଘକାଳୀନ ଏଜେଣ୍ଡାକୁ ସୂଚାଉଛି । ବୟାନକୁ ଅପମାନଜନକ କହିବା ସହ ସେ ନିନ୍ଦା କରିଛନ୍ତି। ଚିକେନ୍ ନେକ କରିଡରର ଆଖପାଖ ଅଞ୍ଚଳରେ ରେଳ ଓ ସଡ଼କ ନେଟଓ୍ବର୍କର ବିକାଶକୁ ପ୍ରାଥମିକତା ଦେବାକୁ ସେ କହିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ ସଦସ୍ୟ ସଂଜୀବ ସାନ୍ୟାଲ ମଧ୍ୟ ଭାରତର ପୂର୍ବୋତ୍ତର ରାଜ୍ୟ ସଂପର୍କିତ ୟୁନୁସଙ୍କ ବୟାନକୁ ନେଇ ପ୍ରଶ୍ନ କରିଛନ୍ତି ।
ବିସ୍ତାରବାଦୀ ଚୀନ୍ ଲଗାତର ଭାରତର ପୂର୍ବୋତ୍ତର ରାଜ୍ୟ ସହ ନିକଟତର ହେବାକୁ ଉଦ୍ୟମ କରୁଛି । ରଣନୈତିକ ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ଅରୁଣାଚଳ ସୀମାରେ ଡ୍ୟାମ ଓ ଗାଁ ନିର୍ମାଣ କରୁଛି । ଏପରିକି ସେ ଅଞ୍ଚଳକୁ ଚୀନ୍ ଦକ୍ଷିଣ ତିବ୍ବତ ବୋଲି ବି ଦାବି କରୁଛି । ଭାରତ ମଧ୍ୟ ଅରୁଣାଚଳ ଫ୍ରଣ୍ଟିୟର ରାଜପଥ ନିର୍ମାଣ କରି ଚୀନ୍ ସହ ସୀମାକୁ ସୂଚାଇବା ସହ ପୂର୍ବୋତ୍ତର ବିକାଶ ପାଇଁ ବାଟ ଖୋଲିଛି । ବାଂଲାଦେଶ ଆର୍ଥିକ ସଂକଟ ସହ ଯୁଝୁଥିବା ବେଳେ ପାଣ୍ଠି ଯୋଗାଡ଼ ପାଇଁ ଚୀନ୍ ଯାଇଛନ୍ତି ୟୁନୁସ । ତେବେ ସେଠାରେ ପୂର୍ବୋତ୍ତର ରାଜ୍ୟକୁ ନେଇ ତାଙ୍କ ବୟାନକୁ ଭାରତରେ କଡା ବିରୋଧ କରାଯାଇଛି ।
Comments are closed.