Latest Odisha News

BREAKING NEWS

ଖଣ୍ଡପଡା ଗଡଜାତ ଜଗନ୍ନାଥଙ୍କ ରଥଯାତ୍ରାରେ ଛେରା ପହଁରା କଲେ ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ

ନୟାଗଡ: ଖଣ୍ଡପଡା ଗଡଜାତ ଜଗନ୍ନାଥଙ୍କ ରଥଯାତ୍ରାରେ ଛେରା ପହଁରା ନୀତି ସମ୍ପନ୍ନ କଲେ ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ । ଖଣ୍ଡପଡ଼ାର ରାଜା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ଙ୍କ ଅସୁସ୍ଥତା କାରଣରୁ ତାଙ୍କ ପ୍ରତିନିଧି ଭାବେ ତାଙ୍କର ପୁତ୍ର ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ ଏହି ଦାୟିତ୍ବ ତୁଲାଇଛନ୍ତି । ରୀତିନୀତି ଅନୁଯାୟୀ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ପୁରୋହିତ ଓ ଅନ୍ୟ ମନ୍ଦିର ସେବାୟତମାନେ ରଥାରୁଢ଼ ପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ରାଜବାଟିକୁ ଆଣି ପୂଜାର୍ଚନା କରିବାପରେ ଯୁବରାଜଙ୍କୁ ହଜାର ହଜାର ଭକ୍ତଙ୍କ ଗହଣରେ ରାଜନଅରରୁ ରଥ ଅଭିମୁଖେ ପଟୁଆରରେ ପାଛୋଟି ନେଇଥିଲେ ।

ଘଣ୍ଟ, ହୁଳହୁଳି, ପାରମ୍ପରିକ ବାଦ୍ୟ ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ପରିବେଶ କମ୍ପି ଉଠିଥିଲା । ରଥ ଉପରେ ରାଜ ପୁରୋହିତ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଯୁବରାଜ ସିଦ୍ଧାର୍ଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆଲଟ, ଚାମର, ଆଳତୀ ସେବା କରିବା ସହ ରଥ ଚାରିପାଖେ ପାରମ୍ପରିକ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ । ଏହି ଅପୂର୍ବ ଦୃଶ୍ୟକୁ ଉପଭୋଗ କରିବାକୁ ଖଣ୍ଡପଡ଼ା ଏବଂ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଜଗନ୍ନାଥ ଭକ୍ତଙ୍କ ଜନସମାଗମ ହୋଇଥିଲା ।

ଖଣ୍ଡପଡା ଗଡ଼ଜାତ ଅଞ୍ଚଳର ଇତିହାସ ଅନୁସାରେ ଖଣ୍ଡପଡ଼ା ଗଡଜାତରେ ତତ୍କାଳୀନ ରାଜା କୃଷ୍ଣ ଚନ୍ଦ୍ର ସିଂହ ମର୍ଦ୍ଦରାଜ (୧୭୮୦-୯୦) ମଧ୍ୟରେ ଖଣ୍ଡପଡ଼ାରେ ପୁରୀ ମନ୍ଦିର ଅନୁରୁପ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରି ପ୍ରଥମେ ରଥ ଯାତ୍ରା ଆରମ୍ଭ କରି ନିଜେ ଛେରାପହଁରା କରିଥିଲେ ସେବେଠାରୁ ପୁରୀ ଜଗନ୍ନାଥଙ୍କ ରୀତିନୀତି ଅନୁସାରେ ନିରବିଚ୍ଛିନ୍ନ ଭାବରେ ରଥଯାତ୍ରା ପାଳିତ ହୋଇ ଆସୁଛି । ପରବର୍ତ୍ତୀ ସମୟରେ ବିଭିନ୍ନ ରାଜା ମାନେ ଏହି ପରମ୍ପରା ପାଳନ କରିଆସୁଛନ୍ତି ।

୧୯୭୭ରେ ପିତା ରାଜା ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟଙ୍କ ଦେହାନ୍ତ ପରଠାରୁ ଖଣ୍ଡପଡାର ବର୍ତ୍ତମାନର ରାଜା ଭିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ ଏହି ଛେରା ପହଁରା ସେବା ରଥ ରେ କରିଆସୁଛନ୍ତି । ଚଳିତ ବର୍ଷ ତାଙ୍କ ଦେହ ଅସୁସ୍ଥ ଥିବା କାରଣରୁ ଡାକ୍ତରଙ୍କ ପରାମର୍ଶ ସେ ରଥରେ ଏହି ଛେରା ପହଁରା ନୀତି କରିବାରେ ଅସମର୍ଥ ପ୍ରକାଶ କରିବା ଫଳରେ ତାଙ୍କ ପୁତ୍ର ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ ଏହି ଦାୟିତ୍ବ ତୁଲାଇଛନ୍ତି ।

Comments are closed.