କଲମ୍ବୋ: ଟି୨୦ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଅଷ୍ଟ୍ରେଲିଆକୁ ହରାଇ ଜିମ୍ବାୱେ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି । ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୨୦ ଓଭରରେ ୨ ୱିକେଟ ହରାଇ ୧୬୯ ରନ କରିଥିଲା । ବ୍ରାଏନ ବେନେଟ ୬୪, ଟାଡିୱାନସେ ମାରୁମାନି ୩୫ ଓ ରୟାଲ ବାର୍ଲ ୩୫ ରନ କରିଥିଲେ । ସିକନ୍ଦର ରାଜା ମଧ୍ୟ ଦ୍ରୁତ ୨୫ ରନ ସଂଗ୍ରହ କରିଥିଲେ । ୧୭୦ ରନର ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୧୯.୩ ଓଭରରେ ୧୪୬ ରନ କରି ଅଲଆଉଟ ହୋଇ ଯାଇଥିଲେ । ଫଳରେ ଜିମ୍ବାୱେ ଐତିହାସିକ ବିଜୟ ହାସଲ କରିଥିଲା ।
ଅଷ୍ଟ୍ରେଲିଆ ପାୱାର ପ୍ଲେ ୩୮ ରନରେ ୪ଟି ୱିକେଟ ହରାଇଥିଲା । ମ୍ୟାଟ ରେନଶା ୬୫ ରନ କରି ଏକାକୀ ସଂଘର୍ଷ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ । ଜିମ୍ବାୱେର ବ୍ଲେସିଂ ମୁଜାରବନୀ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ବ୍ରାଡ ଇଭାନ୍ସ ୩ଟି ୱିକେଟ ନେଇଥିଲେ । ମୁଜାରବନୀ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଜିମ୍ବାୱେ ୨ଟି ମ୍ୟାଚରେ କ୍ରମାଗତ ବିଜୟ ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆ ୨ଟି ମୁକାବିଲାରୁ ଗୋଟିକରେ ପରାଜିତ ହୋଇଛି ।