ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋସିଆଲ ମିଡ଼ିଆ ଆସିବା ପରଠାରୁ କେଉଁ ଅଞ୍ଚଳରେ କିପରି ଘଟଣା ଘଟୁଛି ତାହା ଆମେ ସହଜରେ ଜାଣିପାରୁଛୁ। ବେଳେ ବେଳେ ଦେଶର ଖବର ସମ୍ବନ୍ଧୀୟ ହେଉ କିମ୍ବା କିଛି କୌତୁହଳ କଥା, ସମସ୍ତ ଘଟଣାର ଭିଡିଓ ମଧ୍ୟ ଭାଇରାଲ ହୁଏ। ନିକଟରେ ପୁଣି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ଜୋମାଟୋ ଡେଲିଭରି ବୟକୁ ଚନ୍ଦନ ଲଗାଇ ପୂଜା କରୁଛନ୍ତି ଗ୍ରାହକ।
କୁହାଯାଉଛି ଯେ ଯେତେବେଳେ ଜୋମାଟୋ ଡେଲିଭରି ବୟ ଦୀର୍ଘ ସମୟ ପରେ ଗ୍ରାହକଙ୍କ ନିକଟରେ ପହଞ୍ଚିଥିଲା, ସେହି ସମୟରେ ଗ୍ରାହକ କ୍ରୋଧିତ ହେବା ପରିବର୍ତ୍ତେ ଡେଲିଭରି ବୟକୁ ପ୍ଲେଟରେ ଫୁଲ ଚନ୍ଦନ ନେଇ ସ୍ୱାଗତ କରିଥିଲେ। ଏହି ଭିଡିଓକୁ ଦିଲ୍ଲୀର ଜଣେ ବ୍ୟବସାୟୀ ସଞ୍ଜୀବ ତ୍ୟାଗୀ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେ ସେୟାର କରିବା ବେଳେ ଲେଖିଛନ୍ତି, “ଦିଲ୍ଲୀରେ ଭାରି ମାତ୍ରାରେ ଟ୍ରାଫିକ ହେବା ସତ୍ତ୍ୱେ ଅର୍ଡର ଗ୍ରହଣ କରିବାରୁ ଜୋମାଟୋକୁ ଧନ୍ୟବାଦ।”
ଭାଇରାଲ ଭିଡିଓକୁ ଦେଖି ଇନଷ୍ଟାଗ୍ରାମରେ ଅନେକ ଲୋକ ଭଲ ପ୍ରତିକ୍ରିୟା ଦେଇଛନ୍ତି। କେହି କହୁଛନ୍ତି ବିଳମ୍ବରେ ଡେଲିଭରି ହେବା ସତ୍ତ୍ୱେ ଗ୍ରାହକ କ୍ରୋଧିତ ନହୋଇ ସମ୍ମାନ ଦେଉଛନ୍ତି ତ ଆଉ କେହି କହୁଛନ୍ତି ଡେଲିଭରି ବୟ ମଧ୍ୟ ଜାଣିସାରିଲାଣି ତାର ଆରୋତୀ କରାଯିବ। ସେଥିପାଇଁ ଫୁଲ ଚନ୍ଦନ ଥାଳି ଦେଖି ହେଲମେଟ ଓହ୍ଲାଇ ଦେଇଛି। ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଯେ ପ୍ରତ୍ୟେକ ଜୋମାଟୋ ଡେଲିଭରି ବୟକୁ ଏପରି ସ୍ୱାଗତ କରାଯିବା ଉଚିତ। କାରଣ ସେମାନେ ଆମକୁ ଯେପରି ସେବା ଯୋଗେଇ ଥାନ୍ତି ଏଥିପାଇଁ ସେମାନେ ଏପରି ସମ୍ମାନ ପାଇବା ଯୋଗ୍ୟ।
ସୂଚନା ଥାଉକି ଯେ ଦିଲ୍ଲୀରେ ଅଧିକ ଟ୍ରାଫିକ୍ ହେତୁ ଠିକ୍ ସମୟରେ ଡେଲିଭରି ନପାଇ ଲୋକେ କ୍ରୋଧିତ ହୁଅନ୍ତି। ଏପରି ପରିସ୍ଥିତିରେ, ଯେତେବେଳେ ଏହି ଭିଡିଓରେ ଥିବା ବ୍ୟକ୍ତି ଡେଲିଭରି ବୟକୁ ଭିନ୍ନ ଭାବେ ସ୍ୱାଗତ କରିଥିଲେ, ସେତେବେଳେ ଏହି ନିଆରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୬୫ ହଜାର ଲୋକ ପସନ୍ଦ କରିଛନ୍ତି। ଭିଡିଓ ଦେଖିବା ପରେ ଅନେକ ଲୋକ କହିଛନ୍ତି ଯେ ଯେଉଁମାନେ ଡେଲିଭରି ବୟ ଉପରେ ରାଗନ୍ତି ସେମାନଙ୍କ ପାଇଁ ଏହା ଏକ ଶିକ୍ଷା।
Comments are closed.