ଏ ସଂପର୍କ ଏଇମିତି…

ନିୟମିତ ସ୍ତମ୍ଭ – ଓଦା ମାଟିରେ ପାଦଚିହ୍ନ –
ଲେଖକ – ଜ୍ୟୋତି ପ୍ରକାଶ ମହାପାତ୍ର

କୃଷ୍ଣ ଭାଇକୁ ୬୫ ବର୍ଷ । ଯାଜପୁର କଲେଜ ଛକରେ ସେ ରିକ୍ସା ଟାଣେ । ଗଲା ୪୫ ବର୍ଷ ଧରି ସେ ରିକ୍ସା ଟାଣୁଛି । କଲେଜ କଲୋନୀରେ ରହୁଥିବା ୧୭-୧୮ଟି ପରିବାର ତାର ନିୟୟମିତ ଗରାଖ । ଅବଶ୍ୟ ସେତେବେଳେ କଲେଜ ଛକଟି ଥିଲା ବେଶ ଅପନ୍ତରା । ସହରଠୁ ଦୂରରେ । ଗୋଟେ କଣରେ ଯାଜପୁରର ମୋ ସ୍ମୃତି ଭିତରୁ କୃଷ୍ଣ ଭାଇ ଜଣେ । ବକୁଟେ ଦିନରୁ ସେ ମତେ ରିକ୍ସାରେ ନେଇ ଡାକ୍ତରଖାନା ଯାଇଛି ମା’ ସାଙ୍ଗେ । ବିରଜାଙ୍କ ଦାଉ ଦାଉ ଆଖି ଦେଖିବାକୁ ନେଇଛି ପିଉସୀମାନଙ୍କ ସହ । ସେଇ କୃଷ୍ଣ ଭାଇ ମତେ ଦିନେ ଆଣୁଥିଲା କଟକ ବସ୍ରେ ବସେଇ ଦେବାକୁ । ଏମିତି କଥା ହେଉଥିଲୁ । ମତେ ସେ ପଚାରିଲା- ପୁପୁ, ଅରବିନ୍ଦ ପାଢୀଙ୍କ ଖବର କିଛି ରଖିଛୁ ? ମୁଁ ମୋବାଇଲରେ ଟିକେ ଅନ୍ୟମନସ୍କ ଥିଲି । ପଚାରିଲି- କୋଉ ଅରବିନ୍ଦ ପାଢୀ ?

ସେ କହିଲା- ଅରବିନ୍ଦ ପାଢୀ ପା । ଆମ କଲେକ୍ଟର । ତୁ ସାମ୍ବାଦିକ ନା, ମୁଁ ଭାବିଲି ତୁ ଜାଣିଥିବୁ । ମୁଁ ଟିକେ ହସିଦେଲି- ଆରେ, ସେ ପରା ଦିଲ୍ଲୀ ଗଲେଣି କେବେଠାରୁ । ଓଡ଼ିଶାରେ ଆଉ ନାହାନ୍ତି । କୃଷ୍ଣ ଭାଇ ପୁଣି ପଚାରିଲା- ମାନେ ? ସେଠିକି ପଳେଇଲେ ? ଆଉ ଫେରିବେନି ?

ମୁଁ କହିଲି- ହଁ ଫେରିବେ । ତାଙ୍କ ଚାକିରିରେ ସେମିତି ଯିବାକୁ ପଡ଼େ । ୫ ବର୍ଷ ପାଇଁ । ମ୍ୟାଡାମ୍ ବି ଯାଇଛନ୍ତି ଦିଲ୍ଲୀ ।
କୃଷ୍ଣ ଭାଇ ପଚାରିଲା- ସେ ଫେରିଲେ ଆଉ କଣ ଯାଜପୁର କଲେକ୍ଟର ହୋଇପାରିବେ ?
ମୁଁ ଟିକିଏ ଅଟକି ଗଲି । – କାଇଁ କଣ ହେଲା କି ? ଯାଜପୁର କଲେକ୍ଟର ସେ କେମିତି ହେବେ ? ବହୁତ ପ୍ରମୋସନ୍ ପାଇଗଲେଣି ଯେ !

କୃଷ୍ଣ ଭାଇ କହିଲା- ପୁପୁ, ବହୁତ କଲେକ୍ଟର ଆସିବେ ଯିବେ । ମୁଁ ତ ନିଇତି କଲେକ୍ଟର ଘର ଆଗରେ ଦେଇ ରିକ୍ସା ଟାଣୁଛି । କିନ୍ତୁ ତା ପରି କେହି ହେବନି । ମୋ ପୁଅ କଥା ନେଇ ଯେତେବେଳେ ମୁଁ ବ୍ୟସ୍ତ ହେଉଥିଲି, ତୁ ତ ଜାଣିଥିବୁ । ସେତେବେଳେ କିଏ କହିଲା- ଯାଉନୁ ଅରବିନ୍ଦ ପାଢୀଙ୍କୁ ଦେଖା କରିବୁ । ମୁଁ ଡରିମରି ଗଲି । କଲେକ୍ଟର ଘରକୁ । ଜାଣିଚୁ- ସେ ସବୁ ଶୁଣିଲା । ଆଉ ମୋ କାନ୍ଧରେ ହାତ ପକେଇ କହିଲା- ମଉସା ଯାଆ, ସବୁ ହୋଇଯିବ । ଆଉ କରିଦେଲା ବି । ମୁଁ ଆଜି ବି ତାକୁ ଅପେକ୍ଷା କରେ । ମୁଁ ଭାବେ ସେ ଯାଜପୁର କଲେକ୍ଟର ହୁଅନ୍ତାନି ପୁଣି ।
ମୁଁ ଦେଖିଲି କୃଷ୍ଣ ଭାଇ ରିକ୍ସା ଟାଣିବା ଧୀର ହୋଇ ଆସୁଛି । ଗାମୁଛାରେ ସେ ଆଖି ପୋଛୁଛି ।
ମୋ ଆଖି ସଜଳ ହୋଇଗଲା । ମୁଁ କହିଲି- କୃଷ୍ଣ ଭାଇ କାନ୍ଦେନି । ମୁଁ ତାଙ୍କୁ ଜଣେଇ ଦେବି । କିନ୍ତୁ ସେ ଆଉ ଯାଜପୁର ଆସିପାରିବେନି ଲୋ । ତାଙ୍କ ଚାକିରି ପରା ସେଇମିତି ।

ଗୋଟେ ଜିଲ୍ଲାପାଳ ଗୋଟେ ଜିଲ୍ଲା ଛାଡିବାର ୧୫ ବର୍ଷ ପରେ ସାଧାରଣ ଲୋକେ ତାଙ୍କୁ ଝୁରିବା, ମୁଁ ଆଉ କୋଉଠି ଏ ଢଙ୍ଗରେ ଦେଖିନି । ଯାଜପୁରିଆ ବୋଲି ମୁଁ ନିଜକୁ ଗର୍ବ କରେ । ଅନେକ ଗାଁରେ ମୋ ସାଙ୍ଗ । ସେଇ କଲେଜରେ ମୁଁ ପଢୁଥିଲି । ଯୁଆଡ଼େ ବି ମୁଁ ଯାଇଛି- ଅନେକ ଜାଗାରେ ଯେତେବେଳେ ଅରବିନ୍ଦ ପାଢୀଙ୍କ ପ୍ରସଙ୍ଗ ଉଠେ, ଲୋକେ ବିହ୍ୱଳ ହୋଇଯାଆନ୍ତି । ସମୟ ସରିଯାଏ । କିନ୍ତୁ ଅରବିନ୍ଦ ପାଢୀଙ୍କୁ ନେଇ ତାଙ୍କ କଥା ସରେନି ।

୨୦୧୧ରେ ମୋ ବାହାଘର ହେଲା । ଘର ସମସ୍ୟା ପାଇଁ ମୁଁ ଭୁବନେଶ୍ୱର ଛାଡ଼ି ଯାଜପୁର ପଳେଇଲି । ସେଇଠି ପରିମଳ ମିଶନରେ ଚାକିରି କଲି । ବକୁଟେ ଅଫିସ୍ । ୭-୮ ଜଣ କର୍ମଚାରୀ । ଆମ ଘର ପାଖରେ ବି ଅଫିସଟି ଥାଏ । ପାଢୀ ମଉସା ବୋଲି ଜଣେ ୫୫ ବର୍ଷର ଲୋକ ସେଇଠି ସରକାରୀ ପଦବୀ ଅନୁସାରେ ପିଅନ ଥାଏ ।

ଅରବିନ୍ଦ ପାଢୀ ସେତେବେଳକୁ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଥାଆନ୍ତି । ଦିନେ ସେ ଯାଜପୁର ଜିଲ୍ଲା ଗସ୍ତରେ ଆସିଲେ । ଯାଜପୁରର ତତ୍କାଳୀନ କଲେକ୍ଟର ଆମକୁ କହିଲେ ଯେ, ସେଦିନ କେହି ଛୁଟି ନେବେନି । ଆର୍ଡିସି ଆସୁଛନ୍ତି । ଆପଣଙ୍କ ଅଫିସ ବି ସେ ବୁଲିବାକୁ ଯାଇ ପାରନ୍ତି ।

ପାଢୀ ମଉସା କାଗଜ ଖଣ୍ଡେ ଧରି ମୋ ପାଖକୁ ଆସିଲା । ମୁଁ ପଚାରିଲି କଣ ହେଲା ମଉସା ? ମୁଣ୍ଡ କୁଣ୍ଡେଇଲା ସେ । ମୁଁ ପୁଣି ପଚାରିଲି- କୁହ, କଣ ହେଲା ଯେ !
ପାଢୀ ମଉସା କହିଲା- କାଲି ମୁଁ ଛୁଟି ନେବି ସାର୍ ।

ମୁଁ କହିଲି- ଆର୍ଡିସି ଆସୁଛନ୍ତି ବୋଲି ପରା କଲେକ୍ଟର ଛୁଟି ନେବା ପାଇଁ ସଭିଙ୍କୁ ମନା କରିଛନ୍ତି ।
ପାଢୀ ମଉସା କହିଲା- ସେଇଲାଗି ମୁଁ ଛୁଟି ନେଉଛି । ମୁଁ ଟିକେ ତାଙ୍କୁ ଦେଖିବି । ଆମକୁ ଚାକିରି ଦେଇଥିଲେ ସେ ।
ପାଢୀ ମଉସା ଛୁଟିରେ ଗଲା । ଅରବିନ୍ଦ ପାଢୀଙ୍କୁ ଦେଖିଲା । ଓ ତାପରେ ଯେତେ ସଂଜରେ ଆମେ ସାଙ୍ଗ ହୋଇ ବୈତରଣୀ କୂଳକୁ ଚାହା ପିଇବାକୁ ଯାଉ, ସେ ଅଜବ ସୁଅରେ ଅରବିନ୍ଦ ପାଢୀଙ୍କ ସଂପର୍କିତ କାହାଣୀ କହି ଚାଲେ ।
ମୁଁ ଯେତିକି ଶୁଣେ, ସେତିକି ସ୍ତମ୍ଭୀଭୂତ ହୁଏ । ଅରବିନ୍ଦ ପାଢୀ ତ ଏ ଜିଲ୍ଲାରେ ବେଶି ଦିନ ନ ଥିଲେ । କଣ ପାଇଁ ଏମାନେ ତାଙ୍କୁ ଏତେ ମନେ ରଖିଛନ୍ତି ? କଣ ପାଇଁ ତାଙ୍କୁ ନିଜ ଲୋକ ପରି ଝୁରୁଛନ୍ତି ?

ମୁଁ ସାମ୍ବାଦିକ ଥିଲି ଢେର ଦିନ । ନିଜେ କେତେକ ଜିଲ୍ଲାରେ ଜିଲ୍ଲା ପ୍ରତିନିଧି ଥିଲି । ଜିଲ୍ଲାପାଳମାନଙ୍କ ସହ ଘନିଷ୍ଠ ଭାବେ ମିଶିଛି । କିନ୍ତୁ କେହି ଲୋକ ଯେ, ତାଙ୍କ ଆବାସିକ କାର୍ଯ୍ୟାଳୟକୁ ପ୍ରାୟତଃ ଯାଆନ୍ତି, ତାହା ମୁଁ ଦେଖିନି । କିନ୍ତୁ ଯାଜପୁରରେ ଅରବିନ୍ଦ ପାଢୀ ଗୋଟେ ନିଇତି ଚର୍ଚ୍ଚାର ବିଷୟ ।
ତେଣିକି ସେ ବିରଜା ମନ୍ଦିରର ଟୁନା ନନା ହେଉ କି ମୋ ସାଙ୍ଗ ମହିଆ ହେଉ । ଯାହା ସାଙ୍ଗେ ମୁଁ ଗପେ, ଅରବିନ୍ଦ ପାଢୀ ସେଥିରେ ଗୋଟେ ଅଂଶ ଥାଆନ୍ତି ।

ମୁଁ ଯାଜପୁରରେ ଚାକିରି କଲା ବେଳେ ଜିଲ୍ଲା ମହୋତ୍ସବ – ଯଯାତିରେ ପ୍ରତ୍ୟକ୍ଷ ଭାବେ ଭାଗ ନେଉଥାଏ । ମହିଆ ମୋ ସାଙ୍ଗ ପରେ ଯିଏ ଜିଲ୍ଲା ପରିଷଦ ସଭ୍ୟ ହେଲା ମତେ କହିଲା- ଏ ଜିଲ୍ଲା ମହୋତ୍ସବ ଅରବିନ୍ଦ ପାଢୀ ଆରମ୍ଭ କରିଥିଲେ । ତା ପର ବର୍ଷ ଜିଲ୍ଲା ମହୋତ୍ସବ କୋଉ ଗୋଟେ କାରଣରୁ ହୋଇ ପାରିଲାନି । ମହିଆ ପୁଣି କହିଲା- ଅବରିନ୍ଦ ପାଢୀ ନାହାନ୍ତି ବୋଲି । ନ ହେଲେ ଜିଲ୍ଲା ମହୋତ୍ସବ ବନ୍ଦ ହୋଇ ଯାଆନ୍ତା ।

ପ୍ରିୟ ରଂଜନ କର ବୋଲି ଯାଜପୁରରେ ଜଣେ ଟିଭି ରିପୋର୍ଟର ଅଛନ୍ତି । ମୋର ଭଲ ସାଙ୍ଗ । ଆମେ ଅନେକ ସମୟରେ ଗପୁ । ବିରଜା ସୁଇଟସ୍ରୁ ସିଙ୍ଗଡ଼ା ଖାଉ । ଦିନେ ପ୍ରିୟ ତାଙ୍କ ଅନୁଭୂତି କହୁଥିଲେ । ସେ ସୁକିନ୍ଦାର କୌଣସି ଗାଁକୁ ଯାଇ ଥାଆନ୍ତି ରିପୋର୍ଟ କରିବାକୁ । ତାଙ୍କ ଷ୍ଟୋରୀ ଜଣେ ଅସହାୟା ବୃଦ୍ଧା ମହିଳାଙ୍କୁ ନେଇ ।
ସେ ବାଟରେ ଦାନଗଦୀ ପାଖରେ କଲେକ୍ଟର ଅରବିନ୍ଦ ପାଢୀଙ୍କୁ ଫୋନ କଲେ । କହିଲେ – ସାର୍, ବାଇଟ୍ ଦରକାର । ଆପଣ ଯାଜପରୁରେ ଅଛନ୍ତି ତ ?

କଲେକ୍ଟର କହିଲେ- ହଁ- ଅଛି । କଣ ହୋଇଛି କୁହନ୍ତୁ ତ ?
ପ୍ରିୟ କହିଲେ ଘଟଣା । ଯାଜପୁରରେ ସେ ପହଂଚି ଜିଲ୍ଲାପାଳଙ୍କ ଘରକୁ ଗଲେ । ଜିଲ୍ଲାପାଳ ବାଇଟ୍ ଦେବା ଆଗରୁ କହିଲେ- ପ୍ରିୟ, ସେ ବୃଦ୍ଧା ମାଉସୀଙ୍କୁ ମୁଁ ସୁକିନ୍ଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣି ରଖି ସାରିଛି । ତାଙ୍କୁ ୫୦ କିଲୋ ଚାଉଳ ସାଙ୍ଗେ ସାଙ୍ଗେ ପଠେଇ ଦେଇଛି । ବୃଦ୍ଧାବସ୍ଥା ପେନସନ ବି ହୋଇଯାଇଛି ।

ପ୍ରିୟ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କ ପାଟିରୁ ବାହାରି ପଡ଼ିଲା- ସାର୍, ଆପଣ ଏମିତି କାମ କଲେ ଆମେ ଜିଲ୍ଲା ପ୍ରଶାସନ ବିରୋଧରେ କେମିତି ରିପୋର୍ଟିର୍ଂ କରିବୁ ?
ଜିଲ୍ଲାପାଳ ହସିଲେ । କହିଲେ- ମୋ ବିଡ଼ିଓ ମତେ ସବୁ ଖବର ସତ କହିବନି । ମିଛ ରିପୋର୍ଟ ଦେବ । ଆପଣମାନେ ପରା ସତ କହିବେ । କହିଲେ ତ ମୁଁ କାମ କରି ପାରିବି ।

ଯେତେବେଳେ ଅରବିନ୍ଦ ପାଢୀ କେନ୍ଦ୍ରାଂଚଳ ଆର୍ଡିସି ଥାଆନ୍ତି, ସେଇ ସମୟରେ ଦିନେ ସେ ବୋଧହୁଏ କେନ୍ଦ୍ରାପଡ଼ାରୁ ଫେରୁ ଥାଆନ୍ତି ଭାୟା ଚଣ୍ଡୀଖୋଲ ଦେଇ । ଯାଜପୁର ଜିଲ୍ଲାର ନାନପୁର, ବାଲିଚନ୍ଦ୍ରପୁର ଫଟୋସବୁ ଟ୍ୱିଟ୍ କରୁ ଥାଆନ୍ତି । ମୁଁ ପଢୁଥାଏ । ପ୍ରତି ଦି ମିନିଟରେ ଗୋଟେ ଟ୍ୱିଟ୍ ଯାଜପୁରକୁ ନେଇ । ମୋ ମାଆ ଆସି ପଚାରିଲା- ଚାହା ପିଉନୁ । କଣଟା ଏମିତି ପଢୁଛୁ ? ମୁଁ କହିଲି- ଦେଖୁନ, ସେ ଜିଲ୍ଲା କେବେଠାରୁ ଛାଡ଼ିଲେଣି । କିନ୍ତୁ ଏ ଜିଲ୍ଲାକୁ ଛାଡ଼ି ପାରୁ ନାହାନ୍ତି ଯେ ।
ମାଆ କହିଲା- କିଏ ଅରବିନ୍ଦ ପାଢୀ କି ?

ମୁଁ ଅବାକ୍ ହୋଇଗଲି । କହିଲି- ହଁ । କିନ୍ତୁ ତମେ କେମିତି ଜାଣିଲ ?
ମାଆ ହସିଲା । କହିଲା- ସେ ପକ୍କା ଯାଜପୁରିଆ ଯେ !
ଗୋଟେ ଜିଲ୍ଲା ତାର ପୁରୁଣା ଜିଲ୍ଲାପାଳଙ୍କୁ ଏତେ ମନେ ରଖିପାରେ ! ଏମିତି ବାଗରେ ମନେ ରଖିପାରେ ! ଏମିତି ଝୁରିପାରେ ! ଏମିତି ଆପଣା କରିପାରେ !
ମୁଁ କୋଉଠି ଦେଖିନି ।

ବୋଧହୁଏ ସେ ସଂପର୍କ ସେଇମିତି । ଯାଜପୁରକୁ ଅରବିନ୍ଦ ପାଢୀ ଆଉ କେବେ କଲେକ୍ଟର ହୋଇ ଯାଇ ପାରିବେ ନାହିଁ, କାରଣ ତାଙ୍କ କ୍ୟାରିଅରରେ ସେ ବହୁତ ଆଗକୁ ଯାଇ ସାରିଲେଣି, କିନ୍ତୁ କୃଷ୍ଣ ଭାଇ କି ସେ କଥା ବୁଝେ ? ତା ମନ କି ସରକାରୀ ନିୟମ ଜାଣେ ?

ତଥାପି ଯାଜପୁର ଅରବିନ୍ଦ ପାଢୀଙ୍କୁ ନିଜର ଅନ୍ତରଂଗ ମଣିଷ ଭାବେ ଝୁରେ । କୃଷ୍ଣ ଭାଇ କାନ୍ଦେ । ପାଢୀ ମଉସା ଛୁଟିି ନିଏ । ମହିଆ ସବୁ କଥା ତାଙ୍କ ପାଇଁ ବୋଲି କୁହେ । ପ୍ରିୟ ତାଙ୍କର ପୁରୁଣା ଅନୁଭୂୂତି କହିଲା ବେଳେ ବିହ୍ୱଳ ହୋଇ ଯାଆନ୍ତି ।
ଆଉ ସ୍ତବ୍ଧ ହୋଇଯାଏ ମୁଁ ।

(ଲେଖକ – ଜ୍ୟୋତି ପ୍ରକାଶ ମହାପାତ୍ର ବୃତ୍ତିରେ ଅଧ୍ୟାପନା କରିବା ସହିତ ସେ ଜଣେ  ସ୍ତମ୍ଭକାର । ତାଙ୍କର ସାମ୍ବାଦିକତାର ଅଭିଜ୍ଞତାକୁ ଭିତ୍ତି କରି ସେ ଅନେକ ମୂଲ୍ୟବାନ ଆଲେଖ୍ୟ ଲେଖିଛନ୍ତି ।)

ଯୋଗାଯୋଗ – ଇମେଲ – [email protected]

 

ବି.ଦ୍ର: (ଅତିଥିସ୍ତମ୍ଭରେ ପ୍ରକାଶିତ ସମସ୍ତ ଲେଖା ଲେଖକଙ୍କର, ଲେଖାର କୌଣସି ଅଂଶ ଲାଗି ସମ୍ପାଦକ ଦାୟୀ ନୁହଁନ୍ତି)