ଭୁବନେଶ୍ବର: ଆଜିଠାରୁ କମିବ ବର୍ଷାର ପ୍ରଭାବ । ବଙ୍ଗୋପସାଗରରେ ସୃଷ୍ଟ ସଦୃଶ ଲଘୁଚାପ ସାମାନ୍ୟ ପଶ୍ଚିମ ଦିଗକୁ ଗତିକରି, ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଯାହାର ପ୍ରଭାବରେ ରାଜ୍ୟରୁ ଧିରେ ଧିରେ ବର୍ଷାର ପରିମାଣ କମିବ। ଏହା ସହ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ଏଥିସହ ଘନ କୁହୁଡି ଅନୁଭୂତ ହେବ।ଏନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପଟେ ଆଜି ବିଶେଷ କରି ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଭାଁ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଏଥିସହିତ ଆଜିଠୁ ରାଜ୍ୟରେ ବର୍ଷାର ପ୍ରକୋପ କମିବା ସାଙ୍ଗକୁ ଶୀତ ବଢିବା। ତାପମାତ୍ରା ଆଜିଠୁ ୨ ରୁ ୩ ଡିଗ୍ରୀ ଖସିବ। ତାହା ସାଙ୍ଗକୁ ଘନ କୁହୁଡି ମଧ୍ୟ ଅନୁଭୂତ ହେବ। ଘନ କୁହୁଡ଼ି ନେଇ ଆଜି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗିର, ଝାରସୁଗୁଡ଼ା, ନୂଆପଡ଼ା, ବରଗଡ଼, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାର କିଛି ଅଞ୍ଚଳରେ ଘନ କୁହୁଡ଼ି ସମ୍ଭାବନା ରହିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ।
ସେପଟେ ଦୁଇଟି ପର୍ଯ୍ୟାୟରେ ଆସି ଅଦିନିଆ ବର୍ଷା ଚାଷୀ ଭାଇଙ୍କୁ ଦୁଃଖ ଦେଇଥିବା ବେଳେ ଏବେ ବର୍ଷା କମିବା ଖବର ଟିକିଏ ଆଶ୍ବସ୍ତି ଆଣିଛି । ତେବେ ଠିକ୍ ଅମଳ ସମୟରେ ଅଦିନିଆ ବର୍ଷା କାରଣରୁ ବିଲରେ ଧାନ ଗଜା ହେବାକୁ ଆରମ୍ଭ କରିଥିବା ବେଳେ ଅନେକ ପନିପରିବା ମଧ୍ୟ ବର୍ଷା ମାଡରେ ନଷ୍ଟ ହୋଇଛି ।