Rahul Gandhi’s Big Charge: ମୋଦିଙ୍କ ନାଁରେ ବଡ଼ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ, କହିଲେ, ‘ମୋ ଫୋନ୍ ଉପରେ ରଖୁଛନ୍ତି ଗୁପ୍ତ ନଜର…’
ନୂଆଦିଲ୍ଲୀ: ବଡ ଅଭିଯୋଗ ଆଣିଲେ କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ତାଙ୍କ ଫୋନ୍ ଟ୍ୟାପିଂ(ଫୋନ୍ କଲ୍ର କଥାବାର୍ତ୍ତା ଉପରେ ଗୁପ୍ତ ନଜର ରଖିବା)କୁ ନେଇ ଏକ ବଡ଼ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫୋନ୍ ଟ୍ୟାପ୍ କରାଉଥିବା ରାହୁଲ ଅଭିଯୋଗ କରିଛନ୍ତି। ନିଜ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ଷ୍ଟାଟସ୍ ସେୟାର କରି ସେ ଏହି ଦାବି କରିଛନ୍ତି।
ଇନ୍ଷ୍ଟାଗ୍ରାମ୍ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସମୟରେ ଜଣେ ବ୍ୟବହାରକାରୀ ରାହୁଲଙ୍କୁ ପଚାରିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ବିଦେଶୀ ସହାୟତା ମିଳୁଥିବା କହୁଥିବା ବେଳେ ସେ ମୋଦିଙ୍କୁ ବିଦେଶୀ ଶକ୍ତିଙ୍କ ନିୟନ୍ତ୍ରଣରେ ଥିବା ଅଭିଯୋଗ କରୁଛନ୍ତି। ଏହାର ପ୍ରମାଣ କେଉଁଠି ବୋଲି ପ୍ରଶ୍ନ ହୋଇଥିଲା। ଏହାର ଉତ୍ତରରେ ରାହୁଲ ନିଜ ମୋବାଇଲ୍ ଫୋନ୍ ଦେଖାଇ କହିଥିଲେ, ତାଙ୍କ ସମସ୍ତ ଅଭିଯୋଗର ପ୍ରମାଣ ଏହି ଫୋନ୍ରେ ରହିଛି। ପ୍ରଧାନମନ୍ତ୍ରୀ ଏହା ଜାଣିଛନ୍ତି, କାରଣ ସେ ତାଙ୍କ ଫୋନ୍ ଟ୍ୟାପ୍ କରାଉଛନ୍ତି।
ରାହୁଲ ଆହୁରି କହିଥିଲେ, ମୋଦି ଯେଉଁଦିନ ତାଙ୍କ ସହ ମୁହାଁମୁହିଁ ଖୋଲା ବିତର୍କ ପାଇଁ ଆସିବେ, ସେଦିନ କିଏ ବିଦେଶୀ ଶକ୍ତିଙ୍କ ଇସାରାରେ କାମ କରୁଛି ଏବଂ କିଏ ଦେଶବିରୋଧୀ କାର୍ଯ୍ୟରେ ଜଡ଼ିତ, ତାହା ସମସ୍ତଙ୍କ ସାମ୍ନାକୁ ଆସିବ। ତାଙ୍କ ପାଖରେ ଏଭଳି ଅନେକ ତଥ୍ୟ ରହିଛି ବୋଲି ମଧ୍ୟ ସେ ଦାବି କରିଛନ୍ତି।
ତେବେ ଏହା ପ୍ରଥମ ନୁହେଁ, ରାହୁଲ ଗାନ୍ଧୀ ଗତ କିଛି ଦିନ ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲା ବିତର୍କ ପାଇଁ ଆହ୍ୱାନ ଦେଇଆସୁଛନ୍ତି। ନିକଟରେ ମୋଦିଙ୍କ ବସ୍ତର ଗସ୍ତ ପରେ ରାହୁଲ ଅଭିଯୋଗ କରିଥିଲେ ଯେ, ମୋଦି ବିଦେଶୀ ସହାୟତାରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଏବଂ ତାଙ୍କ ଆର୍ଥିକ ବ୍ୟବସ୍ଥା ମଧ୍ୟ ବିଦେଶୀ ଶକ୍ତିଙ୍କ ସମର୍ଥନ ଓ ନିୟନ୍ତ୍ରଣରେ ରହିଛି। ଏହି ପ୍ରସଙ୍ଗରେ ଯେକୌଣସି ମଞ୍ଚରେ, ଯେକୌଣସି ସମୟରେ ବିତର୍କ ପାଇଁ ସେ ପ୍ରସ୍ତୁତ ବୋଲି କହିଥିଲେ।
ଅନ୍ୟପଟେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାହୁଲଙ୍କ ଡିବେଟ୍ ଆହ୍ୱାନର ଜବାବ ଦେଇ କହିଥିଲେ, ଯଦି ସେ ପ୍ରକୃତରେ ଆଲୋଚନା ଚାହୁଁଛନ୍ତି, ତେବେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖନ୍ତୁ। ଆଲୋଚନା ପାଇଁ ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମଧ୍ୟ ପ୍ରସ୍ତୁତ ବୋଲି ସେ କହିଥିଲେ।
ଏବେ ଫୋନ୍ ଟ୍ୟାପିଂ ଅଭିଯୋଗ ଏବଂ ମୁହାଁମୁହିଁ ବିତର୍କର ଆହ୍ୱାନକୁ ନେଇ ଦେଶର ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
