ରଂଗ ମହୋତ୍ସବ
ରଂଗ ମହୋତ୍ସବ
ପ୍ରହଲ୍ଲାଦ ଶତପଥୀ
ଯେଉଁ ସକାଳ
ଆସନ୍ତାକାଲି ତୋତେ ରଂଗ ମଖେଇବ
ସେଇ ସକାଳ ମୋତେ ବି
ରକ୍ତିମ କରିଦେବ
ସୂର୍ଯ୍ୟମୟତାରେ
ମୁଁ କହିରଖେଁ
ମୋ ଭିତରୁ ଉଏଁ ସୂର୍ଯ୍ୟ
ଅସ୍ତ ବି ହୁଏ ମୋଭିତରେ
ଆଲୁଅ ଓ ଅଂଧାରକୁ ନେଇ
ଜାରିଥାଏ ରଂଗ ମହୋତ୍ସବ ।
ମୁଁ ଘୋଷଣା କରେ
ଆଜିଠୁ ଅଂଧାରର ଦଶଦିଗ ବଂଦ
ଆଲୁଅର ସବୁ ଦର୍ଜା ଖୋଲା
କେହି ଜଣେ କହିଦେଉ ପକ୍ଷୀକୁ
ମୋ ଭିତରେ
ପାହି ଆସିଲାଣି ରାତିଟାଏ ।
ରାତିଟିଏ ପାହିଯିବାର ଜୟ ଯାତ୍ରା ହିଁ
ରଂଗ ମହୋତ୍ସବ ଯାତ୍ରା
ଖୋଳପା ମେଲି ସଂବାଳୁଆର ପ୍ରଜାପତିରେ
ରୂପାନ୍ତରିତ ହେବା ଯାତ୍ରା ହିଁ
ରଂଗ ମହୋତ୍ସବର ଯାତ୍ରା ।
କିଏ ରଂଗ ମଖେଇଛି ସାବ୍ଜା ଡାଳ ପତ୍ରକୁ
ଦୁବଘାସ ଭିତରେ ଛପିଥିବା ଏକ ଚିର୍ହରିତ୍ ଅରଣ୍ୟର
ପତ୍ର ବିନ୍ୟାସକୁ
କିଏ ରଂଗ ମଖେଇଛି ରଂଗ ବେରଂଗୀ ସରୀସୃପକୁ
ସାଧବ ବୋହୁ ତ ରଂଗରେ ଉବୁଟୁବୁ ଆଜନ୍ମରୁ
କିଏ ରଂଗ ମଖେଇଛି ଚିତ୍ରିତ ବ୍ୟାଘ୍ରକୁ
କିଏ ରଂଗ ମଖେଇଛି ହିଂସ୍ରତାକୁ, ଭଲ ପାଇବାକୁ?
ନା ଗୋରା, ନା କଳା,
ଗୋରା କଳା ରଂଗରେ ମହକୁଥାଉ ଏ ପୃଥିବୀ
କିଏ ରଂଗ ମଖେଇଛି ମଣିଷକୁ?
ହସ କାଂଦ ବି ରଂଗ ମଖା ମହୋତ୍ସବର
ମୁହୂର୍ତ୍ତଟାଏ,
କେତେବେଳେ ଓଠ ଖସେଇଦିଏ ଶବ୍ଦ ତ
କେତେବେଳେ ଆଖି ଖସେଇଦିଏ ଲୁହ ।
ମୋର ଶିରା ପ୍ରଶିରା ସାବ୍ଜା
ମୋର ରକ୍ତ ଲାଲ
ମୋ ଓଠ କବିତା
ମୋର ଆଖି ଅହର୍ନିସ ଦୃଶ୍ୟମାନ,
ସବୁ ଫୁଲ ମୋରି ଭିତରେ ପ୍ରଷ୍ଫୁଟିତ ହୁଅନ୍ତି
ସବୁ ଯାକ ଫୁଲ ମୋରି ଭିତରେ ହିଁ
ଝରି ଯାଉଥାଆନ୍ତି,
ରକ୍ତକ୍ଷରା, ମଧୁଝରା ଶବ୍ଦମାନଙ୍କୁ ନେଇ
ମୁଁ ଲେଖୁଥିବା କବିତା ସବୁ ଜୀବନ ରଂଗରେ
ସବୁଠି ସବୁ ବେଳେ,
ଯେବେବି ଦର୍ପଣ ପାଖକୁ ଯାଇଛି
ମୋ ଭିତରେଥିବା ସବୁଯାକ ରଂଗ
ମୋ ମୁହଁରେ ଲେସି ହେଇଯାଆନ୍ତି,
ମୁଁ ସୁଂଦର ଦିଶେଁ
ଖାଲିଯାହା ହସି ଦିଏଁ
ଛାଟି ହେଇଯାଏ ଇଂଦ୍ରଧନୁ ଆକାଶରେ
ମୁଁ ଅନୁଭବ କରେ ରଂଗକୁ
ପ୍ରତିଟି ସ୍ନାୟୁରେ, ଜୀବକୋଷରେ ।
Comments are closed.