Latest Odisha News

ଚନ୍ଦନ ଯାତ୍ରା ବେଳେ ଅଘଟଣ, ବାଣ ଗଦାରେ ନିଆଁ ଲାଗି ଜଣେ ମୃତ, ଏକାଧିକ ଆହତ

ପୁରୀ: ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ଚାଲିଥିବା ବେଳେ ଅଭାବନୀୟ ଘଟଣା । ବାଣ ଗଦାରେ ନିଆଁ ଲାଗି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ମାନଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ କିଛି ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ସେମନାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଚନ୍ଦନ ଯାତ୍ରାର ବିଂଶ ତମ ଦିବସ ତଥା ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ଚାଲିଥିଲା । ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଭଉଁରୀ ନୀତି ଦେଖିବା ନିମନ୍ତେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଏହି ସମୟରେ ଦେବୀ ଘାଟ ନିକଟ ଦାସତୁଠ ନିକଟରେ କିଛି ଶ୍ରଦ୍ଧାଳୁ ବାଣ ଫୁଟାଇ ଖୁସି ମନେଇଥିଲେ । ବାଣ ଫୁଟାଇବା ବେଳେ ଅଚାନକ ଗୋଟେ ବାଣ ନିକଟରେ ଥିବା ବାଣ ଗଦା ଉପରେ ପଡିଥିଲା । ଫଳରେ ବଡ ଧରଣର ବାଣ ବିସ୍ଫୋରଣ ହୋଇଥିଲା। ଯାହାଫଳରେ ସେଠାରେ ଥିବା ଭକ୍ତ ଓ ସ୍ଥାନୀୟ  ବାସିନ୍ଦା ବାଣର କବଳରେ ପଡ଼ିଯାଇଥିଲା । ଏପରିକି ଅନେକ ଭକ୍ତ ଜୀବନ ବଞ୍ଚାଇବା ପାଇଁ ପାଣି ଭିତରକୁ ମଧ୍ୟ ଡେଇଁ ପଡ଼ିଥିଲେ ।

ତେବେ ଦୁର୍ଘଟଣାରେ ଏଯାବତ୍ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ସଙ୍ଗେ ସଙ୍ଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ କିନ୍ତୁ କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଜିଲ୍ଲାପାଳ, ଏସପି, ବିଧାୟକ, ସିଡିଏମ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଅପରପକ୍ଷର, ଚନ୍ଦନ ଯାତ୍ରା ସମୟରେ ପୁରୀ ନରେନ୍ଦ୍ର ପୋଖରୀରେ ହୋଇଥିବା ବାଣ ଦୁର୍ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହତ ମାନଙ୍କୁ ଆବଶ୍ୟକିୟ ସମସ୍ତ ଚିକିତ୍ସା ତୁରନ୍ତ ଯୋଗାଇ ଦେବା ପାଇଁ ମୁଖ୍ୟ ଶାସନ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆହତ ମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରିଲିଫ୍ ପାଣ୍ଠିରୁ ବହନ କରାଯିବ ବୋଲି ଘୋଷଣା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed.