Latest Odisha News

BREAKING NEWS

ସୁରଟର ରେଳ ଷ୍ଟେସନରେ ଦଳାଚକଟା; ଜଣେ ମୃତ, ଅନେକ ଆହତ

ଗାନ୍ଧୀନଗର: ଗୁଜୁରାଟର ସୁରଟ ରେଳ ଷ୍ଟେସନରେ ଅତ୍ୟଧିକ ଭିଡ ହେତୁ ଦଳାଚକଟାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଥିରେ ତିନିରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଦୀପାବଳିକୁ ଦୃଷ୍ଟିରେ ରଖି ରେଳ ଷ୍ଟେସନରେ ବହୁ ସଂଖ୍ୟାରେ ଯାତ୍ରୀଙ୍କ ଭିଡ ଦେଖିବାକୁ ମିଳିଥିଲା । ଯାତ୍ରୀମାନେ ଟ୍ରେନ୍ ଯୋଗେ ନିଜ ନିଜ ଘରକୁ ଯାଉଥିଲେ । ଏହି ସମୟରେ ବିହାରକୁ ଯାଉଥିବା ଏକ ଟ୍ରେନ୍ ଷ୍ଟେସନରେ ପହଞ୍ଚିଥିଲା ​​ଏଥିରେ ଚଢିବା ସମୟରେ ଯାତ୍ରୀଙ୍କ ମଧ୍ୟରେ ପେଲାଠେଲା ହୋଇଥିଲା ।

BjdElectrycity

ଏଥିରେ ପ୍ରଥମେ ଚାରି ଜଣ ଲୋକ ଚେତାଶୂନ୍ୟ ହୋଇଯାଇଥିଲେ । ସୁରଟ ରେଳ ଷ୍ଟେସନରେ ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ପ୍ରଥମେ ଡାକ୍ତରଖାନା ନିଆଯାଇଥିଲା । ଚିକିତ୍ସା ସମୟରେ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଅଙ୍କିତ ତବିରେନ୍ଦ୍ର ସିଂ । ଘଟଣାରେ ଅନ୍ୟ ତିନି ଜଣଙ୍କ ଚିକିତ୍ସା ଜାରି ରହିଛି । ଇତି ମଧ୍ୟରେ ସୁରଟ ସାଂସଦ ଏବଂ ରାଜ୍ୟ ରେଳ ମନ୍ତ୍ରୀ ଦର୍ଶନା ଜରଦୋଶ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି ।

ପୋଲିସ ଅଧୀକ୍ଷକ (ପଶ୍ଚିମ ରେଳ) ସରୋଜ କୁମାରୀ କହିଛନ୍ତି ଯେ, ଯାତ୍ରୀମାନେ ସକାଳେ ସୁରଟ ରେଳ ଷ୍ଟେସନରୁ ତାପ୍ତି ଗଙ୍ଗା ଏକ୍ସପ୍ରେସ ଟ୍ରେନରେ ଚଢିବାକୁ ଦୌଡିଥିଲେ । ଫଳରେ ଷ୍ଟେସନରେ ଯାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ମାତ୍ରାରେ ଠେଲାପେଲା ଓ ଦଳାଚକଟା ହୋଇଥିଲା । କିଛି ଲୋକଙ୍କୁ ଭିଡ କାରଣରୁ ନିଃଶ୍ବାସ ନେବାରେ ଅସୁବିଧା ହୋଇଥିବାବେଳେ ଆଉ କିଛି ଜଣ ମୁଣ୍ଡ ବୁଲାଇ ପଡିଯାଇଥିଲେ ।

ତେବେ ପ୍ରତିବର୍ଷ ସୁରଟରେ ହୀରା ଏବଂ ବୟନ ଶିଳ୍ପରେ ନିୟୋଜିତ ଅନେକ ଶ୍ରମିକ ଛଟ୍ ପୂଜା ପାଇଁ ବିହାର ଏବଂ ଉତ୍ତରପ୍ରଦେଶର ନିଜ ସହରକୁ ଯାଇଥାନ୍ତି । ଏହି କାରଣରୁ ପ୍ରତିବର୍ଷ ସୁରଟ ଷ୍ଟେସନରେ ବହୁ ମାତ୍ରାରେ ଭିଡ ଦେଖାଦେଇଥାଏ ।

 

Leave A Reply

Your email address will not be published.