ହାଇଦ୍ରାବାଦ: ବ୍ୟସ୍ତ ବହୁଳ ଜୀବନରେ ଆଜିକାର ପିଢି ଅଧିକ ଫାଷ୍ଟଫୁଡ ଉପରେ ନିର୍ଭରଶୀଳ। ସନ୍ଧ୍ୟା ହେବା ମାତ୍ରେ ଷ୍ଟ୍ରିଟ୍ ଫୁଡ୍ ଖାଇବାକୁ ବାହାରି ଯାଆନ୍ତି। ଏଥିରେ ସ୍ଵାସ୍ଥ୍ୟ କଥା କେହି ଚିନ୍ତା କରନ୍ତିନି। ଫାଷ୍ଟଫୁଡ ନାଁ ଶୁଣିଲେ ଅଧିକାଂଶ ଲୋକଙ୍କ ପାଟିରୁ ଲାଲ ବୋହି ଆସେ। ଏଥିରେ ମୋମୋ ଅତ୍ୟତମ। ପିଲାଠୁ ଆରମ୍ଭ କରି ବୟସ୍କ ସମସ୍ତେ ମୋମୋ ଖାଇବାକୁ ଭଲ ପାଆନ୍ତି। କହାକୁ ଷ୍ଟିମ୍ ମୋମୋ ଭଲ ଲାଗେ ତ ଆଉ କାହାକୁ ଫ୍ରାଏ ମୋମୋ। ତେବେ ଏହି ମୋମୋ ଖାଇବା ଏବେ କିଛି ଜଣଙ୍କୁ ମହଙ୍ଗା ପଡ଼ିଛି। ମୋମୋ ଖାଇ ଚାଲି ଯାଇଛି ଜଣଙ୍କ ଜୀବନ। ହାଇଦ୍ରାବାଦରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା।
ବନଜାରା ହିଲ୍ସ ନନ୍ଦିନଗରରେ ଲୋକମାନେ ରାସ୍ତା କଡରେ ଥିବା ଫୁଡ୍ ଷ୍ଟଲରେ ମୋମୋ ଖାଇବା ପରେ ଫୁଡ୍ ପଜନିଂ ହୋଇ ଯାଇଥିଲା। ଏଥିରେ ଜଣେ ମହିଳା ଅସୁସ୍ଥ ହେବା ପରେ ମୃତ୍ୟୁ ବରଣ କରିଛନ୍ତି । ଏଥିରେ ୨୦ ରୁ ଅଧିକ ଲୋକ ଅସୁସ୍ଥ ଅଛନ୍ତି। ପୋଲିସର ସୂଚନାନୁସାରେ, ଗତ ଶୁକ୍ରବାର ଦିନ ଲୋକମାନେ ମୋମୋ ଖାଇଥିଲେ। ଯାହା ପରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ସୋମବାର ମହିଳାଙ୍କ ମୃତ୍ୟୁ ପରେ ଲୋକମାନେ ବନଜାରା ହିଲ୍ସ ପୋଲିସ ଷ୍ଟେସନରେ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ପୋଲିସ ଖାଦ୍ୟ ଷ୍ଟଲ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।
ପୋଲିସର ସୂଚନାନୁସାରେ, ସ୍ଥାନୀୟ ନାଗରିକ ଏଜେନ୍ସିମାନଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଅନ୍ୟପଟେ ଡାକ୍ତରଖାନାରେ ପହଞ୍ଚିଥିବା ଲୋକମାନେ ପେଟ ଯନ୍ତ୍ରଣା, ବାନ୍ତି ଏବଂ ଝାଡ଼ା ବିଷୟରେ କହିଥିଲେ। ମହିଳାଙ୍କ ମୃତ୍ୟୁ ପରେ ଡାକ୍ତରମାନେ ତାଙ୍କ ପେଟରୁ ନମୁନା ନେଇଛନ୍ତି, ଅନୁସନ୍ଧାନ ପରେ ଲୋକଙ୍କ ଅସୁସ୍ଥ ହେବାର ସ୍ପଷ୍ଟ କାରଣ ଜଣାପଡିବ।
Comments are closed.