ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ପ୍ରଫେସର ସଞ୍ଜୟ ଉପାଧ୍ୟାୟଙ୍କ କୋଠରୀ ଭିତରକୁ ଅନୁମତି ମାଗି ପଶିଆସିଲେ ତିନିଜଣ ସ୍ନାତକ ଶ୍ରେଣୀର ଛାତ୍ରୀ। ଏବେ ସ୍ନାତକ ଦ୍ୱିତୀୟ ବର୍ଷରେ ପଢୁଛନ୍ତି ସେମାନେ। କ୍ଲାସ୍ ସରିଆସିବା ବେଳ ହେଲାଣି। ଏବେ ପିଲାମାନେ ଘରକୁ ଯିବା କଥା। ଏମିତି ସମୟରେ ଏହି ତିନି ଜଣ ଝିଅ କାହିଁକି ଆସିଲେ ତାଙ୍କ ପାଖକୁ, ସେହି କଥା ଚିନ୍ତା କରୁଥାନ୍ତି ପ୍ରଫେସର ଉପାଧ୍ୟାୟ। ସେ ହସି ହସି ପିଲାମାନଙ୍କୁ ପଚାରିଲେ, ଆରେ କଣ ହେଲା, ତମେ ତିନି ଜଣ ଏକା ସଙ୍ଗରେ ଆସିଛ? କିଛି ଅସୁବିଧା ଅଛି? ନା କେହି କିଛି କହିଲା? କୌଣସି ପୁଅ କିମ୍ବା କୌଣସି ଅଧ୍ୟାପକ କିଛି କହିଲେ କି? ତେବେ ସେହି ପିଲା ତିନି ଜଣଙ୍କ ଭିତରୁ ଦୁଇ ଜଣ ଏକା ସାଙ୍ଗରେ କହିଲେ, ନା ସାର୍ .. ଆମେ ଆମର ଏହି ସାଙ୍ଗ ସହିତ ଆସିଛୁ। ତାର କିଛି ସମସ୍ୟା ଅଛି। ସେ ଆପଣଙ୍କ ସହିତ କଥା ହେବାକୁ ଚାହୁଁଛି। ତା ପରେ ପ୍ରଫେସର ଉପାଧ୍ୟାୟ କହିଲେ, ଠିକ୍ ଅଛି .. ତୁମେମାନେ ବସ। ମୁଁ କିଛି କାଗଜପତ୍ର ଦେଖୁଛି। ମୋତେ ପାଞ୍ଚ ମିନିଟ୍ ସମୟ ଦିଅ। ତା ପରେ ମୁଁ ତୁମମାନଙ୍କ କଥା ଶୁଣିବି। ଏତକ କହି, ସେ ନିଜ କାମରେ ବ୍ୟସ୍ତ ହୋଇଗଲେ। ଏତିକି ବେଳେ ତାଙ୍କ ଟେବୁଲ ସାମ୍ନାରେ ବସିଥିବା ତିନି ଜଣ ଝିଅଙ୍କ ମଧ୍ୟରୁ ଗୋଟିଏ ଝିଅ ହଠାତ୍ ଧାର ଧାର ଲୁହ ଗଡ଼ାଇ କାନ୍ଦିବାରେ ଲାଗିଲା। ତା କାନ୍ଦ ଶବ୍ଦ ଶୁଣି ସେ ବାଧ୍ୟ ହୋଇ ସେଇ ସବୁ କାଗଜପତ୍ର ଥୋଇଦେଲେ ଏବଂ ପଚାରିଲେ, ଆରେ ମାଆ କଣ ହେଲା? କିଛି ଅସୁବିଧା ହେଲା କି? କାନ୍ଦିବା କଣ ଦରକାର? କହ, କଣ ହେଲା?
ହଠାତ୍ ଗମ୍ଭୀର ହୋଇଉଠିଲା ଝିଅଟି। ତା ପରେ ଲାଗିଲା, ସେ ନିଜର ସମସ୍ତ ସାହସ ଜୁଟାଇ କହିବାକୁ ଚେଷ୍ଟା କରୁଛି। ପ୍ରଫେସର ଉପାଧ୍ୟାୟ ତା ଆଡ଼କୁ ନିଜ ଟେବୁଲ ଉପରେ ଥିବା ପାଣି ଗ୍ଲାସଟିକୁ ବଢ଼ାଇ ଦେଇ କହିଲେ, ପ୍ରଥମେ ପାଣି ପିଅ। ତା ପରେ କହିବ। ଝିଅଟି ଟିକିଏ ଅଟକି ଗଲା। ତା ପରେ କହିଲା, ନା ସାର୍ .. ପାଣି ଦରକାର ନାହିଁ। ସେଇଠୁ ଅଧିକ ଗମ୍ଭୀର ଦେଖାଗଲା ସେ। କହିବା ଆରମ୍ଭ କଲା। ସାର୍ .. ମତେ ଲାଗୁଛି ମୁଁ ମୋ ବୟସଠାରୁ ଢେର୍ ଆଗକୁ ଚାଲି ଆସିଛି। ମାନେ ମୁଁ ଜୀବନରେ ଯେଉଁଠି ରହିବା କଥା, ତାଠୁ ଯଥେଷ୍ଟ ଆଗକୁ ଦୌଡ଼ିବାରେ ଲାଗିଛି। ମୁଁ ଭାବୁଛି, ମୁଁ ଏକ ମସ୍ତବଡ଼ ଭୁଲ୍ କରିଛି। ତା କଥା ଶୁଣି ପ୍ରଫେସର ଉପାଧ୍ୟାୟଙ୍କୁ ଲାଗୁଥିଲା ସତେ ଯେମିତି କେହି ଜଣେ ଗୀର୍ଜାଘରର କନଫେସନ୍ ବାକ୍ସ ଭିତରେ ନିଜେ କରିଥିବା ଭୁଲ୍ ପାଇଁ କ୍ଷମା ମାଗିବା ପାଇଁ ଆସିଛି। ତା ପରେ ପ୍ରଫେସର ଉପାଧ୍ୟାୟ କହିଲେ, ଠିକ୍ ଅଛି, ଏଥିରେ ବ୍ୟସ୍ତ ହେବାର କଣ ଅଛି? କହ, କଣ ହେଲା? କଣ ପାଇଁ ତୁମେ ଏମିତି କହୁଛ? ତମେ କଣ ହଷ୍ଟେଲରେ ରହୁଛ? ନା ବାହାରେ କେଉଁଠି? ସେ କହିଲା, ନା ସାର୍। ହଷ୍ଟେଲରେ ନୁହେଁ, ବାହାରେ ଜଣେ ସାଙ୍ଗ ସହିତ ରହୁଛି। ଗୋଟିଏ ଡବଲ ବେଡ୍ ରୁମ୍ ବାଲା ଘର ନେଇ ସେଇଠି ଆମେ ଦୁଇ ଜଣ ରହୁଛୁ। ତା ହେଲେ, ତୁମ ଦୁଇ ଜଣଙ୍କ ଭିତରୁ କେହି ୟା ସହିତ ରହୁଛ କି? ସେହି ଝିଅର ସାଙ୍ଗରେ ଥିବା ଅନ୍ୟ ଦୁଇ ଜଣଙ୍କ ଉଦ୍ଦେଶ୍ୟରେ ଏକଥା ପଚାରିଲେ ପ୍ରଫେସର ଉପାଧ୍ୟାୟ। କିନ୍ତୁ ସେମାନଙ୍କ ଉତ୍ତର ଥିଲା ନା। ତାହେଲେ କାହା ସହିତ ରହୁଛ ତମେ? ପୁଅ ନା ଝିଅ? ସାର୍, ଗୋଟିଏ ପୁଅ ସାଙ୍ଗ। ଉତ୍ତର ଦେଲା ଝିଅଟି। ତା ପରେ ନଈବଢ଼ିରେ ବନ୍ଧ ଭାଙ୍ଗିଗଲା ଭଳି ଅତି ଜୋରରେ କାନ୍ଦି ଉଠିଲା ଝିଅଟି।
ପ୍ରଫେସର ଉପାଧ୍ୟାୟ ବୁଝି ପାରୁଥିଲେ, ନିଶ୍ଚିତ ଭାବେ କିଛି ଗୋଟାଏ ଅଘଟଣ ଘଟିଛି ବା ଝିଅଟି କୌଣସି ପ୍ରକାର ଶକ୍ତ ଧକ୍କା ପାଇଛି ଜୀବନରେ ବୋଧେ। ସେଥିପାଇଁ ଏମିତି ଅଧୈର୍ଯ୍ୟ ହୋଇ କାନ୍ଦୁଛି। ପ୍ରଫେସର ଉପାଧ୍ୟାୟ କହିଲେ, ଠିକ୍ ଅଛି। କିଛି ବ୍ୟସ୍ତ ହେବାର ନାହିଁ। ତୁମ ମନ ଭରିଲା ଯାଏଁ ତୁମେ କାନ୍ଦିଦିଅ। ତା ପରେ ଆମେ କଥା ହେବା। ପ୍ରାୟ ଦଶ ମିନିଟ୍ ଯାଏଁ କାନ୍ଦିଲା ଝିଅଟି। ତାର ଦୁଇଜଣ ଯାକ ସାଙ୍ଗ ତାକୁ ବୁଝାଇବାକୁ ଚେଷ୍ଟା କରୁଥାନ୍ତି। ତୁନି ହେବାକୁ କହୁଥାନ୍ତି। କିନ୍ତୁ ତାର କୌଣସି ପ୍ରଭାବ ପଡୁନଥାଏ। ଶେଷରେ ପ୍ରଫେସର ଉପାଧ୍ୟାୟ କହିଲେ, ଆରେ ମାଆ, ତୁମର ଯଦି କାନ୍ଦିବାର ଅଛି, ତାହେଲେ ଯାଅ, ନିଜ ଇଛାମୁତାବକ ଆହୁରି କାନ୍ଦ। ଯେବେ ତୁମ କାନ୍ଦ ଶେଷ ହେବ, ସେତେବେଳେ ମୋ ପାଖକୁ ଆସିବ। ଏକଥା ଶୁଣି, ହଠାତ୍ ଚୁପ୍ ହୋଇଗଲା ଝିଅଟି। ସେଠାରୁ ପୁଣି ଆରମ୍ଭ କଲା ତା କଥା।
ସାର୍, ମୁଁ ସୁନୟନା ହାଲଦାର। ମୋ ଘର ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ନଦିୟାପୁର ଗାଁରେ। ମୋ ବୟସ ଅଠର ବର୍ଷ। ମୁଁ ଚାହିଁଥିଲେ ମୋ ରାଜ୍ୟରେ ଥିବା କୋଲକାତାରେ ପାଠ ପଢ଼ିପାରିଥାନ୍ତି। କିନ୍ତୁ ମୁଁ ଚାହୁଁଥିଲି ଘରଠୁ, ଗାଁଠୁ ବେଶ୍ ଦୂରକୁ ଚାଲିଯିବା ପାଇଁ। ସେଥିଲାଗି ମୁଁ ଦିଲ୍ଲୀ ଆସିଛି। ମୋ ବାପାଙ୍କ ଇଚ୍ଛା ଥିଲା ମୁଁ ପାଠ ପଢ଼ି ଡାକ୍ତର ହୁଏ। କିନ୍ତୁ ମୋର ଆଦୌ ଇଚ୍ଛା ନଥିଲା। ବରଂ ରାଜନୀତି ବିଜ୍ଞାନ ଓ ସମାଜ ବିଜ୍ଞାନ ପଢ଼ି ମୁଁ ଆଇଏଏସ୍ ହେବାର ଇଚ୍ଛା ନେଇ ଦିଲ୍ଲୀ ଆସିଥିଲି। ତେବେ ଏଠାକୁ ଆସିବା ପରେ ମୋର ସବୁ ଲକ୍ଷ୍ୟ, ଚିନ୍ତାଧାରା, ଚାଲିଚଳନ ସବୁକିଛି ବଦଳିଗଲା। ନୂଆ ନୂଆ ସାଙ୍ଗମାନଙ୍କ ସହିତ ପାର୍ଟିକୁ ଯିବା, କ୍ଲବ୍ ଯାଇ ନାଚଗୀତ କରିବା, ବିଳମ୍ବିତ ରାତି ଯାଏଁ ବାହାରେ ରହିବା ଭଳି ଅନେକ ନୂଆ ଅଭ୍ୟାସ ତିଆରି ହେଲା ମୋର। ଏମିତି ହିଁ ଗୋଟିଏ ବିଳମ୍ବିତ ରାତିର ପାର୍ଟିରେ ମୋର ଦେଖା ହୋଇଥିଲା ସେହି ପୁଅ ସହିତ। ତାର ନାଁ ଦିନେଶ ତିୱାରୀ। ମୋର ଜଣେ ସାଙ୍ଗ ଥିଲା ଆମ ମଝିରେ ମଧ୍ୟସ୍ଥି। ସିଏ ହିଁ ଆମକୁ ପରସ୍ପର ସହିତ ପରିଚିତ କରାଇଥିଲା। ସାର୍, ଏମିତି ଅନେକ ସମୟ ଅଛି, ଯେତେବେଳେ ମୁଁ କ୍ଲାସକୁ ନଆସି ସେ ପୁଅ ସହିତ ବାହାରକୁ ବୁଲିବାକୁ ଯାଇଛି। ସେ ମୋତେ ସାଙ୍ଗରେ ନେଇ ବିଭିନ୍ନ ସ୍ଥାନକୁ ଯାଇଛି। ନିଶ୍ଚଳ ମୂର୍ତ୍ତିଟିଏ ହଠାତ୍ ଜୀବନ୍ତ ହୋଇଉଠିବା ପରି ସୁନୟନା ଅନର୍ଗଳ କହିଚାଲିଥିଲା ତାର କାହାଣୀ। ପ୍ରଫେସର ଉପାଧ୍ୟାୟ ଏ ସବୁ କଥା ଶୁଣି କହିଲେ, ଠିକ୍ ଅଛି ଯେ, ହେଲେ ତମେ କାନ୍ଦିବାର କାରଣ କଣ?
ସୁନୟନା କହିଲା, ସାର୍ .. ଦିନେଶ ସହିତ ସବୁ ଠିକଠାକ୍ ଚାଲିଥିଲା। କିନ୍ତୁ ଗତ କିଛି ଦିନ ହେଲା, ସେ ନିୟମିତ ଭାବେ ମୋଠାରୁ ପଇସା ମାଗେ। ମୋ ଘରୁ ମୋ ବାପା ମାଆ ପାଠ ପଢ଼ା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ଯାହା ପଇସା ପଠାଉଛନ୍ତି, ତାକୁ ବି ସେ ନେଇ ଯାଉଛି ମୋଠାରୁ। ତଥାପି ମୋର କୌଣସି ଆପତ୍ତି ନଥିଲା। କାରଣ, ତାକୁ ନେଇ ମୁଁ ଅନେକ ଆଗକୁ ବଢ଼ି ସାରିଥିଲି। ଏପରିକି ଆସନ୍ତା ପୂଜା ଛୁଟିରେ ମୋ ବାପା ମାଆ ମୋ ପାଖକୁ ଆସିଲେ, ସେମାନଙ୍କ ସହିତ ବି ତାକୁ ପରିଚିତ କରାଇବା ପାଇଁ ମୁଁ ପ୍ରସ୍ତୁତ ହୋଇଥିଲି। ଯେମିତି ହେଲେ ମୋ ବାପା ମାଆଙ୍କୁ ବୁଝାଇ ମୁଁ ତାକୁ ବାହା ହେବାକୁ ଚାହୁଁଥିଲି ସାର୍। ହେଲେ ତିନି ଦିନ ତଳେ ଜଣା ପଡ଼ିଲା, ସେ ଅନ୍ୟ କୌଣସି ଏକ ଝିଅ ସହିତ ପୂର୍ବରୁ ସମ୍ପର୍କ ରଖିଥିଲା। ତେଣୁ ସେହି ଝିଅର ଘର ଲୋକେ ଏବେ ଜୋର ଜବରଦସ୍ତ ତାର ବାହାଘର କରାଇ ଦେଇଛନ୍ତି। ମାତ୍ର ୨୧ ବର୍ଷ ବୟସରେ ଦିନେଶ ଏବେ ବିବାହିତ। ଏଇ କଥା ଜାଣିଲା ପରେ, ମୋ ପାଇଁ ସବୁ କିଛି ଅନ୍ଧାର ହୋଇଯାଇଛି ସାର୍। ମୋତେ କେବଳ କାନ୍ଦିବାକୁ ଇଚ୍ଛା ହେଉଛି। ବେଳେ ବେଳେ ଆତ୍ମହତ୍ୟା କରିବା କଥା ମନକୁ ଆସୁଛି। ମୁଁ କଣ କରିବି, କିଛି ଚିନ୍ତା କରିପାରୁନି ସାର୍।
ସୁନୟନାର ଏହି ସବୁ କଥା ଶୁଣିଲା ପରେ ଧୀରେ ଧୀରେ ଅଧିକରୁ ଅଧିକ ଗମ୍ଭୀର ହୋଇଉଠୁଥିଲେ ପ୍ରଫେସର ଉପାଧ୍ୟାୟ। ସେ ଭାବୁଥିଲେ, ଏସବୁ କଥା ଏଇ ଝିଅଟି ତାଙ୍କୁ କାହିଁକି କହୁଛି? ସେ ତ ନିଜ ବାପା ମାଆଙ୍କୁ ଏକଥା କହିପାରିଥାନ୍ତା। କିନ୍ତୁ ସେମିତି ନକରି, ନିଜ ପ୍ରଫେସରଙ୍କୁ କହିବା କଥା କାହିଁକି ଚିନ୍ତା କରିଛି ସେ? ପ୍ରଫେସର ଉପାଧ୍ୟାୟ କହିଲେ, ଆରେ ସୁନୟନା, ତୁମେ ମନେ ପକାଅ, ମୋ ସାଙ୍ଗରେ କଥାବାର୍ତ୍ତା ଆରମ୍ଭ କଲା ବେଳେ ତୁମେ ଯେଉଁ ପ୍ରଥମ ବାକ୍ୟଟି କହିଥିଲ, ସେ କଥାକୁ। ତୁମକୁ ଲାଗୁନି, ତୁମେ ତୁମ ବୟସଠୁ ଢେର୍ ଆଗକୁ ଦୌଡ଼ି ଯାଉଛ ବୋଲି? ଝିଅଟି କହିଲା, ହଁ ସାର୍। ସେଥିରେ କୌଣସି ସନ୍ଦେହ ନାହିଁ। ତା ପରେ ପ୍ରଫେସର ଉପାଧ୍ୟାୟ କହିଲେ, ସୁନୟନା, ବ୍ୟସ୍ତ ହେବାର କିଛି ନାହିଁ। ବରଂ ଖୁସି ହୁଅ ଯେ, ତୁମେ ତାକୁ ନେଇ ଦେଖିଥିବା ସ୍ୱପ୍ନ ପୂରଣ ହେବା ପୂର୍ବରୁ ତାହା ଭାଙ୍ଗିଗଲା। ହଁ, ଏକଥା ନିଶ୍ଚିତ ଭାବେ ସତ ଯେ, କିଛି ସ୍ୱପ୍ନ ମରିଗଲେ ବା ଭାଙ୍ଗିଗଲେ, ଜୀବନଟା ମରିଯାଏନି। ତେଣୁ ଜୀବନରେ ଯଦି ତୁମେ ନିଜ ଉପରେ ନିଜେ ବିଶ୍ୱାସ କରିପାରିବ, ତାହେଲେ ଜୀବନରେ ଆଗକୁ ଆହୁରି ଅନେକ କିଛି ଭଲ କଥା ଘଟିବ। ତେଣୁ ଭାଙ୍ଗିପଡ଼ିବାର କିଛି ନାହିଁ। ତେବେ ମୋତେ ଗୋଟିଏ କଥା କହ, ତୁମେ ଏ କଥା ତୁମ ଘରର କାହାକୁ କିମ୍ବା ବାପା ମାଆଙ୍କୁ ନକହି, ମୋତେ କାହିଁକି କହିଲ? ସୁନୟନା କହିଲା, ସାର୍.. ବାପାଙ୍କ ଇଚ୍ଛା ବିରୋଧରେ ଆସି ମୁଁ ଏଠାରେ ନାଁ ଲେଖାଇଥିଲି। ମାଆ ଚାହୁଁନଥିଲେ ମୁଁ ପଶ୍ଚିମବଙ୍ଗ ଛାଡ଼ି ବାହାରକୁ ଆସେ ବୋଲି। ମୁଁ ସେମାନଙ୍କ କଥା ଶୁଣିନି। ସେମାନେ ମୋ କଥା କେମିତି ଶୁଣିବେ? ତା ଛଡ଼ା ମୋ ବାପା ଗାଁର ଜଣେ ଜମିଦାର। ଦିନ ତମାମ ଗାଁରେ ମାମଲତି କରିବା ପରେ, ସନ୍ଧ୍ୟାରେ ଘରକୁ ମଦ ପିଇ ଫେରନ୍ତି। ମୋ ମାଆ ସହିତ ଝଗଡ଼ା କରନ୍ତି। ପିଲାଦିନରୁ ସେମାନଙ୍କୁ ଏ ଅବସ୍ଥାରେ ଦେଖି ଦେଖି ମୁଁ ଏତେ ବିତସ୍ପୃହ ହୋଇଯାଇଥିଲି ଯେ, ଘରଠୁ ବହୁ ଦୂରକୁ ଚାଲିଯିବାକୁ ଚାହୁଁଥିଲି। ହୁଏତ ସେହି କାରଣ ପାଇଁ ମୋ ଜୀବନଟା ଅଧିକ ବେଗବାନ୍ ହୋଇଯାଇଛି। ଏଇଠି ଡିପାର୍ଟମେଣ୍ଟରେ ଅନ୍ୟ ଯେତେ ସବୁ ଅଧ୍ୟାପକ ଅଧ୍ୟାପିକା ଅଛନ୍ତି, ସେମାନଙ୍କୁ ଦେଖିଲେ, କେଜାଣି କାହିଁକି ମୋର କନଫିଡେନସ୍ ଆସୁନାହିଁ। ସେମାନଙ୍କୁ ଯଦି ମୁଁ ମୋର ଏ ବ୍ୟକ୍ତିଗତ ସମସ୍ୟା କଥା କହେ, କାଳେ ସେମାନେ ଶୁଣିବେ ନାହିଁ। କିନ୍ତୁ ଆପଣଙ୍କୁ ଦେଖିଲେ ବାପା ଭଳି ଅନୁଭବ ହୁଏ। ଆପଣ ଡିପାର୍ଟମେଣ୍ଟରେ ସମସ୍ତଙ୍କଠାରୁ ବଡ଼। ତେଣୁ, ଭାବିଲି, ମୁଁ ମୋ କଥା କହିଲେ, ଆପଣ ନିଶ୍ଚୟ ଶୁଣିବେ ଏବଂ ମୋତେ ଗାଇଡ୍ କରିବେ। ସେତିକି ବେଳେ ସୁନୟନା ସହିତ ଥିବା ଅନ୍ୟ ଦୁଇ ଜଣ ଝିଅ ବି ସେକଥା ହିଁ କହିଲେ। ସେମାନଙ୍କ କହିବା କଥା, ସାର୍ .. ଆପଣ ଅଭିଭାବକ ଭଳି ଅନୁଭବ ହୁଅନ୍ତି। ସେଥିପାଇଁ ସାହସ କରି ଆମେ ଆପଣଙ୍କ ପାଖକୁ ଆସିଥିଲୁ।
ପ୍ରଫେସର ଉପାଧ୍ୟାୟ ହସିଦେଲେ। କହିଲେ, ଠିକ୍ ଅଛି। କିନ୍ତୁ, ତୁମମାନଙ୍କୁ ଗୋଟିଏ କଥା କହିବି, ବାପା ମାଆଙ୍କୁ ଅଭିଭାବକ ବା ମୁରବି ବୋଲି ନଭାବି ଯଦି ବନ୍ଧୁ ବୋଲି ଭାବିବ, ତାହେଲେ ତୁମ ସମସ୍ୟାର ସମାଧାନ ସହଜରେ ହୋଇପାରିବ। ସେମାନେ ବାପା ମାଆ। ଆମେ କେତେ ଭୁଲ୍ କଲେ ବି, କେବେ କୌଣସି ବାପା ମାଆ ଚାହିଁବେ ନାହିଁ, ଆମେ ଅସୁବିଧାରେ ପଡ଼ି ହଇରାଣ ହୁଅନ୍ତୁ ବା କଷ୍ଟ ପାଆନ୍ତୁ। ତେଣୁ ସମୟ ସୁବିଧା ଦେଖି, ତୁମକୁ ଏ ସବୁ କଥା ନିଜ ବାପା କିମ୍ବା ମାଆଙ୍କୁ କହିବାକୁ ହିଁ ହେବ। କିନ୍ତୁ ତାପୂର୍ବରୁ ନିଜ ମନୋବଳ ଦୃଢ଼ କରିବାକୁ ହେବ। ସୁନୟନା, ତୁମେ ନିଜେ ଜାଣିଛ ଯେ, ତୁମେ ତୁମ ଜୀବନର ଗାଡ଼ିକୁ ଖୁବ୍ ଦ୍ରୁତଗତିରେ ଚଳାଇଛ। ହଁ ସେଥିରେ ଅସୁବିଧା କଣ ହୋଇଗଲା। ଜୀବନରେ ବେଳେ ବେଳେ ଆମ ଗତି ଦ୍ରୁତ ହୋଇଯାଏ। ଆମେ ଆମ ଜୀବନ ଗାଡ଼ିର ଏକ୍ସିଲିରେଟରକୁ ଟିକିଏ ଜୋରରେ ମୋଡ଼ି ଦେଉ, ଯାହାଫଳରେ ତାର ବେଗ ବଢ଼ିଯାଏ। ତାର ମାନେ କଣ, ଆମ ପାଖରୁ ବ୍ରେକ୍ ମାରିବା ଅଧିକାରଟା ଚାଲିଗଲା? ତାହା ନୁହେଁ ନା। ଆମେ ଯଦି ଭୁଲ୍ ବଶତଃ ନିଜର ଗତି ବଢ଼ାଇ ଦେଇଛନ୍ତି, ତାହେଲେ ସେଥିରେ ବ୍ରେକ୍ କଷିବାର ଦକ୍ଷତା ଏବଂ ଅଧିକାର ଉଭୟ ଆମର ଅଛି। ତେଣୁ, ଏହାକୁ ନେଇ ବିବ୍ରତ ହେବାର କଣ ଅଛି? ନିଜର ଭୁଲ୍ ସୁଧାରିବା ପାଇଁ ତୁମ ପାଖରେ ଯଥେଷ୍ଟ ସୁଯୋଗ ଏବଂ ସମୟ, ଉଭୟ ଅଛି। ତରୁଣ ବୟସରେ ହୋଇଥିବା ଏହି ଭୁଲକୁ ସୁଧାରିବାକୁ ହେଲେ, ପ୍ରଥମେ ସେହି ସବୁ ପୁରୁଣା କଥାକୁ ଭୁଲିଯିବାକୁ ହେବ। ନିଜକୁ ନିଜ ପାଠପଢ଼ା ଏବଂ ଲକ୍ଷ୍ୟ ସହିତ ଯୋଡ଼ିବାକୁ ହେବ। ତା ପରେ ହିଁ ଜୀବନର ଗତିପଥ ବଦଳି ପାରିବ। ତେଣୁ କନ୍ଦାକଟା ବନ୍ଦ କର। ଘରକୁ ଯାଅ ଏବଂ ନିଜ କାମ ଓ ନିଜ ଜୀବନ ଉପରେ ଅଧିକ ଗୁରୁତ୍ୱ ଦିଅ। ସବୁ ଠିକ୍ ହୋଇଯିବ।
ସୁନୟନା ଓ ତାର ସାଙ୍ଗମାନେ ଚାଲିଯାଇଥିଲେ ସେଠାରୁ। ପ୍ରଫେସର ଉପାଧ୍ୟାୟ ନିଜର ଦୈନନ୍ଦିନ କାମରେ ପୁଣି ବ୍ୟସ୍ତ ହୋଇପଡ଼ିଲେ। ପରବର୍ତ୍ତୀ ସମୟରେ ଆଉ ସେ କେବେ ସୁନୟନା କି ତାର ସାଙ୍ଗମାନଙ୍କ ସମ୍ପର୍କରେ ଅଧିକ କିଛି ଜାଣିବାକୁ ଚେଷ୍ଟା କରିନାହାନ୍ତି। ମୋଟାମୋଟି କହିବାକୁ ଗଲେ, ସେ ଶହ ଶହ ପିଲାଙ୍କ କଥା ବୁଝିବା ଭିତରେ ଭୁଲି ଯାଇଛନ୍ତି ସୁନୟନାକୁ। ହେଲେ ସେଦିନ ଯେତେବେଳେ ବିଶ୍ୱବିଦ୍ୟାଳୟ ଅଡିଟୋରିଅମରେ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହେଉଥିଲା, ସେଇଠି ଉପସ୍ଥିତ ଥିଲେ ପ୍ରଫେସର ଉପାଧ୍ୟାୟ। ମୁଖ୍ୟ ଅତିଥିଙ୍କଠାରୁ ଜଣକ ପରେ ଜଣେ ଛାତ୍ର ଛାତ୍ରୀ, ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣପଦକ ଗ୍ରହଣ କରୁଥାନ୍ତି। ସେତିକି ବେଳେ ଘୋଷଣା ହେଲା ସୁନୟନା ହାଲଦାରର ନାଁ। ସେହି ନାଁଟି ଶୁଣି ହଠାତ୍ ଚିହିଁକି ଉଠିଲେ ପ୍ରଫେସର ଉପାଧ୍ୟାୟ। ମଞ୍ଚଉପରେ ସ୍ୱର୍ଣ୍ଣପଦକ ଗ୍ରହଣ କରିବା ବେଳେ ସୁନୟନା ଦେଖୁଥାଏ ଦର୍ଶକଙ୍କ ଗହଣରେ ବସିଥିବା ପ୍ରଫେସର ଉପାଧ୍ୟାୟଙ୍କୁ। ତା ଆଖିରେ ଥିଲା ଗୋଟିଏ ଅଭୂତପୂର୍ବ ଚମକ। ସେ ଏତେ ହସ ହସ ଥିଲା ଯେ, ଲାଗୁଥିଲା ଯେମିତି ସେ ତା ଜୀବନରେ କେବେ ବି କାନ୍ଦିନି। କାନ୍ଦିବାଟା ତା ଛାଇକୁ ବି କେବେ ଛୁଇଁ ପାରିବ ନାହିଁ। ନିଜର ସ୍ୱର୍ଣ୍ଣପଦକ ଓ ସାର୍ଟିଫିକେଟ୍ ନେଇ ମଞ୍ଚରୁ ସିଧା ଓହ୍ଲାଇ ଦୌଡ଼ିଆସିଲା ସୁନୟନା, ପ୍ରଫେସର ଉପାଧ୍ୟାୟଙ୍କ ପାଖକୁ। ତାଙ୍କୁ ପାଦ ଛୁଇଁ ପ୍ରଣାମ ହେଲା। କହିଲା ସାର୍, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଦେଖନ୍ତୁ, ସେଦିନଠୁ ମୁଁ କେବେ କାନ୍ଦିନି। ଯଦି ଆପଣଙ୍କ ସହିତ ସେଦିନ ମନଖୋଲି କଥା ହୋଇନଥାନ୍ତି, ହୁଏତ ଆଜି ମୁଁ ଏ ଦୁନିଆରେ ହିଁ ନଥାନ୍ତି। ସେହି ମାତ୍ର କିଛି ସମୟର କଥାରେ ଆପଣ ମୋତେ ଗୋଟିଏ ନୂଆ ଜୀବନ ଦେଲେ ସାର୍। ମୁଁ ଆପଣଙ୍କ ପାଖରେ ସବୁ ଦିନ ପାଇଁ ଋଣୀ ରହିବି। ସୁନୟନାର ସଫଳତା ଦେଖି, ପ୍ରଫେସର ଉପାଧ୍ୟାୟ ଏତେ ଖୁସି ହୋଇଯାଉଥିଲେ ଯେ, ତାଙ୍କ ଅଜାଣତରେ ତାଙ୍କ ତାଙ୍କ ଆଖିରୁ ବହିଆସିଲା ଦୁଇଧାର ଲୁହ। ସେ ତା ମୁଣ୍ଡକୁ ଆଉଁସି ଦେଇ କହିଲେ, ଯାଅରେ ମାଆ.. ଭଗବାନ ତୁମ ଜୀବନକୁ ଅଧିକ ସମୃଦ୍ଧ କରନ୍ତୁ। ତୁମେ ସଫଳ ହୁଅ। …
ମିଡିଆ ଷ୍ଟଡିଜ
ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ
ପିନ୍-୧୪୦୪୧୩
ଫୋନ୍- ୯୯୩୭୨୫୨୪୬୪
Comments are closed.