Latest Odisha News

ଭାଷା ଭାଗବତ : ଦୁଇମୁଖୀ ବିଚାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ନା କି ହଁ କଲେ ଉଚ୍ଚାରଣ
ବିରୋଧ ଅବା ସମର୍ଥନ
ରୂପେ ତା ହୋଇଥାଏ ଗଣ୍ୟ
ତେଣୁ ମୁଁ ରହିଥାଏଁ ମୌନ

ଜଳ ସ୍ଥଳ ଓ ଦିନ ରାତି
ଜନ୍ମ ମୃତ୍ୟୁ ଓ ଘୃଣା ପ୍ରୀତି
ପାପ ପୁଣ୍ୟ ଓ ଦଂଭ ଭୀତି
ଦ୍ବିରୂପୀ ଚିଂତା କରେ କ୍ଷତି

ଶିଷ୍ଟ ଭାଷା, ଅଶିଷ୍ଟ ଭାଷା
ଶୁଦ୍ଧ ଆଉ ଅଶୁଦ୍ଧ ଭାଷା
ପ୍ରତିଟି ଯେଣୁ ମିଳାମିଶା
ଅନାବଶ୍ୟକ ବଳକଷା

ବହୁବର୍ଣୀ ଏ ବସୁଂଧରା
ଦ୍ବିମୁଖୀ ବିଚାରର ଧାରା
ହେଲେ ହେଁ ନିତି କାମଚଳା
ସଂସାର ନୁହେ କଳା, ଧଳା

ବିକଳ୍ପବିହୀନ ଏ ବିଶ୍ବ
ହୋଇପାରେ ଯେ କେତେ ନିଃସ୍ବ
କରିଲେ ଥରଟେ କଳ୍ପନା
ପଡ଼ିବ ସବୁ ସ୍ପଷ୍ଟ ଜଣା

ଦ୍ବିମୁଖୀ ଚିଂତାର ବଂଧନ
ଯେହେତୁ ବିକଳ୍ପବିହୀନ
ବ୍ୟକ୍ତିକୁ କରେ ମତାଧୀନ
ସୀମିତ ହୁଏ ଜନମନ

 

Comments are closed.