Latest Odisha News

BREAKING NEWS

ଭାଷା ଭାଗବତ : ସର୍ବୋତ୍ତମ ଶିକ୍ଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ବହୁ ଆଡ଼କୁ ନେଲେ ଧ୍ୟାନ
ଦୂଷିତ ହୁଏ ନିଜ ମନ
ବ୍ୟକ୍ତି ବନିଲେ ମନରକ୍ଷୀ
ହୁଏ ନିରବ ସତ୍ୟ-ସାକ୍ଷୀ

ସବୁ ଜାଣିବା ପାଇଁ ବ୍ୟଗ୍ର
ମନକୁ ନ କଲେ ଏକାଗ୍ର
ମନ ହିଁ ହୁଏ ଖଂଡ, ଖଂଡ
ନିଜକୁ ନିଜେ ଦିଏ ଦଂଡ

ଅଭ୍ୟାସ ବଶବର୍ତୀ ହୋଇ
ନାନାଦି ପ୍ରସଂଗ ପୂରାଇ
ମନକୁ କଲେ ଚିଂତାକ୍ରାଂତ
ଆପେ ତା ହୁଅଇ ବିଭ୍ରାଂତ

ଗଣମାଧ୍ୟମ ଯାହା ଛାପେ
ତାହା ଖବର ରୂପେ ବ୍ୟାପେ
ତା ଛଡ଼ା ଆଉ ବହୁ କିଛି
ସର୍ବଦା ରହିଥାଏ ଲୁଚି

କରିଲେ ସେ ସବୁ ସଂଧାନ
ସ୍ବମନ ହେବ ପରିଚ୍ଛନ୍ନ
ମିଳିବ ସଦ୍ୟ, ସତ୍ୟ ଜ୍ଞାନ
ତାହା ସ୍ମରଣଯୋଗ୍ୟ ଧନ

ସ୍ବାନୁଭୂତିକୁ କରି ପୁଂଜି
ଚିଂତା, ଭାବନା ଦେଲେ ଖଂଜି
ତାହା ହିଁ ବଢ଼ାଏ ବିଶ୍ବାସ
ଘଟଇ ପ୍ରଜ୍ଞାର ବିକାଶ

ଅଳ୍ପ ମୂଲ୍ୟରେ ମିଳେ ବୋଲି
ଖବର ପଢ଼ି, ଗଲେ ଭଳି
ବ୍ୟକ୍ତିର ଆପଣା ବ୍ୟକ୍ତିତ୍ୱ
ଅଯଥା ହୁଅଇ ଆହତ

ପ୍ରତିକ୍ରିୟା ଆଦୌ ନ ଦେଇ
ଯଦି କେ ରହିପାରୁନାହିଁ
ନିଜକୁ କରିଲେ ସମୀକ୍ଷା
ପାଇବ ସର୍ବୋତ୍ତମ ଶିକ୍ଷା

ନିଜେ ହୋଇ ନିଜର ଗୁରୁ
ଶିଖିଲେ ସ୍ବ-ଅନୁଭୂତିରୁ
ତାହା ହୁଏ ନିଜସ୍ବ ଜ୍ଞାନ
ସର୍ବଦା ବିଶ୍ବାସଭାଜନ

Comments are closed.