ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ବିଷ୍ଣୁଭକ୍ତମାନଙ୍କୁ ଇନ୍ଦ୍ରଜିତ ମୁକ୍ତ କରିଥିବାର ସମ୍ବାଦଟିକୁ ରାବଣ ସହଜରେ ବିଶ୍ୱାସ କରି ପାରିଲେ ନାହିଁ। ତାଙ୍କର ଯେଉଁମାନେ ଶତ୍ରୁ ସେମାନଙ୍କ ପ୍ରତି ଇନ୍ଦ୍ରଜିତଙ୍କର ଏପରି ଉଦାର ମନୋଭାବର କାରଣ ଜାଣିବା ପାଇଁ ଲଂକାଧିପତି ସ୍ଵୟଂ ତାଙ୍କୁ ସାକ୍ଷାତ କରିବା ନିମିତ୍ତ ବାହାରିଲେ । ମହାରାଣୀ ମନ୍ଦୋଦରୀ ବୁଝେଇବାକୁ ଅନେକ ଚେଷ୍ଟା କଲେ ଯେ, ଏଥିରେ ଏପରି ବିବ୍ରତ ହେବାର କୌଣସି କାରଣ ନାହିଁ। ଦୁର୍ବଳ ମୁନିଋଷିମାନଙ୍କୁ ବନ୍ଦୀଗୃହରେ ରଖି ତାଙ୍କୁ ତାଡ଼ନ କରିବା ବୀରପୁରୁଷମାନଙ୍କୁ ଶୋଭା ପାଏ ନାହିଁ।
ସ୍ୱାମୀଙ୍କୁ ପରମେଶ୍ବର ମନେ କରି ନିତି ପୂଜା କରୁଥିବା ସୁଲୋଚନା, ଆନନ୍ଦରେ ଅଧୀରା। ସ୍ୱାମୀ ତାଙ୍କ ବାକ୍ୟ ରକ୍ଷା କରି ବିଷ୍ଣୁଭକ୍ତମାନଙ୍କୁ କରାଗୃହରୁ ମୁକ୍ତି ଦେଇଛନ୍ତି। ପରନ୍ତୁ ତାଙ୍କୁ ଆଶ୍ଚର୍ଯ୍ୟ କରାଇ ଇନ୍ଦ୍ରଜିତ କହିଲେ, ” ସୁଲୋଚନେ ! ତୁମେ ମୋର ପ୍ରିୟତମା ପତ୍ନୀ। ମୋ ଜନ୍ମଭୂମି ମୋ ପାଇଁ ପ୍ରାଣଠାରୁ ଅଧିକ। ମୋ ପିତା ମୋ ପାଇଁ ଈଶ୍ୱର। ଭଗବାନ ଶିବଙ୍କ ପରେ ଲଙ୍କେଶ୍ୱର ରାବଣ ହିଁ ଶ୍ରେଷ୍ଠ ଈଶ୍ୱର। ତାଙ୍କର ପୂଜା ଆରାଧନା ଲଙ୍କାରେ କରାଯାଏ। ତୁମେ ମଧ୍ୟ ତାଙ୍କରି ପୂଜା କରିବ। କ୍ଷୀରସାଗର ନିବାସୀ ବିଷ୍ଣୁ ଆମ ରାକ୍ଷସ କୁଳର ଶତ୍ରୁ। ଏତିକି ସ୍ମରଣରେ ରଖିବ। ”
ନିର୍ବାକ ସୁଲୋଚନା। ଶ୍ରୀବିଷ୍ଣୁ ତାଙ୍କର ଆରାଧ୍ୟ। ନାଗବଂଶୀଙ୍କର ଆରାଧ୍ୟ ଦେବାର। ରାକ୍ଷସ କୁଳ ଯେଉଁ ଭଗବାନ ଶିବଙ୍କର ଆରାଧନା କରନ୍ତି ତାଙ୍କର ମଧ୍ୟ ଆରାଧ୍ୟ। କେମିତି ବୁଝେଇବେ ସ୍ୱାମୀଙ୍କୁ ଏହି କଥା ! ଆଜି ତାଙ୍କ କଣ୍ଠ ସ୍ୱର ଭିନ୍ନ ପ୍ରକାରର ଥିଲା। ସୁଲୋଚନା ସାହସ କଲେନାହିଁ କିଛି କହିବା ପାଇଁ। ସ୍ୱାମୀ ଯେତେବେଳେ ଜାଣିବେ ସେ ଶ୍ରୀବିଷ୍ଣୁଙ୍କର ପୂଜା କରନ୍ତି, ପ୍ରତିକ୍ଷଣ ତାଙ୍କୁ ସ୍ମରଣ କରନ୍ତି, ତାଙ୍କରି ଚିନ୍ତନ କରନ୍ତି, ସେତେବେଳେ ସେ କିପରି ପ୍ରତିକ୍ରିୟା ପ୍ରକାଶ କରିବେ !!
କ୍ରମଶଃ….
Comments are closed.