Latest Odisha News

BREAKING NEWS

କୁମ୍ଭମେଳାରେ ସନ୍ତାନ ପ୍ରସବ କଲେ ୧୧ ମହିଳା: ପ୍ରଥମ ଶିଶୁର ନାଁ ‘କୁମ୍ଭ’

ପ୍ରୟାଗରାଜ: ପବିତ୍ର ପ୍ରୟାଗରାଜ ନଗରୀରେ ବିଶ୍ୱାସ ଏବଂ ଭକ୍ତିର ସବୁଠାରୁ ବଡ଼ ମହାକୁମ୍ଭ ମେଳା ଅନୁଷ୍ଠିତ ହେଉଛି। ସମଗ୍ର ଦେଶ ସଙ୍ଗମରେ ଧାର୍ମିକ ବୁଡ଼ ପକାଇବା ପାଇଁ ଏକତ୍ରିତ ହୋଇଛନ୍ତି। ବହୁ ସଂଖ୍ୟକ ଭକ୍ତଙ୍କ ଆଗମନ ଯୋଗୁଁ, ପ୍ରୟାଗରାଜ ଏବଂ ଆଖପାଖ ଅଞ୍ଚଳଗୁଡ଼ିକ ସମ୍ପୂର୍ଣ୍ଣ ଭିଡ଼ ହୋଇଗଲାଣି। ଏହାରି ଭିତରେ ମହାକୁମ୍ଭରେ ୧୧ ଜଣ ମହିଳା ମାତୃତ୍ୱ ଲାଭ କରିଛନ୍ତି। ଏହି ସୌଭାଗ୍ୟ ସେମାନଙ୍କ ମହାକୁମ୍ଭ ଯାତ୍ରାକୁ ଆହୁରି ସ୍ୱତନ୍ତ୍ର କରିଛି।

ମାତୃତ୍ୱ ଲାଭ କରିଥିବା ଏ ସମସ୍ତ ମହିଳାଙ୍କ ପ୍ରସବ ମହାକୁମ୍ଭ ମେଳା କ୍ଷେତ୍ର ଭିତରେ ସ୍ଥିତ ସେଣ୍ଟ୍ରାଲ ହସ୍ପିଟାଲରେ ହୋଇଛି। ଏହି ହସ୍ପିଟାଲ କୁମ୍ଭମେଳା କ୍ଷେତ୍ରରେ ୧୦୫ ମେଡିକାଲ କର୍ମଚାରୀ ଓ ୪ ଜଣ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ ୧୩ ହସ୍ପିଟାଲ ଓ ୧୦ ଫାଷ୍ଟ୍‌ଏଡ୍‌ ପୋଷ୍ଟ୍‌ ମଧ୍ୟରେ ଅନ୍ୟତମ। ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଏହି ହସ୍ପିଟାଲ ନିର୍ମିତ ହୋଇଛି ।

ତେବେ କୁମ୍ଭ କ୍ଷେତ୍ରରେ ପ୍ରଥମ ପ୍ରସବ ଗତ ଡିସେମ୍ବର ୨୯ ତାରିଖରେ ହୋଇଥିଲା। କୌଶମ୍ବୀ ବାସିନ୍ଦା ୨୦ ବର୍ଷୀୟା ସୋନମ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ତାଙ୍କ ପରିବାର ଶିଶୁର ନାମ ଦେଇଛନ୍ତି କୁମ୍ଭ। ଯାହାକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି। ସୋନମଙ୍କର ପ୍ରସବ ବେଦନା ଆରମ୍ଭ ହେବାରୁ ତାଙ୍କ ସ୍ୱାମୀ ରାଜା ତାଙ୍କୁ ସେଣ୍ଟ୍ରାଲ ହସ୍ପିଟାଲକୁ ନେଇଥିଲେ । କାମ ଅନ୍ୱେଷଣରେ ଏହି ଦମ୍ପତି କୁମ୍ଭ ମେଳାକୁ ଆସିଥିଲେ । ସେମାନେ କୁମ୍ଭ କ୍ଷେତ୍ରରେ ମଧ୍ୟ ରହୁଥିଲେ । ଅନ୍ୟପଟେ ପ୍ରସବ ପରେ ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ପରିବାରକୁ ଅଭିନନ୍ଦନ ଜଣାଇଥିଲେ।

ହସ୍ପିଟାଲରେ ସଦ୍ୟତମ ପ୍ରସବ ଗତ ୬ ତାରିଖରେ ହୋଇଛି। ବାରବାଙ୍କୀର ୩୦ ବର୍ଷୀୟା କାଞ୍ଚନ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ମେଳା କ୍ଷେତ୍ରର ଏହି ହସ୍ପିଟାଲରେ ସନ୍ତାନ ଜନ୍ମ ଦେଇଥିବା ମହିଳା ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲା ଯଥା- ବାନ୍ଦା, ଚିତ୍ରକୂଟ, କୌଶମ୍ବୀ ଓ ଜୌନପୁର ଏବଂ ବିଭିନ୍ନ ରାଜ୍ୟ ଯଥା ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରୁ ଆସିଛନ୍ତି ।

Comments are closed.