Latest Odisha News

BREAKING NEWS

୧୦ମ କ୍ରିକେଟର ଭାବେ ମିଥୁନ ହେଲେ ବିସିସିଆଇ ସଭାପତି

ନୂଆଦିଲ୍ଲୀ: ବିସିସିଆଇ ଏବେ ବିଶ୍ୱ କ୍ରିକେଟରେ ବିତଶାଳୀ ବୋର୍ଡ ଭାବେ ପରିଗଣିତ । ଏହାର ସଭାପତି ହେବା ନିଶ୍ଚିତ ଭାବେ ଗର୍ବ ତଥା ଦାୟିତ୍ୱର ବିଷୟ । ରାଜନେତା, ଆଡମିିନଷ୍ଟ୍ରେଟରଙ୍କଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟରମାନେ ଏହି ଦାୟିତ୍ୱ ତୁଲାଇ ସାରିଛନ୍ତି । ଏବେ ନୂତନ ଭାବେ ସଭାପତି ନିର୍ବାଚିତ ହୋଇଥିବା ମିଥୁନ ମନହାସ ୧୦ମ କ୍ରିକେଟ ଖେଳାଳି ଭାବେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଆସନ୍ତୁ ନଜର ପକାଇବା ତାଙ୍କ ପୂର୍ବରୁ କେଉଁ କ୍ରିକେଟର ଏହି ଦାୟିତ୍ୱ ତୁଲାଇଛନ୍ତି । ୧୯୩୭-୩୮ରେ ଦିଗବିଜୟସିଂହଜୀ ଅଳ୍ପଦିନ ପାଇଁ ସେ ସମୟର ୱେଷ୍ଟର୍ଣ୍ଣ ଇଣ୍ଡିଆର ଦାୟିତ୍ୱ ତୁଲାଇଥିଲେ । ତାଙ୍କ ପରେ ଆନ୍ଥୋନୀ ଡି ମିଲେଙ୍କୁ ନିଯୁକ୍ତ କରାଯାଇଥିଲା । ତାଙ୍କୁ ଫାଦର ଅଫ ଭାରତୀୟ କ୍ରିକେଟ କୁହାଯାଏ । ସେ ୧୧ ପ୍ରଥମଶ୍ରେଣୀ ମ୍ୟାଚ ଖେଳି ୧୭ ୱିକେଟ ଅକ୍ତିଆର କରିଥିଲେ ।

ଆନ୍ଥୋନୀଙ୍କ ପରେ ବିଜୟନଗରମର ମହାରାଜା କୁମାର ଏହି ଦାୟିତ୍ୱ ନେଇଥିଲେ । ସେ ଜଣେ ଭଲ ଅଧିନାୟକ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ପ୍ରଥମଶ୍ରେଣୀ କ୍ରିକେଟାରେ ମହାରାଜା ୧୨୦୦ ରନ କରିଥିଲେ । ଫତେସିଂହଜୀ ଗାଏକ୍ୱାଡ ଓ ରାମପ୍ରକାଶ ମେହର ମଧ୍ୟ ସଭାପତି ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ । ବରୋଦାର ଗାଏକ୍ୱାଡ ୫ଟି ଅର୍ଦ୍ଧଶତକ ମାରି ଚର୍ଚ୍ଚାରେ ରହିଥିଲେ । ରାମପ୍ରକାଶ ୩ଟି ଶତକ ହାସଲ କରିଥିଲେ । ୨୦୯ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ଥିଲା । ଅନୁରାଗ ଠାକୁର ହିମାଚଳ ପ୍ରଦେଶ ପକ୍ଷରୁ ଗୋଟିଏ ମାତ୍ର ମ୍ୟାଚ ଖେଳିଥିଲେ ମଧ୍ୟ ସେ ସଭାପତି ହୋଇଥିଲେ ।

ରାଜସିଂହ ଡୁଙ୍ଗରପୁର ଜଣେ ଆଡମିନିଷ୍ଟ୍ରେଟର ହେବା ପୂର୍ବରୁ ଭଲ କ୍ରିକେଟର ଥିଲେ । ରାଜସ୍ଥାନ ପକ୍ଷରୁ ସେ ୮୬ ମ୍ୟାଚରେ ୨୦୬ ୱିକେଟ ନେଇଥିଲେ । ସୌରଭ ଗାଙ୍ଗୁଲି ଓ ରୋଜର ବିନ୍ନୀ ଏମାନଙ୍କ ପରେ ବିସିସିଆଇ ସଭାପତି ହୋଇଥିଲେ । ଭାରତ ପକ୍ଷରୁ ଏହି ଦୁଇ ଜଣ ଅନେକଗୁଡିଏ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଘରୋଇ କ୍ରିକେଟରେ ଦୀର୍ଘ ଦିନ ଧରି ଖେଳିଥିବା ମିଥୁନ ଏବେ ନୂତନ ସଭାପତି ହୋଇଛନ୍ତି । ଅବଶ୍ୟ ସେ ଆନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି ।

Comments are closed.