ପୁରୀ: ନୂଆବର୍ଷ ପାଖେଇ ଆସୁଥିବାରୁ ଏବେ ଛୁଟିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଛୁଟିଛି ଭକ୍ତଙ୍କ ସୁଅ । ଜନସମୁଦ୍ର ପାଲଟିଛି ଶ୍ରୀମନ୍ଦିର ପରିସର । ବର୍ଷର ଶେଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ସାରା ଦେଶରୁ ଲୋକେ ଆସି ପହଞ୍ଚିଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଯାଏଁ ବ୍ୟାରିକେଡ୍ କରାଯାଇଛି । ହେଲେ ଭିଡ ଏନେ ପ୍ରବଳ ହୋଇଛି ଯେ ଏଥିରେ ଠେଲାପେଲା ସ୍ଥିତି ଉପୁଜିଛି । ଯେଉଁଥିରେ ୧୦ରୁ ଅଧିକ ଭକ୍ତ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ପ୍ରବଳ ଭିଡ଼ ପାଇଁ ବାହାରକାଠ ନିକଟରେ ଠେଲାପେଲା ଯୋଗୁଁ ୧୦ ଭକ୍ତ ଅସୁସ୍ଥ ହୋଇପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।
ତେବେ ନୂଆବର୍ଷ ପାଇଁ ଭକ୍ତଙ୍କ ସମାବେଗ ଦେଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଏବଂ କଟକଣା ଜାରି କରାଯାଇଛି । ପ୍ରଶାସନ ପକ୍ଷରୁ ଜାରି ସୂଚନା ମୁତାବକ, ଆସନ୍ତାକାଲି ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ଭକ୍ତ ପ୍ରବେଶ କରିବେ । ଅନ୍ୟ ୩ ଦ୍ୱାର ଦେଇ ପ୍ରବେଶ ମନା ହୋଇଥିବା ବେଳେ କେବଳ ପ୍ରସ୍ଥାନ ପାଇଁ ଅନୁମତି ରହିଛି ।
ଅନ୍ୟପଟେ ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଶ୍ରୀମନ୍ଦିର ପରିସରରେ ୨ ଭାଗରେ ପୋଲିସ ମୁତୟନ ହୋଇଛନ୍ତି । ଜନଗହଳିପୂର୍ଣ୍ଣ ସ୍ଥାନରେ ଆଣ୍ଟି ସ୍ନାଚିଂ ଟିମ୍ ମୁତୟନ ରହିବେ । ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ନାକାବନ୍ଦୀ କରାଯାଇଛି । ଏଥିସହିତ ନୂଆବର୍ଷ ପାଇଁ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର ।
Comments are closed.