Latest Odisha News

BREAKING NEWS

ପ୍ରଖ୍ୟାତ ରାଜନୀତିଜ୍ଞ ବାଜପେୟୀଙ୍କ ଆଜି ଜୟନ୍ତୀ; ଜାଣନ୍ତୁ ତାଙ୍କ ସମ୍ପର୍କରେ ୧୦ ରୋଚକ କଥା

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୫ତମ ଜନ୍ମଦିନ । ଦେଶର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ଦେଶବାସୀ।

୧୯୨୪ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଦେଶର ମହାନାୟକ ଭାବେ ପରିଚିତ ଅଟଳ ବିହାରୀ ବାଜପେୟୀ । ଏହି ଅବସରରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା…

  • ଅଟଳ ବିହାରୀ ବାଜପେୟୀ ଏକାଧାରାରେ ସେ କବି, ଓଜସ୍ୱୀ ବକ୍ତା, ରାଜନୀତିଜ୍ଞ, ସମାଜସେବୀ, ସମ୍ପାଦକ, କୂଟନୀତିଜ୍ଞ ତଥା ଜଣେ ଦୃଢ ପ୍ରଶାସକ ଭାବରେ ସାରା ପୃଥିବୀରେ ଖ୍ୟାତି ଅର୍ଜନ କରିଛନ୍ତି । ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ଗ୍ୱାଲିୟରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତା କୃଷ୍ଣା ଓ ପିତା କୃଷ୍ଣ ବିହାରୀ ବାଜପେୟୀଙ୍କ ୱରସରୁ ଏକ ବ୍ରାହ୍ମଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ ।
  • ସେ ଗ୍ୱାଲିୟରର ଭିକ୍ଟୋରିଆ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ତାପରେ କାନପୁର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ଏମଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଥିଲେ । ସେ ମଧ୍ୟ ଏଲଏଲବି କାନପୁରରେ ଅଧ୍ୟୟନ କରିଥିଲେ । ସେ ଜାତୀୟ ସ୍ତରରେ ବିଭିନ୍ନ ତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତ୍ତିତ୍ୱ ଅର୍ଜନ କରିଥିଲେ ।
  • ସେ ଆଜୀବନ ଅବିବାହିତ ରହିଥିଲେ ମଧ୍ୟ ତାଙ୍କର ‘ନମିତା’ ନାମକ ଜଣେ କନ୍ୟା ସନ୍ତାନ ଥିଲେ । ଯାହାଙ୍କୁ ସେ ପୌଷ୍ୟ ଭାବେ ଗ୍ରହଣ କରିଥିଲେ ।
  • ସ୍ୱର୍ଗତଃ ବାଜପେୟୀ ନିଜର ପ୍ରାରମ୍ଭିକ ଜୀବନରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସମ୍ପର୍କରେ ଆସିଥିଲେ । କ’ଣ ଆପଣ ଜାଣନ୍ତି କି ବାଜପେୟୀ ମଧ୍ୟ ୧୯୪୨ ମସିହାରେ ‘ଭାରତ ଛାଡ’ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିଲେ । ଯାହାର ପରିଣାମ ସ୍ୱରୂପ ତାଙ୍କୁ ୨୪ ଦିନ ଯାଏଁ କାରାବରଣ କରାଯାଇଥିଲା ।
  • ସେ ନିଜର ରାଜନୈତିକ ଜୀବନୀ ଭାରତୀୟ ଜନତା ପାର୍ଟି(ବିଜେପି)ରୁ ଆରମ୍ଭ କରିଥିଲେ । ବାଜପେୟୀ ୧୦ଥର ଲୋକସଭା ଓ ୨ଥର ରାଜ୍ୟସଭା ସାଂସଦ ହୋଇଥିଲେ । ସେ ଏକମାତ୍ର ଏଭଳି ସାଂସଦ ଥିଲେ, ଯିଏକି ଦିଲ୍ଲୀ, ଗୁଜୁରାଟ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ୪ଟି ଭିନ୍ନଭିନ୍ନ ସ୍ଥାନରୁ ସାଂସଦ ହୋଇଥିଲେ ।
  • ଏହାବ୍ୟତିତ ସେ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ବେଶ ଖ୍ୟାତିଅର୍ଜନ କରିଥିଲେ । ସ୍ୱର୍ଗତଃ ବାଜପେୟୀ ‘ରାଷ୍ଟ୍ରଧର୍ମ’ ଓ ‘ପାଞ୍ଚଜନ୍ୟ’ ଭଳି ପତ୍ରିକା ସହ ଦୈନିକ ସମାଚାର ‘ସ୍ୱଦେଶ’ ଏବଂ ‘ବୀର ଅର୍ଜୁନ’ର ସମ୍ପାଦକ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ ।
  • ସେ ଜଣେ କୁଟନୀତିଜ୍ଞ ଭାବେ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲେ । ବାଜପେୟୀ ପ୍ରଥମ ବିଦେଶ ମନ୍ତ୍ରୀ ଥିଲେ, ଯିଏକି ମିଳିତ ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ସାରା ଭାରତକୁ ଗୌରବାନ୍ୱିତ କରିଥିଲେ ।
  • ୧୯୮୦ ମସିହାରେ ନୂଆକରି ପ୍ରତିଷ୍ଠା ହୋଇଥିବା ବିଜେପିର ଅଧ୍ୟକ୍ଷ ପଦର ଦାୟିତ୍ୱ ନେଲେ । ୧୯୮୪ ମସିହାର ସାଧାରଣ ନିର୍ବାଚନରେ ବିଜେପିକୁ ମିଳିଥିଲା ମାତ୍ର ୨ଟି ଆସନ । ୧୯୯୬ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିଥିଲା । ମାତ୍ର ୧୩ ଦିନ ପାଇଁ ସେ ହୋଇଥିଲେ ପ୍ରଧାନମନ୍ତ୍ରୀ । ପରେ ୧୯୯୮ ମସିହାରେ ୧୮୨ଟି ଆସନ ନେଇ ବିଜେପି ପୁର୍ନବାର ଶାସନ ଗାଦିକୁ ଆସିଥିଲା । କିନ୍ତୁ ଭାଗ୍ୟର ବିଡମ୍ବନା ବାଜପେୟୀ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ଅନାସ୍ଥା ପ୍ରସ୍ତାବରେ ଓଡିଶାରେ ମୁଖ୍ୟମନ୍ତ୍ରୀ ହୋଇଥିବା ଗିରିଧର ଗମାଙ୍ଗଙ୍କ ତାଙ୍କ ବିରୋଧରେ ଗୋଟିଏ ମାତ୍ର ଭୋଟ ସରକାରକୁ ପତନ କରିଥିଲା । ପରେ ସେ ଏନଡିଏ ମେଣ୍ଟ ସହ ପୁର୍ନବାର କ୍ଷମତାକୁ ଫେରିଲେ । ୨୦୦୪ ମସିହା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦବୀରେ ରହିଥିଲେ ।
  • ୧୯୯୮ ମସିହାରେ ସେ ପ୍ରଧାନମନ୍ତ୍ରୀ ଥିବା ସମୟରେ ପୋଖରାନ ପରମାଣୁ ବୋମା ପରୀକ୍ଷଣ କରାଇଥିଲେ । ଏହି ପରୀକ୍ଷଣର ସମ୍ୟକ ସୂଚନା ସେତେବେଳେ ଆମେରିକାର ନାସା ମଧ୍ୟ ପାଇପାରିନଥିଲା ।
  • ଏହି ଜନନାୟକଙ୍କୁ ବହୁଥର ସମ୍ମାନିତ କରାଯାଇଥିଲା । ସେଥିମଧ୍ୟରେ ୨୦୧୪ ମସିହାରେ ଭାରତ ରତ୍ନ, ୧୯୯୪- ସର୍ବଶ୍ରେଷ୍ଠ ସାଂସଦ, ଲୋକମାନ୍ୟ ତିଲକ ପୁରସ୍କାର, ୧୯୯୩ ମସିହାରେ କାନପୁର ବିଶ୍ୱବିଦ୍ୟାଳୟରୁ ସମ୍ମାନ ଜନକ ଡକ୍ଟରେଟ୍ ଉପାଧି, ୧୯୯୨ ମସିହାରେ ପଦ୍ମ ବିଭୂଷଣ ଭଳି ଉପାଧିରେ ସମ୍ମାନିତ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ, ଅଟଳ ବିହାରୀ ବାଜପେୟୀ ଥିଲେ ଭାରତୀୟ ରାଜନୀତିର ପିତାମହ ଭୀଷ୍ମ । ଦେଶକୁ ସୁଶାସନ ଦେଇ ବିକାଶ ପଥରେ ଆଗେଇ ନେଇଥିଲେ ଏହି କାଳଜୟୀ ରାଜନୀତିଜ୍ଞ । ଜଣେ ନିଷ୍ଠାପର ରାଜନୀତିଜ୍ଞ ତଥା ସରଳ ଓ ଅମାୟିକ ପ୍ରଶାସକ ଭାବେ ଭାରତୀୟ ଜନମାନସରେ ଅଜାତ ଶତ୍ରୁ ଅଟଳ ବିହାରୀ ବାଜପେୟୀ ସର୍ବଦା ଚିରସ୍ମରଣୀୟ ହୋଇ ରହିବେ ।

Leave A Reply

Your email address will not be published.