ଭୁବନେଶ୍ୱର: ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ। ତା ପୂର୍ବରୁ ଯୋଗ ଅଭ୍ୟାସକୁ ନେଇ ଆସିଥିବା ଏକ ରିପୋର୍ଟରୁ ଭୁବନେଶ୍ଵରବାସୀଙ୍କୁ ଯୋଗ ବେଶୀ ପସନ୍ଦ ନୁହେଁ ବୋଲି ଜଣାପଡ଼ିଛି। କରୋନା ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ ଯୋଗକୁ ନେଇ ବହୁତ ଚର୍ଚ୍ଚା ବହୁତ ପ୍ରଚାର ପ୍ରସାର ହୋଇଥିଲା। ଏବେ କରୋନା ଆସିବା ପରେ ଯୋଗ ଓ ପ୍ରାଣାୟାମକୁ ସର୍ବାଧିକ ଗୁରୁତ୍ଵ ଦିଆଯାଉଛି। ଚିକିତ୍ସା ପଦ୍ଧତିର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ପାଲଟିସାରିଛି ଯୋଗ। ହେଲେ ରାଜଧାନୀ ଭୁବନେଶ୍ଵରବାସୀଙ୍କୁ ଯୋଗ ପସନ୍ଦ ନୁହେଁ। ଶରୀର ଓ ମନ ସୁସ୍ଥ ରଖିବାର ଏହି ବିଜ୍ଞାନସମ୍ମତ କ୍ରିୟା ସହରାଞ୍ଚଳବାସୀଙ୍କ ମଧ୍ୟରେ ବେଶୀ ଆଦୃତ ହୋଇପାରିନାହିଁ। ଭୁବନେଶ୍ୱରରେ ମାତ୍ର ୧୭ ପ୍ରତିଶତ ଲୋକ ‘ଆସନ‘, ‘ପ୍ରାଣାୟାମ ‘ ବା ‘ଧ୍ୟାନ‘ କରୁଥିବା ବେଳେ ୧୦.୭ ପ୍ରତିଶତ ଲୋକ ଯୋଗର ବିଭିନ୍ନ ଅଭ୍ୟାସ କରିଥାନ୍ତି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡିଛି। ଡକ୍ଟର ସତ୍ୟଜିତ ମହାନ୍ତି, ଡକ୍ଟର ସନ୍ଦୀପ କୁମାର ପାଣିଗ୍ରାହୀ ଓ ଡକ୍ଟର ଜ୍ୟୋତି ରଞ୍ଜନ ସାହୁଙ୍କ ଦ୍ଵାରା ଭୁବନେଶ୍ୱରର ୧୨୦୦ ରୁ ଅଧିକ ଲୋକଙ୍କୁ ନେଇ ଏହି ସାମ୍ପଲ ଷ୍ଟଡି କରାଯାଇଛି।
ଏହି ସର୍ଭେରୁ ଜଣାପଡିଛି ଯେ ପୁରୁଷ ମାନଙ୍କ ଅପେକ୍ଷା ଭୁବନେଶ୍ୱରରେ ମହିଳା ମାନେ ଅଧିକ ସଂଖ୍ୟାରେ ଯୋଗାଭ୍ୟାସ କରୁଛନ୍ତି। ତେବେ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ଲୋକମାନେ ଯୋଗାଭ୍ୟାସ କୁ ଗ୍ରହଣ କରିବା ନିମନ୍ତେ ଅଧିକ ଆଗ୍ରହୀ ବୋଲି କହିଛନ୍ତି କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଇ. ଭେଙ୍କଟ ରାଓ। ଯୋଗର ଗ୍ରହଣୀୟତା କ୍ଷେତ୍ରରେ ଭାରତରେ ଏହା ଦ୍ଵିତୀୟ ସର୍ଭେ ବୋଲି ପ୍ରଫେସର ରାଓ ସୂଚନା ଦେଇ ପୂର୍ବ ସର୍ଭେ ଅନୁଯାୟୀ ପୂର୍ବ ଭାରତର ସହରାଞ୍ଚଳରେ ବାସ କରୁଥିବା ଲୋକଙ୍କ ମଧ୍ୟରୁ ମାତ୍ର ୫.୩ ପ୍ରତିଶତ ଯୋଗକୁ ଗୁରୁତ୍ୱ ଦେଉଥିବା ଜଣା ପଡିଥିଲା ବୋଲି କହିଛନ୍ତି।
ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ ଉଚ୍ଚ ସାମାଜିକ ଓ ଅର୍ଥନୈତିକ ବର୍ଗର ବ୍ୟକ୍ତି ମାନେ ଯୋଗାଭ୍ୟାସ ନିମନ୍ତେ ବିଶେଷ ଆଗ୍ରହ ଦେଖାଉ ନାହାନ୍ତି। କିନ୍ତୁ ଯେଉଁମାନେ ଯୋଗ କରୁଛନ୍ତି ସେମାନେ ଶାରୀରିକ ଭାବେ ସୁସ୍ଥ ଅଛନ୍ତି ଏବଂ ଭୁବନେଶ୍ବରରେ ୪୯ ପ୍ରତିଶତ ଡାକ୍ତର ସେମାନଙ୍କ ରୋଗୀମାନଙ୍କୁ ଶାରୀରିକ ବ୍ୟାୟାମ ଭାବେ ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେଉଛନ୍ତି।
୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘରେ ସୁସ୍ଥତା ଓ ଜନକଲ୍ୟାଣ ନିମନ୍ତେ ଯୋଗର ଉପଯୋଗୀତା ଉପରେ ଗୁରୁତ୍ୱାରୋପ କରିବା ପରେ ସାରା ବିଶ୍ୱରେ ଏହା ପରିବ୍ୟାପ୍ତ ହୋଇଥିଲା। ଏହା ଛଡ଼ା ଜୁନ ୨୧ ତାରିଖକୁ ବିଶ୍ୱ ଯୋଗ ଦିବସ ଭାବେ ପାଳନ କରାଯାଉଛି।
ଆଠଟି ଯୋଗାଭ୍ୟାସ ମଧ୍ୟରୁ ଆସନ, ପ୍ରାଣାୟାମ ଏବଂ ଧ୍ୟାନ ଯୋଗର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଭ୍ୟାସ ହୋଇଥିବା ବେଳେ ଅନେକ କ୍ଷେତ୍ରରେ କେବଳ ଆସନ କୁ ହିଁ ଯୋଗ ଭାବେ ଗଣା ଯାଉଛି। ତେବେ ଯୋଗାଭ୍ୟାସ ମଣିଷର ଉଭୟ ଶରୀର ଓ ମନ ଉପରେ ପ୍ରଭାବ ପକାଉ ଥିବା ସ୍ପଷ୍ଟ। ଉଚ୍ଚ ରକ୍ତ ଚାପ, ମଧୁମେହ, ବିଭିନ୍ନ ଯକୃତ ଜନିତ ସମସ୍ୟା, ଆଣ୍ଠୁଗଣ୍ଠି ସମସ୍ୟା, ଅଣ୍ଟା ଯନ୍ତ୍ରଣା, ଏବଂ ମାନସିକ ସମସ୍ୟାର ଉପଚାର ନିମନ୍ତେ ମଧ୍ୟ ଯୋଗ ଏକ ପ୍ରକୃଷ୍ଟ ମାଧ୍ୟମ। ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରୁ ସୁସ୍ଥ ହେବା ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତ୍ୟେକ ଦିନ ୩୦ ମିନିଟ ର ବ୍ୟାୟ।ମ ନିମନ୍ତେ ପରାମର୍ଶ ଦିଆଯାଇଥିବା ବେଳେ ଯୋଗ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ଏହି ରିପୋର୍ଟ ରେ ଉଲ୍ଲେଖ କରାଯାଇଛି।
Comments are closed.