ଜୟପୁର: ଜୟପୁରର ଏକ ସରକାରୀ ଡାକ୍ତରଖାନାରେ କର୍କଟ ରୋଗର ଚିକିତ୍ସା ପାଇଁ ଆସିଥିବା ୧୦ ବର୍ଷୀୟ ଶିଶୁର ଆଙ୍ଗୁଠିକୁ ଖାଇଗଲା ମୂଷା। ଫଳରେ ପିଲାଟିର ମୃତ୍ୟୁ ହୋଇଯାଇଛି। ଯଦିଓ ଡାକ୍ତରଖାନା କର୍ତ୍ତୁପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଏହି ମାମଲାରେ ରାଜସ୍ଥାନ ସରକାର ଏକ ତଦନ୍ତ କମିଟି ଗଠନ କରି ପୁରା ଘଟଣାକ୍ରମ ଉପରେ ନଜର ରଖିଛନ୍ତି। ତେବେ ଏହି ବିଷୟରେ ଡାକ୍ତରଖାନା ଅଧିକାରୀ କହିଛନ୍ତି ଯେ ଶିଶୁଟିର ମୂଷା କାମୁଡ଼ିବା କାରଣରୁ ନୁହେଁ ବରଂ ‘ସେପ୍ଟିସିମିଆ ଶକ୍ ଏବଂ ହାଇ ସଂକ୍ରମଣ’ କାରଣରୁ ମୃତ୍ୟୁ ହୋଇଛି।
ତେବେ ଶିଶୁଟିକୁ ଚିକିତ୍ସା ପାଇଁ ଡିସେମ୍ବର ୧୧ରେ ସ୍ଥାନୀୟ ଷ୍ଟେଟ କ୍ଯାନ୍ସର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର ଅଧୀକ୍ଷକ ଡ. ସନ୍ଦୀପ ଜସୁଜା କହିଛନ୍ତି, ‘ପିଲାଟିକୁ ଜ୍ୱର ଏବଂ ନିମୋନିଆ ଥିଲା ଯାହାଫଳରେ ଉଚ୍ଚ ସଂକ୍ରମଣ ଓ ସେପ୍ଟିସେମିଆ ସକ୍ ଯୋଗୁଁ ଶୁକ୍ରବାର ପିଲାଟିର ମୃତ୍ୟୁ ହୋଇଯାଇଥିଲା।
ସୂଚନାନୁସାରେ, ଡାକ୍ତରଖାନାରେ ଭର୍ତ୍ତି ହେବାର କିଛି ସମୟ ପରେ ପିଲାଟି କାନ୍ଦିଥିଲା। ଯେତେବେଳେ ପରିବାର ସଦସ୍ୟ କମ୍ବଳ ଉଠାଇଥିଲେ ସେତେବେଳେ ଗୋଟିଏ ଗୋଡର ଆଙ୍ଗୁଠିରେ ମୂଷା କାମୁଡ଼ିବା ଯୋଗୁଁ ରକ୍ତ ବାହାରୁଥିବାର ସେମାନେ ଦେଖିଥିଲେ। ତୁରନ୍ତ ପରିବାର ସଦସ୍ୟ ସେଠାରେ ଥିବା ମେଡିକାଲ କର୍ମଚାରୀଙ୍କୁ ସୂଚନା ଦେଇଥିଲେ ଯାହାପରେ ସେମାନେ ପ୍ରାଥମିକ ଚିକିତ୍ସା କରି ଗୋଡରେ ପଟି ବାନ୍ଧି ଦେଇଥିଲେ।
ତେବେ ଡ. ଜସୁଜା କହିଛନ୍ତି ଯେ ମୂଷା କାମୁଡ଼ିବା ଖବର ମିଳିବାମାତ୍ରେ ହିଁ ତୁରନ୍ତ ଉପଚାର କରାଯାଇଥିଲା। ଡାକ୍ତରଖାନାର ପରିସରକୁ ସଫାସୁତୁରା ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା କଥା ସେ କହିଛନ୍ତି।
Comments are closed.