Latest Odisha News

ସଂକଳ୍ପପତ୍ର ଆମ ପାଇଁ ଧର୍ମଗ୍ରନ୍ଥ : ମୋହନ

ପୁରୀ: ଆଜି ଓଡ଼ିଶାରେ ନୂଆ ସରକାରଙ୍କୁ ପୁରିଛି ୧୦୦ ଦିନ । ଏହି ଅବସରରେ ଜନତାଙ୍କ ଆଗରେ ନିଜ ରିପୋର୍ଟ କାର୍ଡ ରଖିଛନ୍ତି ସରକାର। ପୁରୀରେ ଆୟୋଜିତ ବିଶାଳ ସମାବେଶକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ମତ ଓ ହିତକୁ ନେଇ ସରକାର ସବୁ ବେଳେ ଚାଲିବା କଥା l କିନ୍ତୁ ଲୋକ ବିରୋଧୀ କାର୍ଯ୍ୟ ଯୋଗୁଁ ୨୪ ବର୍ଷର ସରକାର ପତନ ଘଟିଲା l ପୂର୍ବ ସରକାର ମହାପ୍ରଭୁଙ୍କୁ ମଧ୍ୟ ଭୋଟ ରାଜନୀତିରେ ବ୍ୟବହାର କଲେ l ଆମ ସରକାରର ସଂକଳ୍ପ ପତ୍ର ହେଉଛି ଧର୍ମଗ୍ରନ୍ଥ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ l

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସଂକଳ୍ପ ପତ୍ରରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଆମେ ପୂରା କରିଛୁ ଆଗକୁ ପୁରା କରିବୁ ମଧ୍ୟ l ସରକାରର ପ୍ରଥମ ଦିନରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିଲୁ l ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ କଲୁ l ପୂର୍ବ ସରକାର ଅଭିଯୋଗ ଶୁଣୁନଥିଲେ, ବରଂ ତାଙ୍କ ଇଚ୍ଛାରେ କାର୍ଯ୍ୟ କରୁଥିଲେ l ଏ ସରକାର ଭୁବନେଶ୍ବରରେ ଅଭିଯୋଗ ଶୁଣୁଛୁ ଏବଂ ସମସ୍ୟା ସମାଧାନ ବି କରୁଛୁ l ଆଗାମୀ ଦିନରେ ସବୁ ଜିଲ୍ଲାରେ ଅଭିଯୋଗ ପ୍ରକୋଷ୍ଠ କରି ଶୁଣାଣି ହେବ l ମିଛ ପ୍ରତିଶ୍ରୁତି ସମସ୍ୟାର ସମାଧାନ ନୁହେଁ, ଆମେ ନିଶ୍ଚିତ ପୂରା କରିବୁ l ଲୋକଙ୍କୁ ଦିଆଯାଇଥିବା ସବୁ ପ୍ରତିଶ୍ରୁତି ନିର୍ଦ୍ଦିଷ୍ଟ ସମୟରେ ସାରିବାକୁ ଚେଷ୍ଟା କରୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ l

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ପୂର୍ବରୁ ଅସ୍ମିତା ଅବହେଳିତ ହୋଇଥିଲା। ଆମ ସରକାର ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇଛି। ଓଡ଼ିଆ ଭାଷାରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ରାଜ୍ୟର ସମସ୍ତ ଚାଷୀଙ୍କ ପାଇଁ ସରକାର ଚିନ୍ତିତ। ଆମ ସରକାରରେ ଚାଷୀଙ୍କୁ ଗୁରୁତ୍ୱ ଦିଆଯାଉଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ମହିଳାଙ୍କୁ ସଶକ୍ତକରଣ କରିବା ଆମ ଲକ୍ଷ୍ୟ। ଘୋଷଣା ଅନୁଯାୟୀ ସୁଭଦ୍ରା ଯୋଜନା ଲାଗୁ ହୋଇଛି।

Leave A Reply

Your email address will not be published.