ଓଡ଼ିଶା ସମ୍ବାଦ ବ୍ୟୁରୋ: ବିହାର ଏବଂ ଉତ୍ତରପ୍ରଦେଶର ଖରା ତାତି ଓ ଗରମ ଭୟଙ୍କର ଭାବେ ବଢି ଯାଇଛି। ତତଲା କଡେଇରେ ସିଝୁଛନ୍ତି ଏହି ଦୁଇ ରାଜ୍ୟର ଲୋକେ। ଉଭୟ ରାଜ୍ୟର ଅନେକ ଜିଲ୍ଲାରେ ପାରା ୪୦ ଅତିକ୍ରମ କରିଛି। ପ୍ରବଳ ଗରମ ମଧ୍ୟରେ ଗତ ଚାରି ଦିନ ମଧ୍ୟରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ୟୁପିର ବଲିୟାରେ ଚାରି ଦିନରେ ୫୭ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ଚର୍ଚ୍ଚା ହେଉଛି।
ସୂଚନା ଥାଉକି ପୂର୍ବରୁ ଜଣେ ବରିଷ୍ଠ ସରକାରୀ ଡାକ୍ତର ଏ.କେ ସିଂଙ୍କ ଅନୁଯାୟୀ, ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହି ଲକ୍ଷଣ ଉତ୍ତାପ ଜନିତ ନୁହେଁ। କିନ୍ତୁ ବଲିୟା ଜିଲ୍ଲା ଡାକ୍ତରଖାନାର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଏସ୍ ଯାଦବ କହିଥିଲେ ଯେ ଉତ୍ତାପ ଯୋଗୁଁ ରକ୍ତଚାପ, ହାଇପରଟେନସନ ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ବୃଦ୍ଧ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ପୂର୍ବରୁ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଦୀପକ ସିଂ ଦାବି କରିଥିଲେ ଯେ ଭୀଷଣ ଗ୍ରୀଷ୍ମ ଯୋଗୁଁ କିଛି ଲୋକଙ୍କର ମୃତ୍ୟୁ ହୋଇଛି। ଉଲ୍ଲେଖଥାଉ କି, ସୋମବାର ସକାଳୁ ବଲିୟାର ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ଏବଂ ସର୍ବନିମ୍ନ ତାପମାତ୍ରା ୨୮ ଡିଗ୍ରୀ ସେଲସିୟସ ଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଥିସହ ଜିଲ୍ଲାରେ ଗ୍ରୀଷ୍ମ ଯୋଗୁଁ କେବଳ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଦାବି କରିଛନ୍ତି।
ସେହିପରି ବିହାରର ଅନେକ ଜିଲ୍ଲାରେ ପ୍ରବଳ ଗରମ ଯୋଗୁଁ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବିହାରର ସାତଟି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରାଯାଇଛି। ଭୋଜପୁରରେ ଚାରି ଦିନ ମଧ୍ୟରେ ଭୟଙ୍କର ଗରମ ଯୋଗୁଁ ୩୯ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଗୟା ଏବଂ ନୱାଦାଠାରେ ଦୁଇ ଜଣଙ୍କ ମୃତ୍ୟୁ ଖବର ପ୍ରକାଶ ପାଇଛି। ଅନ୍ୟପକ୍ଷରେ, ସାସାରାମର ସଦର ଡାକ୍ତରଖାନାରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ତେବେ ଏ ସମ୍ପର୍କରେ କୌଣସି ସରକାରୀ ମନ୍ତବ୍ୟ ଆସିନାହିଁ।
ଔରଙ୍ଗାବାଦ ଏବଂ ପୁର୍ଣ୍ଣିୟାର ସଦର ଡାକ୍ତରଖାନାରେ ରୋଗୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ରାଜ୍ୟରେ ସମ୍ପୂର୍ଣ୍ଣ ଅରାଜକତା ରହିଛି। ଅଖିଳେଶଙ୍କ ଅନୁଯାୟୀ, ବଲିୟାରେ ୨୪ ଘଣ୍ଟାରେ ୩୬ ଜଣଙ୍କର ମୃତ୍ୟୁ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
Comments are closed.