ଇଣ୍ଡୋନେସିଆର ଦ୍ୱିତୀୟ ବୃହତ ସହର ସରବୟାରେ କମତିମ ନାମକ ଜଣେ ଶହେ ବର୍ଷୀୟ ମହିଳା କରୋନା ଯୁଦ୍ଧରେ ବିଜୟୀ ହୋଇଛନ୍ତି । ଦୀର୍ଘ ମାସେ କାଳ କରୋନା ଭୂତାଣୁ ସହ ଲଢ଼େଇ କରି ଶେଷରେ ସେ ଜିତିଯାଇଛନ୍ତି । ସାରା ଇଣ୍ଡୋନେସିଆରେ କମତିମ ଖୁବ୍ ଲୋକପ୍ରିୟ । ସେଥିପାଇଁ ଇଷ୍ଟ ଜାଭାର ଗଭର୍ଣ୍ଣର ଖୋଫିଫା ଇନ୍ଦର ପରଓ୍ୱଂଶ କହିଛନ୍ତି କମତିମଙ୍କ ଆରୋଗ୍ୟ ଖବର ଦେଶର ବୟଷ୍କମାନଙ୍କୁ ନିଶ୍ଚିତରୂପେ କରୋନା ବିରୁଦ୍ଧରେ ଲଢ଼େଇ କରିବାକୁ ଅଧିକ ପ୍ରେରଣା ଯୋଗାଇବ ।
୧୯୨୦ ମସିହାରେ ଜନ୍ମଗ୍ରହଣ କରିଥିଲେ କମତିମ । ମାସେ ତଳେ କରୋନାର କିଛିଟା ଲକ୍ଷଣ ଦେଖାଯିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ନିକଟରେ କୋଭିଡ-୧୯ ପଜିଟିଭ ବାହାରିଥିଲା । ତେବେ ହସପିଟାଲରେ ସେ ମାନସିକଭାବେ ଖୁବ୍ ଶକ୍ତ ଥିବା ସହ ନିଜର ଔଷଧ ଓ ସ୍ୱାସ୍ଥ୍ୟ ସମ୍ପର୍କରେ ସବୁବେଳେ ଡାକ୍ତର ଓ ନର୍ସମାନଙ୍କୁ ପଚାରି ବୁଝୁଥିଲେ ବୋଲି କହିଛନ୍ତି ତାଙ୍କ ବୋହୁ ସିତି ଅମୀନା ।
ଅନ୍ୟପଟେ ସେ କେମିତି କରୋନା ସଂକ୍ରମିତ ହେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କାରଣ ମହାମାରୀ ବ୍ୟାପିବା ଆରମ୍ଭ ହେବା ଦିନଠୁ ସେ କେବେ ବି ଘରୁ ବାହାରକୁ ଯାଇନାହାନ୍ତି । ତେବେ ତାଙ୍କ ଘରକୁ ଆସୁଥିବା ପାଖ ପଡ଼ୋଶୀଙ୍କ ଦ୍ୱାରା ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି ।
ଇଣ୍ଡୋନେସିଆରେ ବର୍ତ୍ତମାନ ସୁଦ୍ଧା ୨୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ହୋଇସାରିଥିବାବେଳେ ୧୬ ଶହ ୧୩ ଜଣଙ୍କ ମୁଣ୍ଡ ମଧ୍ୟ ନେଇସାରିଲାଣି ଏହି ମହାମାରୀ ।
Comments are closed.