Naxal Free India:ଅସ୍ତ୍ରଶସ୍ତ୍ର ସହ ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ…ଏପଟେ ମାଓ ଡମ୍ପରୁ ୩କୋଟି ଟଙ୍କା ଓ ସୁନା ଉଦ୍ଧାର
ରାୟପୁର: ମାଓବାଦୀଙ୍କ ବିରୋଧରେ ଚାଲିଥିବା ଲଢ଼େଇରେ ଯବାନମାନଙ୍କୁ ପୁଣି ଥରେ ଅଭୂତପୂର୍ବ ସଫଳତା ହାସଲ ମିଳିଛି। DKSZC (ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟି)ର ୧୦୮ଜଣ ମାଓବାଦୀ ସେମାନଙ୍କର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ୪୪ ଜଣ ମହିଳା ମାଓବାଦୀ । ଏହି ୧୦୮ଜଣ ମାଓବାଦୀ କ୍ୟାଡରଙ୍କ ପାଇଁ ₹୩.୨୯ କୋଟି ପୁରସ୍କାର ଘୋଷଣା କରାଯାଇଥିଲା। ମାଓବାଦୀମାନେ ୧୦୧ଟି ଅସ୍ତ୍ରଶସ୍ତ୍ର ମଧ୍ୟ ଫେରାଇଛନ୍ତି ।
ଆଜି ବସ୍ତରରେ ୧୦୮ ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ, ବିଜାପୁରର ଇନ୍ଦ୍ରାବତୀ ନଦୀ କୂଳରେ ଏକ ମାଓ ଡମ୍ପ ଉଦ୍ଧାର ହୋଇଛି । ଦେଶର ନକ୍ସଲ ବିରୋଧୀ ଅଭିଯାନର ଇତିହାସରେ ଉଦ୍ଧାର ହୋଇଥିବା ଏହା ସବୁଠାରୁ ବଡ଼ ଡମ୍ପ। ଏହି ଡମ୍ପରୁ ୩ କୋଟି ୬୧ ଲକ୍ଷ ଟଙ୍କା ନଗଦ ଏବଂ ପ୍ରାୟ ୧ କୋଟି ୬୪ ଲକ୍ଷ ଟଙ୍କା ମୂଲ୍ୟର ଏକ କିଲୋ ସୁନା ଉଦ୍ଧାର କରାଯାଇଛି।
ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ପୁନରାବୃତ୍ତି କରିଛନ୍ତି ଯେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନକ୍ସଲବାଦକୁ ମୂଳୋତ୍ପାଟନ ନ କରିବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ। ଛତିଶଗଡ଼ ସରକାର ୨୦୨୭
ସୁଦ୍ଧା ବସ୍ତରରୁ ବାହିନୀ ପ୍ରତ୍ୟାହାର କରିବାକୁ ଯୋଜନା କରୁଛି।
ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି, “ସମଗ୍ର ବସ୍ତର ଏବେ ଶାନ୍ତିପୂର୍ଣ୍ଣ। ଛତିଶଗଡ଼ରେ ପୂର୍ବରୁ ପ୍ରାୟ ୩୦ଟି କ୍ଷେତ୍ର କମିଟି ଥିଲା, ଯେଉଁଥିରୁ ୨୬ଟି ସମ୍ପୂର୍ଣ୍ଣ ଶେଷ ହୋଇଛି । ଚାରୋଟି କ୍ଷେତ୍ର କମିଟି ବାକି ଅଛି, ଯାହା ଉପରେ ଆମେ କାମ କରୁଛୁ। ଆମେ ସେଗୁଡ଼ିକୁ ୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା ଶେଷ କରିଦେବୁ।”