Latest Odisha News

BREAKING NEWS

ବର୍ଷକ ପରେ ଜଳ ସ୍ନାନ କଲେ ଦାରୁ ଦିଅଁ, ମହାବାହୁଙ୍କ ସାଙ୍ଗରେ ବି ସ୍ନାନ କରୁଛନ୍ତି ଭକ୍ତ

ପୁରୀ:  ସ୍ନାନ ମଣ୍ଡପରେ ସ୍ନାନ କଲେ ଦାରୁ ଦିଅଁ । ସର୍ଣ୍ଣ କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି । ସେପଟେ ମହାପ୍ରଭୁଙ୍କ ସହ ସ୍ନାନ କରୁଛନ୍ତି ଶ୍ରଦ୍ଧାଳୁ । ପୁରୀରେ ପ୍ରବଳ ବର୍ଷାକୁ ଖାତିର ନକରି ଚକାନୟନରେ ବିମୋହିତ ହୋଇଛନ୍ତି ଭକ୍ତ । ସ୍ନାନ ମଣ୍ଡପ ସମ୍ମୁଖରେ ଏକାକାର ଭକ୍ତ ଓ ମହାବାହୁ ।

ଶନିବାର ସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନ କରୁଛନ୍ତି ୪ ଦିଅଁ । ବର୍ଷକୁ ଥରେ ଜଲରେ ସ୍ନାନ କରନ୍ତି ମହାବାହୁ । ପ୍ରତିବର୍ଷ ଜ୍ୟୋଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ବର୍ଷରେ ଥରୁଟିଏ ଆଜିର ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହିତ ପ୍ରତ୍ୟକ୍ଷ ଶ୍ରୀଅଙ୍ଗ ଜଳସ୍ନାନ କରନ୍ତି । ବାକି ବର୍ଷ ସାରା ତାଙ୍କୁ ବିମ୍ବସ୍ନାନ କରାଯାଏ । । ଏହାପରେ ରଙ୍ଗ ବେରଙ୍ଗ ଫୁଲରେ ସଜେଇ ଯୋଇ ଗଜାନନ ବେଶ ଧାଣ କରିବେ ଠାକୁରମାନେ । ମଥାରେ ଧଳା, ଗୋଲାପି ଓ ନାଲି ରଙ୍ଗର ଫୁଲ ଓ ଗଳାରେ ତୁଳସୀ ମାଳ । ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କ ଦିବ୍ୟ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ଏଥିପାଇଁ ସୁନା କୂଅରୁ ଆସିଛି ସୁଗନ୍ଧିତ ମହୌଷଧି ଜଳ । ତେବେ କୁହାଯାଏ କେବେ ବ୍ୟବହାର ହୁଏ ନାହିଁ ଏହି ସୁନା କୂଅ । ବର୍ଷକୁ ଥରେ ଖୋଲାଯାଇ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଢଳାଯାଏ ।  ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ ବୋଲି ବିଶ୍ବାସ ରହିଛି । କୂଅର ବ୍ୟବହାର ବର୍ଷସାରା ନଥବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ପୂର୍ବ ଦିନରୁ ରହିଥିବା ଏହି ସୁବାସିତ ଜଳକୁ ଅଭିମନ୍ତ୍ରିତ କରାଯାଇ ଦାରୁବ୍ରହ୍ମଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ । ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ଦେବୀ ସୁଭଦ୍ରା ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ ବିଧି ସମ୍ପର୍ଣ୍ଣ କରାଯାଇଛି । ଏହା ପରେ ବିଭିନ୍ନ ଫୁଲରେ ସୁସଜ୍ଜିତ ହୋଇ ଗଜ ବେଶ ଧାରଣ କରୁଛନ୍ତି ମହାପ୍ରଭୁ  ।

ସୂଚନାଯୋଗ୍ୟ, ୧୨.୨୦ରୁ ୧.୪୫ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି ପରେ ଗଜବେଶରେ ସଜେଇ ହେଉଛନ୍ତି ଠାକୁରମାନେ । ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ କରାଯିବ । ଅପରାହ୍ନ ୩ଟା ସମୟରେ ଛେରା ପହଁରା, ୩.୪୦ରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।

Leave A Reply

Your email address will not be published.