Latest Odisha News

BREAKING NEWS

ମୋ କଲେଜ ଅଭିଯାନ ଜରିଆରେ ୧୧ଟି ମହାବିଦ୍ୟାଳୟର ରୂପରେଖ ବଦଳିବ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମର ‘ମୋ କଲେଜ ଅଭିଯାନ’ ଜରିଆରେ ଗଞ୍ଜାମ ଜିଲ୍ଲାର ୧୧ଟି ମହାବିଦ୍ୟାଳୟର ରୂପରେଖ ବଦଳିବ। ମହାବିଦ୍ୟାଳୟଗୁଡ଼ିକୁ ବିଶ୍ୱସ୍ତରୀୟ ପରୀକ୍ଷାଗାର ଏବଂ ଉନ୍ନତ ଶ୍ରେଣୀଗୃହରେ ପରିଣତ କରାଯିବ, ଯାହା ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଗ୍ରହଣ କରିବା ସମୟରେ ଏକ ସମ୍ପୂର୍ଣ୍ଣ ନୂତନ ଅନୁଭୂତି ପ୍ରଦାନ କରିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି।

ଜିଲ୍ଲାର ୮ଟି ଯୁକ୍ତ ଦୁଇ କଲେଜ/ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ତିନୋଟି ଡିଗ୍ରୀ କଲେଜର ରୂପରେଖ ପରିବର୍ତ୍ତନ ପାଇଁ ରୁଙ୍ଗଟା ସନ୍ସ୍ ପ୍ରାଇଭେଟ୍ ଲିମିଟେଡ୍ ସିଏସ୍ଆର୍ ପାଣ୍ଠିରୁ ୪.୫ କୋଟି ଟଙ୍କା ମଞ୍ଜୁର କରିଛି। ‘ମୋ କଲେଜ ଅଭିଯାନ’ ଅଧୀନରେ ସରକାର ୯ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି।

ଏହି ପରିବର୍ତ୍ତନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ କ୍ଲାସରୁମ, ନୂଆ ଅଡିଟୋରିୟମ, କମନ ରୁମ, ନୂଆ ଶୈାଚାଳୟ, ବାସ୍କେଟବଲ ଓ ଭଲିବଲ କୋର୍ଟରେ ସମୃଦ୍ଧ କରାଯିବ। ଇ-ଲାଇବ୍ରେରୀ, ଉନ୍ନତ ଭିତିଭୂମି ଏବଂ ବିଭିନ୍ନ ଖେଳକୁ ନେଇ ବ୍ୟାପକ ଜ୍ଞାନକୌଶଳ ମଧ୍ୟ ସେମାନଙ୍କ ପାଖରେ ଉପଲବ୍ଧ ହେବ।

ଏହି କଲେଜଗୁଡ଼ିକର ପରିବର୍ତ୍ତନ ଓଡ଼ିଶାରେ ଉଚ୍ଚଶିକ୍ଷାର ମାନ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମର ଅଂଶବିଶେଷ। ସରକାର ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ବିଦ୍ୟାଳୟକୁ ରୂପାନ୍ତରିତ କରିସାରିଛନ୍ତି।

Comments are closed.