Latest Odisha News

BREAKING NEWS

୬ ବର୍ଷରେ ଆଞ୍ଚଳିକ ଦଳ ମଧ୍ୟରେ ବିଜେଡି ପାଇଛି ସର୍ବାଧିକ ଅନୁଦାନ

ଭୁବନେଶ୍ୱର: ଓଡ଼ିଶାର ଶାସକ ବିଜୁ ଜନତା ଦଳକୁ ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ଇଲେକ୍ଟୋରାଲ ବଣ୍ଡରୁ ସର୍ବାଧିକ ଅନୁଦାନ ମିଳିଛି ବୋଲି ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବିଜେଡିକୁ ମୋଟ ୬୯୨.୬୦୯ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ୍ ମିଳିଛି, ଯାହାକି ୬ ବର୍ଷ ମଧ୍ୟରେ ମୋଟ ଦାନର ୮୯%ରୁ ଅଧିକ।

ଦ୍ୱିତୀୟ ସର୍ବାଧିକ ଇଲେକ୍ଟୋରାଲ ବଣ୍ଡ୍ ପାଇଥିବା ଦଳ ହେଉଛି ତାମିଲନାଡୁର ଡିଏମକେ ଯିଏକି ୪୩୧.୫୦ କୋଟି ଟଙ୍କା ପାଇଛି। ଟିଆରଏସ ଓ ଓ୍ବାଇଏସଆର-ସି ଯଥାକ୍ରମେ ୩୮୩ କୋଟି ଓ ୩୩୦.୪୪ କୋଟି ଟଙ୍କା ସହ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି।

ମୋଟ ୫୨୭୧.୯୭୫୧ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ୍ ପାଇବାରେ ବିଜେପି ସବୁଠାରୁ ଆଗରେ ରହିଛି। ତେବେ ଏହା ଦଳର ମୋଟ ଅନୁଦାନର ମାତ୍ର ୫୨% ଥିଲା, କାରଣ ବିଜେପିକୁ ମଧ୍ୟ ପ୍ରତ୍ୟକ୍ଷ ଭାବେ କର୍ପୋରେଟ୍ ପାଣ୍ଠିରୁ ଯଥେଷ୍ଟ ପରିମାଣର ଅନୁଦାନ ମିଳିଛି।

ମୋଟ ୯୫୨.୨୯୫୫ କୋଟି ଟଙ୍କାର ଇଲେକ୍ଟୋରାଲ ବଣ୍ଡ ପାଇବାରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଏହା ଦଳର ମୋଟ ଦାନର ମାତ୍ର ୬୧.୫୪% ଥିଲା, କାରଣ କଂଗ୍ରେସକୁ ମଧ୍ୟ ପ୍ରତ୍ୟକ୍ଷ କର୍ପୋରେଟ୍ ଦାନରେ ଯଥେଷ୍ଟ ପରିମାଣର ଅର୍ଥ ମିଳିଥିଲା।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ରାଜନୈତିକ ଦଳଗୁଡ଼ିକୁ ଅନୁଦାନ ନେବା ପାଇଁ ଇଲେକ୍ଟୋରାଲ ବଣ୍ଡ୍ ହେଉଛି ସର୍ବାଧିକ ପସନ୍ଦଯୋଗ୍ୟ ମାଧ୍ୟମ। ଛଅ ବର୍ଷ ମଧ୍ୟରେ ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ମୋଟ୍ ୯୧୮୮.୩୫୯୯୧ କୋଟି ଟଙ୍କା ଦାନ କରାଯାଇଥିବା ବେଳେ ପ୍ରତ୍ୟକ୍ଷ କର୍ପୋରେଟ୍ ଦାନ ଜରିଆରେ ୪୬୧୪.୫୩ କୋଟି ଟଙ୍କା ଦାନ କରାଯାଇଛି।

ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ୭ଟି ଜାତୀୟ ଦଳ ଦ୍ୱାରା ଘୋଷିତ ପ୍ରତ୍ୟକ୍ଷ କର୍ପୋରେଟ ଦାନ ୬ ବର୍ଷ ମଧ୍ୟରେ ୩୧ଟି ଆଞ୍ଚଳିକ ଦଳ ଦ୍ୱାରା ଘୋଷିତ କର୍ପୋରେଟ ଦାନର ୫ ଗୁଣରୁ ଅଧିକ।

ଏହି ରିପୋର୍ଟରେ ଶେଷରେ କୁହାଯାଇଛି ଯେ ଇଲେକ୍ଟୋରାଲ ବଣ୍ଡର ବର୍ଦ୍ଧିତ ବ୍ୟବହାର ଚିନ୍ତାର କାରଣ, କାରଣ ଏହା ରାଜନୈତିକ ଦାନର ଉତ୍ସ କେଉଁଠି ଜଣାପଡିନଥାଏ। ତେଣୁ ଇଲେକ୍ଟୋରାଲ ବଣ୍ଡକୁ ଅଧିକ ପାରଦର୍ଶୀ କରିବା ପାଇଁ ସରକାରକୁ ବିଭିନ୍ନ ସମୟରେ ଦାବି ହେଉଛି।

Leave A Reply

Your email address will not be published.