ମୁମ୍ବାଇ: ସୋମବାର ଦିନ ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁସାରେ, ଏକ ଭ୍ୟାନ ସିମେଣ୍ଟ ମିକ୍ସର ଗାଡି ସହିତ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।
ଘଟଣାଟି ସକାଳ ପ୍ରାୟ ୧୧:୩୦ ସମୟରେ ମୁରବାଡର ଗୋଭିଲି ଗାଁର ରୈତା ସେତୁରେ ଘଟିଥିଲା। ପୋଲିସର ସୂଚନା ଅନୁଯାୟୀ, ଭ୍ୟାନଟି ବିପରୀତ ଦିଗରୁ ଆସୁଥିବା ଏକ ସିମେଣ୍ଟ ମିକ୍ସର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ ଭ୍ୟାନରେ ଥିବା ୧୧ ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ, ଉଦ୍ଧାରକାରୀ ଦଳ ଏବଂ ଡାକ୍ତରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର ଏବଂ ମୃତଦେହ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନଭିତ୍ତିରେ କରାଯାଇଥିଲା ।